ସ୍ମାର୍ଟ ସିଟି ଅଫିସ୍‌ ସାମ୍ନାରେ ସ୍ମାର୍ଟ ସିଟିର ବିକଳ ଚିତ୍ର: ଦୁର୍ବୃତ୍ତଙ୍କ କବ୍‌ଜାରେ ସହିଦ ନଗର ବିଡିଏ ପାର୍କ

ସ୍ମାର୍ଟ ପାର୍କରେ ଜମୁଛି ନିଶାଡ଼ିଙ୍କ ଆଡ଼ା, ଅବ୍ୟବସ୍ଥାରେ ସହିଦନଗର ବାସିନ୍ଦା

ଭୁବନେଶ୍ବର: ସ୍ମାର୍ଟ ସିଟି ଯୋଜନାରେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଯେତିକି ଯୋଜନା କରିଛନ୍ତି, ତାହାର ସିଂହଭାଗ ଭୁବନେଶ୍ବର ଟାଉନ୍ ସେଣ୍ଟର ଡିଷ୍ଟ୍ରିକ୍ଟରେ ଖର୍ଚ୍ଚ ହେବ। ଅର୍ଥାତ୍‌ ଶିଶୁ ଭବନରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରୁ ରେଳ ଲାଇନ୍ ପର୍ଯ୍ୟନ୍ତ ଅଞ୍ଚଳରେ। ଏଥିରେ ସବୁଠୁ ଅଧିକ ଯୋଜନା ସତ୍ୟନଗର ଓ ସହିଦନଗରରେ ହେଉଛି ଏବଂ ଆଗକୁ ମଧ୍ୟ ହେବ। ମୁଖ୍ୟତଃ ସ୍ମାର୍ଟ ସିଟିର ରୂପରେଖ ଏହି ଦୁଇଟି ଅଞ୍ଚଳକୁ ଦେଖିଲେ ଲୋକ ଜାଣିପାରିବେ। କିନ୍ତୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର କାର୍ଯ୍ୟାଳୟ ସମ୍ମୁଖରେ ମାତ୍ର ୫୦ ମିଟର ଦୂରରେ ସ୍ମାର୍ଟ ସିଟିର ବିକଳ ଚିତ୍ର ଦେଖିବାକୁ ମିଳୁଛି।

ରାଜଧାନୀର ବିଭିନ୍ନ ପାର୍କର ନବୀକରଣ, ଉନ୍ନତୀକରଣ ଆଦି ନାଁରେ ବିଏମ୍‌ସି ଓ ବିଡିଏ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସହିଦନଗରରେ ବିଡିଏର ଗୋଟିଏ ପାର୍କକୁ ବିଏମ୍‌ସି ପ୍ରରୋଚନାରେ ଦୁର୍ବୃତ୍ତମାନେ ମାଡ଼ି ବସିଛନ୍ତି। କିଛି ଅଧିକାରୀଙ୍କ ଅପାରଗତା ପାଇଁ ସହିଦନଗର ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖରେ ଥିବା ପ୍ରାୟ ୨ ଏକର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ରାଜଧାନୀର ବିଭିନ୍ନ ସ୍ଥାନରେ ପେଟପାଟଣା ପାଇଁ କ୍ୟାବିନ୍‌ଟିଏ ପକାଇଥିବା ଲୋକର ଦୋକାନ ଉପରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବୁଲଡୋଜର୍‌ ଚଢ଼ାଇ ଦେଉଥିବା ବେଳେ ନିଜ କାର୍ଯ୍ୟାଳୟ ସମ୍ମୁଖରେ କିଛି ଦୁର୍ବୃତ୍ତ କୋଟି କୋଟି ଟଙ୍କାର ଜମିକୁ ମାଡ଼ି ବସି ଦୋକାନ କରି ଭଡ଼ା ଲଗାଇଥିଲେ ବି ତାହା କର୍ତ୍ତୃପକ୍ଷଙ୍କ ନଜରରେ ପଡ଼ୁନି। କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି ପାଇଁ ରାଜଧାନୀ ସ୍ମାର୍ଟ ସିଟି ରୂପ ପାଉନି କି ଲୋକ ଶାନ୍ତିରେ ବଞ୍ଚି ପାରୁନାହାନ୍ତି। ସ୍ମାର୍ଟ ସିଟିର ପ୍ରମୁଖ ଅଞ୍ଚଳର ଅବସ୍ଥା କିପରି ଅଛି, ତାହାକୁ ଯଦି ସ୍ମାର୍ଟସିଟି କାର୍ଯ୍ୟାଳୟରେ ବସୁଥିବା ବିଏସ୍‌ସିଏଲ୍‌ର ସିଇଓ, ମହାପ୍ରବନ୍ଧକମାନେ ଟିକେ ବୁଲି ଦେଖନ୍ତେ, ତେବେ ସେମାନେ ବାସ୍ତବ ସ୍ଥିତି ଜାଣିପାରନ୍ତେ। ହେଲେ ଏ ଦିନ କେବେ ଆସିବ, ତାହା ସ୍ଥାନୀୟ ବାସିନ୍ଦା ଜାଣିପାରୁନାହାନ୍ତି।

ସହିଦନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ତଥା ବର୍ତ୍ତମାନର ସ୍ମାର୍ଟ ପାର୍କ ନିକଟରେ ପ୍ରାୟ ୨ଏକର ଜାଗାରେ ତିନିକୋଣିଆ ହୋଇ ବିଡିଏର ଏକ ପାର୍କ ଥିଲା। କିନ୍ତୁ ଯେତେବେଳେ ସହିଦନଗର ହାଟ ଉଠାଇ ବିଏମ୍‌ସି-ଭବାନୀ ମଲ୍‌ ନିର୍ମାଣ କରାଗଲା, କିଛି ବ୍ୟବସାୟୀଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ଏଠାରେ ବସାଇଦେଲେ। ଯେଉଁମାନେ ଏଠାରେ ଦୋକାନ କରି ବସିଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ବିଏମ୍‌ସି-ଭବାନୀ ମଲ୍‌ରେ ଦୋକାନ ଆବଣ୍ଟନ ହେଲା। ହେଲେ ବ୍ୟବସାୟୀମାନେ ଏଠାରୁ ଗଲେନି। ହାଟର ପୁରୁଣା ବ୍ୟବସାୟୀ ବସିବା ଦେଖି କିଛି ଦୁର୍ବୃତ୍ତ ଏଠାରେ ଖାଲି ଥିବା ଜମି ଓ ରାସ୍ତାକୁ ବି ମାଡ଼ି ବସିଲେ। ସ୍ଥିତି ଏପରି ହୋଇଛି ଯେ ବିଏମ୍‌ସିର କିଛି ବାବୁ ଏମାନଙ୍କ ଦ୍ବାରା ଉପକୃତ ହେଉଥିବାରୁ ଏହି ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ ବାବୁଙ୍କ ହାତ ଯାଉନି। କେବଳ ଏତିକିରେ ସମସ୍ୟା ସରିନି, ଏହା ନିକଟରେ ବିଡିଏ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଥିଲେ ବି ସ୍ଥାନୀୟ ବାସିନ୍ଦା ଏହାକୁ ଉପଭୋଗ କରି ପାରୁନାହାନ୍ତି। ତିନିକୋଣିଆ ଜମିରେ ହୋଇଥିବା ଦୋକାନକୁ ଆସୁଥିବା ଯୁବକମାନେ ପାର୍କରେ ସଂଧ୍ୟା ପରେ ଆଡ଼ା ଜମାଉଛନ୍ତି। କିଛି ଦୁର୍ବୃତ୍ତ ପାର୍କ ଭିତରେ ବସି ମଦର ଆସର ଜମାଉଛନ୍ତି। ସଂଧ୍ୟା ପରେ ପାର୍କ ଅଣସାମାଜିକ ବ୍ୟକ୍ତିଙ୍କ କବ୍‌ଜାକୁ ଆସିଯାଉଥିବାରୁ ଏଠାକୁ ଯିବାକୁ ସ୍ଥାନୀୟ ବାସିନ୍ଦା ଭୟ କରୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ ଏବେ ଦିନକୁ ଦିନ ଦୋକାନ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲୋକମାନେ ରାସ୍ତା ଉପରେ ଗାଡ଼ି ରଖି ପଳାଉଛନ୍ତି। କିଛି ଲୋକ ରାସ୍ତା ଉପରେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସ୍ମାର୍ଟ ସିଟିର ପ୍ରମୁଖ ଅଞ୍ଚଳର ଏହି ସମସ୍ୟା ନେଇ ବିଏମ୍‌ସି, ସ୍ମାର୍ଟ ସିଟି କର୍ତ୍ତୃପକ୍ଷ, ସ୍ଥାନୀୟ ଥାନା‌ରେ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନି। ସ୍ମାର୍ଟ ପାର୍କ ହେବା ପୂର୍ବରୁ ମହର୍ଷି କଲେଜ ପୂର୍ବରୁ ଓ ପରେ ସହିଦ ନଗର ଭିତରକୁ ଦୁଇଟି ରାସ୍ତା ଥିବା ବେଳେ ପାର୍କ ମାୟାରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ରାଜସ୍ବ ରାସ୍ତାକୁ ବନ୍ଦ କରିଦେଲେ। ହେଲେ ଯେଉଁ ରାସ୍ତା ଦେଇ ଲୋକ ଯାତାୟାତ କଲେ, ତାହାକୁ କିପରି ବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ କରିବେ, ଜବରଦଖଲମୁକ୍ତ କରିବେ, ସେ ଯୋଜନା କଲେନି।

ସହିଦନଗର ଅଞ୍ଚଳରେ ଏହିପରି ଜବରଦଖଲ ନେଇ ପୂର୍ବତନ କର୍ପୋରେଟର ଶାଶ୍ବତୀ ମିଶ୍ର କହିଛନ୍ତି ଯେ ସହିଦନଗର ହାଟ ସ୍ଥାନାନ୍ତର ସମୟରେ କିଛି ବ୍ୟବସାୟୀ ଏଠାରେ ଦୋକାନ ପକାଇଥିଲେ। ଏହାପରେ ବହୁ ଲୋକ ମାଡ଼ି ବସି ଦୋକାନ ପକାଇଲେ। ହେଲେ ବିଏମ୍‌ସି ପକ୍ଷରୁ କାହାକୁ ଠିକ୍‌ ଭାବେ ଥଇଥାନ କରାଗଲାନି। ପ୍ରାୟ ୭ବର୍ଷ ତଳେ ଏଠାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରି ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଟେଣ୍ଡର ଆହ୍ବାନ ହୋଇଥିଲା। କିନ୍ତୁ ଯେତିକି ଭେଣ୍ଡିଂ ଜୋନ୍‌ ଯୋଜନା ଥିଲା, ତା’ଠାରୁ ଅଧିକ ଦୋକାନୀ ବାହାରିଲେ। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଟେଣ୍ଡର ବାତିଲ୍‌ କରିଦେଲେ। ଏହାପରେ ସମସ୍ତ ଚୁପ୍‌ ବସିପଡ଼ିଛନ୍ତି।

ସମ୍ବନ୍ଧିତ ଖବର