ଅଧଘଣ୍ଟାରେ ଆହାର କେନ୍ଦ୍ର ଖାଲି: ଫେରିଲେ ଶତାଧିକ ଶ୍ରମିକ

ଭୁବନେଶ୍ବର: ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ ଆଜି ରାଜଧାନୀର ବିଭିନ୍ନ ଆହର କେନ୍ଦ୍ରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବହୁ ବସ୍ତି ଅଞ୍ଚଳର ଲୋକେ ଆଜି ଖାଇବା ପାଇଁ ଆହାର କେନ୍ଦ୍ରକୁ ଧାଇଁଥିଲେ। ବି‌ଶେଷକରି ପାଣିରେ ବୁଡ଼ି ଯାଇଥିବା ବସ୍ତିର ଲୋକେ ରୋଷେଇ କରିବା ପାଇଁ ସମସ୍ୟାରେ ପଡ଼ିଥିବାରୁ ଏବଂ ବହୁ ଗରିବ ଦିନ ମଜୁରିଆ ରୋଜଗାର ହରାଇଥିବାରୁ ସେମାନେ ଖାଇବା ପାଇଁ ଆହାର କେନ୍ଦ୍ରରେ ଧାଡ଼ି ବାନ୍ଧିଥିଲେ। ଫଳରେ ମାତ୍ର ଅଧ ଘଣ୍ଟା ଭିତରେ ଆହାର କେନ୍ଦ୍ରର ହାଣ୍ଡି ଖାଲି ହୋଇଯାଇଥିଲା। ଆଉ ବହୁ ଲୋକ ଖାଇବାକୁ ନପାଇ ହତାଶ ହୋଇ ଫେରିଥିଲେ।

ଆଜି ନୂଆପଲ୍ଲୀ ଶ୍ରମିକ ହାଟ ନିକଟସ୍ଥ ଆହାର କେନ୍ଦ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଖୋଲିବାର ମାତ୍ର ଅଧଘଣ୍ଟା ଭିତରେ ହାଣ୍ଡି ପୂରା ସଫା ହୋଇଯାଇଥିଲା। ତେଣୁ ଶତାଧିକ ଲୋକ ଖାଦ୍ୟ ନ ପାଇ ଅସନ୍ତୁଷ୍ଟ ହୋଇ ଫେରିଥିଲେ। ସାଢ଼େ ୧୧ଟାରୁ ଖୋଲୁଥିବା ଏହି କେନ୍ଦ୍ରରୁ ଆଜି ୧୨ଟା ସୁଦ୍ଧା ସବୁ ଖାଦ୍ୟ ସରି ଯାଇଥିଲା। କାରଣ ସାଢ଼େ ୧୦ଟା ସୁଦ୍ଧା ଏହି କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡ଼ି ଲାଗି ସାରିଥିଲା। ଲଗାଣ ବର୍ଷା କାରଣରୁ ସାଲିଆସାହି ସମେତ ନୂଆପଲ୍ଲୀର ତଳି ଅଞ୍ଚଳ ଜଳମଗ୍ନ ହୋଇଥିଲା। ଘରେ ପାଣି ପଶିବା ସାଙ୍ଗକୁ ବର୍ଷାରେ ହାଟ ବଜାର ବନ୍ଦ ଥିବାରୁ ୨ଦିନ କାଳ ଅଖିଆଅପିଆ ପଡ଼ିଥିବା ଲୋକେ ଦିନ ୧୦ଟା ବେଳକୁ ସିଧା ମୁହାଁଇଥିଲେ ଏହି ଆହାର କେନ୍ଦ୍ରକୁ। ଛୋଟ ପିଲାମାନେ ମଧ୍ୟ ଧାଡ଼ିରେ ଠିଆ ହୋଇ ଖାଇବା ନେଇଥିଲେ। ତେଣୁ ପୂର୍ବ ଭଳି ଏଠାକୁ ଆସୁଥିବା ଶ୍ରମିକ ଓ ଅନ୍ୟ ଲୋକମାନେ ଆସିବା ବେଳକୁ ଆଉ ଖାଦ୍ୟ ନଥିଲା। ସମାନ ସ୍ଥିତି ଉପୁଜିଥିଲା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ। ନିକଟସ୍ଥ ବସ୍ତିର ଲୋକେ ୧୦ଟା ବେଳୁ ଏହି ଆହାର କେନ୍ଦ୍ରରେ ଠିଆ ହୋଇଥିଲେ।

ଆଜି ପ୍ରଥମ ଥର ପାଇଁ ଆହାର କେନ୍ଦ୍ରକୁ ଆସିଥିବା ସାଲିଆସାହି ନୀଳଚକ୍ରନଗରର ଦିଲ୍ଲୀପ ମୁଣ୍ଡା କହିଛନ୍ତି ଯେ ଝଡ଼ିବର୍ଷାରେ କାମ ମିଳିବା ଦୂରର କଥା ଘରୁ ବାହାରିବା ସମ୍ଭବ ହେଲାନାହିଁ। ରୋଜଗାର ବନ୍ଦ। ଘରେ ପାଣି ପଶିଯିବାରୁ ରୋଷେଇ ବନ୍ଦ। ଅଢ଼େଇ ଦିନ ହେଲା ପିଲାଛୁଆ ଅଧା ପେଟରେ ପଡ଼ିଛନ୍ତି। ତେଣୁ ବାଧ୍ୟ ହୋଇ ପିଲାଛୁଆଙ୍କୁ ଧରି ସକାଳୁ ଏଠି ଧାଡ଼ି ଲଗାଇଛୁ। ଏ ନେଇ ଆହାର କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି ଯେ ନୂଆପଲ୍ଲୀ ଆହାର କେନ୍ଦ୍ରକୁ ପ୍ରତିଦିନ ପ୍ରାୟ ୫୫୦ ଲୋକଙ୍କ ପାଇଁ ମିଲ୍‌ ଆସୁଥିଲା। କରୋନା କଟକଣା ସମୟରେ ଲୋକେ କମ୍ ହେବାରୁ ମିଲ୍‌ ସଂଖ୍ୟା କମାଇ ୩୫୦ କରାଯାଇଥିଲା। ତେବେ କଟକଣା କୋହଳ ହେବା ପରେ ମିଲ୍‌ ସଂଖ୍ୟା ବଢ଼ିଥିଲା। ତେବେ ଆଜି ବର୍ଷା ପରେ ହଠାତ୍ ଲୋକ ସଂଖ୍ୟା ବଢ଼ିବାରୁ ଖାଦ୍ୟ ନିଅଣ୍ଟ ହେଲା।

ସମ୍ବନ୍ଧିତ ଖବର