ଭୁବନେଶ୍ବର: ୩ଦିନ ହେଲା ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ବିଚାରାଧୀନ କଏଦୀ ଓ ବନ୍ଦୀଙ୍କ ପାଇଁ ଟେଲିଫୋନିକ୍‌ ମୁଲାକାତ ସେବା ଠପ୍‌ ହୋଇଯାଇଛି। ଇବିପିଏସ୍‌ ମେସିନ ପୋଡ଼ିଯାଇଥିବାରୁ ଇଣ୍ଟର୍‌କମ୍‌ ଟେଲିଫୋନିକ୍‌ ସାକ୍ଷାତକାର ବ୍ୟବସ୍ଥା  ଅଚଳ ହୋଇପଡ଼ିଛି। ଫଳରେ ଏହି ବ୍ୟବସ୍ଥାରେ ଥିବା ୨୦ ଟେଲିଫୋନ୍‌ ବନ୍ଦ ହୋଇଯାଇଛି। ତେଣୁ ଏବେ କେବଳ ବ୍ୟକ୍ତିଗତ ବା ସିଧାସଳଖ(ଫିଜିକାଲ୍‌) ମୁଲାକାତ ଚାଲିଛି। ସିଧାସଳଖ ମୁଲାକାତ ବ୍ୟବସ୍ଥା ସମୟସାପେକ୍ଷ ହୋଇଥିବାରୁ ଲାଇନ୍‌ରେ ଥିବା କିଛି ଲୋକ ତାଙ୍କ ସମ୍ପର୍କୀୟଙ୍କୁ ଭେଟି ନପାରି ଫେରୁଥିବା ଜଣାପଡ଼ିଛି। ସେହିଭଳି ବ୍ୟକ୍ତିଗତ ମୁଲାକାତରେ ବିପଦ ଆଶଙ୍କା ଥିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ସହ ମୁଣ୍ଡବିନ୍ଧା ବଢ଼ିଛି।  

Advertisment

ସାଧାରଣତଃ ଜେଲ୍‌ରେ ଦୁଇ ପ୍ରକାର ସାକ୍ଷାତକାର ସୁବିଧା ରହିଥାଏ। ଗୋଟିଏ ପୁରୁଣା ପଦ୍ଧତି ବ୍ୟକ୍ତିଗତ(ଫିଜିକାଲ୍‌) ମୁଲାକାତ ଓ ଅନ୍ୟଟି ଇଣ୍ଟର୍‌କମ୍ ଟେଲିଫୋନିକ୍‌ ସାକ୍ଷାତକର। ଇଣ୍ଟର୍‌କମ୍‌ ସାକ୍ଷାତକାର ଲାଗି ନ୍ୟାସନାଲ୍‌ ପ୍ରିଜନ୍‌ ଇନ୍‌ଫର୍‌ମେସନ୍‌ ପୋର୍ଟାଲ୍‌ରେ ପୂର୍ବରୁ ଆବେଦନ କରାଯାଇଥାଏ। ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଅନୁମତି ପାଇବା ପରେ ସାକ୍ଷାତକାର ଚାହୁଥିବା ବ୍ୟକ୍ତିର ସମସ୍ତ ତଥ୍ୟ ରେକର୍ଡ କରାଯାଏ। ଜେଲ୍‌ ଭିତରେ ଗୋଟିଏ ପଟେ ୧୦ଟି ଫୋନ୍‌ ସୁବିଧା ଥିବାବେଳେ ଜେଲ୍‌ ବାହାରେ ସାକ୍ଷାତକାର କୋଠରୀରେ ୧୦ଟି ଫୋନ୍‌ ଥାଏ। ମଝିରେ ଗ୍ଲାସ୍‌ ବାରିୟର୍‌ ରହିଥାଏ। ବନ୍ଦୀ ଓ ମୁଲାକାତ ପାଇଁ ଆସିଥିବା ବ୍ୟକ୍ତି ଗୋଟିଏ ଫୋନ୍‌ରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇପାରନ୍ତି। ଏହି ବ୍ୟବସ୍ଥାରେ ଗୋଟିଏ ସମୟରେ ଏକକାଳୀନ ୧୦ ମୁଲାକାତ ସମ୍ଭବ ହୋଇଥାଏ।

ସିଧାସଳଖ ବା ଫିଜିଲାଲ୍‌ ମୁଲାକାତରେ ବନ୍ଦୀଙ୍କ ସମ୍ପର୍କୀୟ ନିଜର ଆଧାରକାର୍ଡ ଦେଇ ଟିକଟ କରିବା ପରେ ତାଙ୍କୁ ମୁଲାକାତ ସୁଯେଗା ମିଳିଥାଏ। ଜେଲ୍‌ ସୁରକ୍ଷାକର୍ମଚାରୀଙ୍କ ଉପସ୍ଥିତିରେ ବନ୍ଦୀ ଓ ସମ୍ପର୍କୀୟ କଥାବାର୍ତ୍ତା ହୋଇଥାଆନ୍ତି। ଏବେ ଇପିବିଏସ୍‌ ମେସିନ ପ୍ରୋଗ୍ରାମିଂ ମେସିନ ପୋଡ଼ିଯାଇଥିବାରୁ ଟେଲିଫୋନିକ୍‌ ମୁଲାକାତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେସିନକୁ ମରାମତି କରିବା ପାଇଁ ଏକ ଏଜେନ୍‌ସି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରିଜନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟର ୭ଟି ଜେଲ୍‌ରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ହାତକୁ ନିଆଯାଇଛି। ସେଥିରେ ଝାଡପଡ଼ା ଜେଲ୍‌ ରହିଛି। କିନ୍ତୁ ଏବେ ଟେଲିଫୋନିକ୍‌ ମୁଲାକାତ ବନ୍ଦ ହୋଇଯିବା ଦ୍ବାରା ଜେଲ୍‌ର ଅତ୍ୟାଧୁନିକୀକରଣକୁ ନେଇ ପ୍ରଶ୍ନ ସୃଷ୍ଟିହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟକ୍ତିଗତ ମୁଲାକାତ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହୋଇଛି।