ଭୁବନେଶ୍ବର: ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ପଡ଼ିଆକୁ ନେଇ ପୁଣି ଅଶାନ୍ତ ହୋଇଛି ଝାରପଡ଼‌ା। ଦୁର୍ଗାପୂଜା ସରିବା ପରେ ପଡ଼ିଆରେ କଲ୍ୟାଣ ମଣ୍ଡପ ପାଇଁ ବାଉଁଶପୋତାକୁ ‌ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ କଲ୍ୟାଣ ମଣ୍ଡପ ନାଁରେ ବ୍ୟବସାୟ କରି ମନଇଚ୍ଛା ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆଣି ପୁଲିସ ଉପସ୍ଥିତିରେ ବନ୍ଧା ହୋଇଥିବା ବାଉଁଶଗୁଡ଼ିକୁ ଖୋଲି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅପ୍ରୀତିକର ସ୍ଥିତିର ଆଭାସ ପାଇ ସ୍ବୟଂ ଡିସିପି ପିନାକ ମିଶ୍ର ଘଟଣାସ୍ଥଳ‌ରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ତଥାପି ଖବର ଲେଖା ହେବା ସମୟକୁ ଘଟଣାସ୍ଥଳରେ ଉତ୍ତେଜନା ରହିଛି। ପ୍ରାୟ ଏକ ପ୍ଲାଟୁନ ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଏହା ସହିତ ଝାରପଡ଼ା ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି।

Advertisment

ଡିସିପିଙ୍କ ଉପସ୍ଥିତି‌ରେ ବୁଝାସୁଝା ପରେ ବି ଉତ୍ତେଜନା ଜାରି

ସୂଚନାନୁସା‌ରେ, ଦୁର୍ଗାପୂଜାର ପ୍ରାୟ ୪ମାସ ପୂର୍ବରୁ ଝାରପଡ଼ା ଗାଁର କିଛି ଲୋକ ଦୁର୍ଗାପୂଜା କମିଟିକୁ ବିରୋଧ କରି ସେମାନେ ମଣ୍ଡପକୁ କଲ୍ୟାଣ ମଣ୍ଡପରେ ପରିଣତ କରି ବ୍ୟବସାୟ କରୁଥିବା ଅଭିଯୋଗ କରିଥିଲେ। ସେଥିରୁ କେତେ ଟଙ୍କା ମିଳିଛି, ତା’ର ହିସାବ ମଧ୍ୟ ମାଗିଥିଲେ। ଏହାସହ ପୂଜା କମିଟିରେ ଥିବା ଗାଁର ଅନେକ ସଦସ୍ୟଙ୍କୁ ଖର୍ଚ୍ଚ ଅଟକଳ ସହ ଅନ୍ୟାନ୍ୟ ତଥ୍ୟ ବାବଦରେ ଅବଗତ କରାଯାଉନଥିବା ଅଭିଯୋଗ କରାଯାଇଥିଲା। ସେତେବେଳେ ଡିସିପି ଘଟଣାରେ ହସ୍ତକ୍ଷେପ କରିଥିଲେ। ଯେହେତୁ ଜାଗାଟି ସାଧାରଣ ପ୍ରଶାସନ ଅଧୀନରେ ରହିଛି, ତେଣୁ ଯେଉଁ ଗୋଷ୍ଠୀ ଜିଏ ବିଭାଗରୁ ଅନୁମତି ଆ‌ଣିବ, ସେ ହିଁ ସେଠାରେ କଲ୍ୟାଣ ମଣ୍ଡପ କରିବ ବୋଲି ବୁଝାଇଥିଲେ। ଏହାପରେ ଦୁର୍ଗାପୂଜା ସୁରୁଖୁରରେ ହୋଇଯାଇଥିଲା। କିନ୍ତୁ ପୂଜା ସରିବା ପରେ ପୁଣି ମାମଲା ମୁଣ୍ଡ ଟେକିଥିଲା। ଏବେ ବାହାଘର ଋତୁ ଆସୁଥିବାରୁ ଗୋଟିଏ ଗୋଷ୍ଠୀ କଲ୍ୟାଣମଣ୍ଡପ ତିଆରି ପାଇଁ ବାଉଁଶ ପୋତା ଆରମ୍ଭ କରିଥିଲେ, ଯାହାକୁ ଅପରଗୋଷ୍ଠୀ ବିରୋଧ କରିଥିଲେ।

ଏହାକୁ ନେଇ ଆଜି ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲ‌ା‌। ପୁଲିସ ଉପସ୍ଥିତିରେ ଗୋଟିଏ ଗୋଷ୍ଠୀ ମଣ୍ଡପ ପାଇଁ ପୋତାଯାଇଥିବା ବାଉଁଶ କାଢ଼ି ଫୋପାଡ଼ି ଦେଇଥିଲେ। ତା’କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋ‌ଇଥିଲେ। ଖବର ପାଇ ଡିସିପି ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ମୁଖ୍ୟଙ୍କୁ ଥାନାକୁ ଡାକି ବୁଝାଇଥିଲେ। ସାଧାରଣ ପ୍ରଶାସନର ଅନୁମତି ନ ନେଇ କିଛି ନ କରିବାକୁ ଡିସିପିଙ୍କ ଉପସ୍ଥିତିରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହାକୁ ଗୋଟିଏ ଗୋଷ୍ଠୀ ଗ୍ରହଣ ନକରି ସେଠାରୁ ପଳାଇ ଆସିଥିଲେ। ଏହାକୁ ନେଇ ଝାରପଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ରହିଛି।