ଭୁବନେଶ୍ବର: ଗତକାଲି ପର୍ଯ୍ୟନ୍ତ କାନ୍ଥବାଡ଼ର କଳାକୃତିରୁ ଫୁଟି ଉଠୁଥିଲା ଝଲକ। ପାଷାଣ ପ୍ରତିମାମାନଙ୍କ ମୁହଁରୁ ଝରିପଡ଼ୁଥିଲା ଜୀବନ୍ତ ହସର ନିର୍ଝର। ପକ୍ଷୀମାନଙ୍କ କଳରବ‌ରେ କୋଳାହଳମୟ ହୋଇ ଉଠୁଥିଲା ସମଗ୍ର ପରିବେଶ। କିନ୍ତୁ ଆଜି ହଠାତ୍ ସବୁ ନିରବି ଯାଇଛି। ଗୁମୁରି ଗୁମୁରି କାନ୍ଦୁଛନ୍ତି ପାଷାଣ ପ୍ରତିମାମାନେ। ହସ ଲିଭି ଯାଇଛି ସେମାନଙ୍କ ମୁହଁରୁ। ସତେ ଯେମିତି ପାଷାଣ ମୂର୍ତ୍ତିମାନଙ୍କ ଆଖିରୁ ଝରିପଡ଼ୁଛି ଅବାରିତ ଅଶ୍ରୁ। ପକ୍ଷୀମାନଙ୍କ କଳରବ ଶୁଭୁନାହିଁ। ପୂରା ପରିବେଶ ସ୍ତବ୍ଦ ପାଲଟିଯାଇଛି। ଏହା ହେଉଛି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ପରେ ଭୁବନେଶ୍ବର ପୁରୀ ରୋଡସ୍ଥିତ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ୍ ପରିବେଶର ଶୋକାକୁଳ ଅବସ୍ଥାର ଚିତ୍ର। ଦିନେ ବେଶ୍ ଚଳଚଞ୍ଚଳ ଥିବା ଏହି ଅଞ୍ଚଳଟି ଆଜି ଶୂନଶାନ୍ ଓ ଖାଁ ଖାଁ। କୋଣାର୍କ ଚିତ୍ର ଖୋଦିତ କାନ୍ଥବାଡ଼ରୁ ଝରୁଛି ଲୋତକର ବାରି। ସ୍ବର୍ଗତ ମହାପାତ୍ର ଏଠାରେ ଏକ ହଜାରରୁ ଅଧିକ ପାରା, ଘରଚଟିଆ, ବତକ, ହଂସ, ଶୁଆ ଆଦି ସହ ଦେଶ ବିଦେଶର ଅନେକ ପକ୍ଷୀ ପାଳିଥିଲେ। ସେମାନେ ଏବେ ଝୁରୁଛନ୍ତି ତାଙ୍କ ବାବାଙ୍କୁ। ଶୁଆଟି ବାବା,ବାବା ଡାକି ନୟାନ୍ତ ହେଲାଣି।

Advertisment

ପୋଷା କୁକୁରଗୁଡ଼ିକ ମଧ୍ୟ ଉଦାସ ହୋଇ ବସି ରହିଛନ୍ତି। ସେମାନେ ବୁଝି ସାରିଛନ୍ତି ଯେ ସେମାନଙ୍କ ବାବା ଆଉ ଇହ ଜଗତରେ ନାହାନ୍ତି। ଦୁଇ ଦିନ ହେଲାଣି କୌଣସି ପକ୍ଷୀ ଚଞ୍ଚୁକୁ ଦାନାଟିଏ ନେଇନାହାନ୍ତି। କେନ୍ଦ୍ରର ପରିଚାରକଙ୍କ କହିବା କଥା ଦେହ ଖରାପ ହେବା ପୂର୍ବରୁ ଗତ ୧୮ ତାରିଖ ଦିନ ଗୁରୁ ରଘୁନାଥ ଏଠାକୁ ଆସିଥିଲେ। ଏଠାରେ ବେଶ୍‌ କିଛି ସମୟ ବିତାଇଥିଲେ। ପାରାମାନଙ୍କୁ ଖାଇବାକୁ ଦେଇଥିଲେ। ଅତି ଆପଣାର ପାରାଗୁଡ଼ିକ ଜାଣି ପାରିଥିଲେ ବୋଧେ ଏହା ତାଙ୍କ ବାବାଙ୍କ ସହ ଶେଷ ଦେଖା। ତେଣୁ ଗୁରୁଙ୍କୁ ସେଦିନ ସେମାନେ ବହୁ ସମୟ ପର୍ଯ୍ୟନ୍ତ ଘେରି ରହିଥିଲେ ଓ ଛାଡ଼ି ନଥିଲେ। ଗୁରୁ ଯେତେ ଘଉଡ଼େଇଲେ ମଧ୍ୟ ସେମାନେ ତାଙ୍କ ଦେହରୁ ହଟି ନଥିଲେ। ପୋଷା କୁକୁରମାନେ ତ ସେଦିନ ତାଙ୍କ ପିଛା ଛାଡ଼ିନଥିଲେ। ପରେ ସେ କଟକରେ ରହୁଥିବା ତାଙ୍କ ଗୁରୁ ବୁଢ଼ାବାବାଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରୁ ଆସିବା ପରେ ତାଙ୍କ ଦେହ ଖରାପ ହୋଇଥିଲା ବୋଲି ରୁଦ୍ଧ କଣ୍ଠରେ କହିଥିଲେ ଫାଉଣ୍ଡେେସନର ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା ସୀମାଞ୍ଚଳ ପ୍ରଧାନ।
ତାଙ୍କ ପାଖରେ ପ୍ରାୟ ୪୦/୪୫ ଜଣ ଶିଷ୍ୟ ରହି କାମ କରୁଥିଲେ।

କରୋନା ପାଇଁ ଅଳ୍ପ କେତେକଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରେ ରହିଥିଲେ। ଟିଭିରୁ ଏଭଳି ଖବର ଶୁଣି ସେମାନେ ଏବେ ମର୍ମାହତ। ଗୁରୁ ତାଙ୍କୁ ଏତେ ଶୀଘ୍ର ଛାଡ଼ିଯିବେ ବୋଲି ସେମାନେ ବିଶ୍ବାସ କରିପାରୁନାହାନ୍ତି। ଗୁରୁଙ୍କ ସ୍ବପ୍ନ ଦ୍ବିତୀୟ କୋଣାର୍କ ନିର୍ମାଣ କେମିତି ହେବ ଏହା ପଚାରି କାନ୍ଦି ପକାଇଥିଲେ କଟକର ପଙ୍କଜ କୁମାର ସେନାପତି। ସେ କହିଥିଲେ, ଦୀର୍ଘ ୭ ବର୍ଷ ହେଲା ଗୁରୁଙ୍କ ସହ କାମ କରିଆସୁଛୁ। ଗୁରୁ ସବୁବେଳେ ସେମାନଙ୍କୁ ନିଜ ଛୁଆ ଭଳି ଦେଖୁଥିଲେ। ତାଙ୍କ ଦ୍ବାରା ନିର୍ମିତ ଅବିକଳ କୋଣାର୍କର କାନ୍ଥ ଓ କାରୁକାର୍ଯ୍ୟ ଖୋଦିତ ପଥର ମୁର୍ତ୍ତିଗୁଡ଼ିକୁ  ଦେଖି ସେ ସବୁଦିନ ଓଡ଼ିଶାରେ ଦ୍ବିତୀୟ କୋଣାର୍କର ନକ୍ସା ନିଜ ମନରେ ଆଙ୍କୁଥିଲେ। ଗୁରୁଙ୍କ ସହ ସେ ବହୁ ପଥର ମୂର୍ତ୍ତି ଓ ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି ଯାହା ଦେଶ ବିଦେଶରେ ବହୁ ଆଦୃତ ହୋଇଛି। ଆଗକୁ ଗୁରୁ ଛାଡ଼ିଥିବା ଅଧୁରା କାମକୁ ପୂରା କରି ତାଙ୍କର ଓ ତାଙ୍କ ଫାଉଣ୍ଡେସନର ନାମକୁ ପୂର୍ବବତ୍ ବଜାୟ ରଖିବାକୁ ସେ କହିଛନ୍ତି।