ସକାଳେ ଖରା, ଅପରାହ୍ଣରେ ଅଜାଡ଼ିଦେଲା: ୨୪ହଜାର ବଜ୍ରପାତରେ ଥରିଲା

ଭୁବନେଶ୍ବର: ଭୋର ହେବା କ୍ଷଣି ଆକାଶରୁ ଖସୁଥିଲା ନିଆଁ ହୁଳା। ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତହେସ୍ତ ହୋଇପଡ଼ୁଥିଲା। ମଣିଷ ତ ମଣିଷ ଜୀବଜନ୍ତୁ ବି ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିଲେ। ପୂର୍ବାହ୍ନ ୧୧ଟା ୩୦ ବେଳକୁ ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ବରର ଚିତ୍ର ଥିଲା ଏମିତି। ଦିନ ବଢ଼ିବା ସହ ତାପମାତ୍ରା ବି ବଢ଼ିଚାଲିଥିଲା। ମଧ୍ୟାହ୍ନ ୧୨ଟା ୩୦ ବେଳକୁ ଦିନର ତାପମାତ୍ରା ସର୍ବୋଚ୍ଚ ସ୍ତର ଛୁଇଁଥିଲା ଏବଂ ୪୦ ଡିଗ୍ରି ଡେଇଁଯାଇଥିଲା। ରାସ୍ତାଘାଟ ଖାଁ ଖାଁ ହୋଇଯାଇଥିବା ବେଳେ ଲୋକଙ୍କ ଚଳପ୍ରଚଳ ବି କମିଯାଇଥିଲା।

ଅଚନାକ ରାଜଧାନୀ ଆଶାକ ହୋଇଯାଇଥିଲା ଅନ୍ଧାର। ଘୋଟି ଆସିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା ପୂର୍ବରୁ ତୁହାକୁ ତୁହା ପବନ ମାଡ଼ ହୋଇଥିଲା। ତା’ସାଙ୍ଗକୁ ନିର୍ଦ୍ଧୁମ୍‌ ବର୍ଷା ଛେଚିଥିଲା। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ନା’ ଆଗକୁ ରାସ୍ତା ଦେଖାଯାଉଥିଲା, ନା’ ଯାତାୟତ କରିବା ସମ୍ଭବ ହେଉଥିଲା। ଯିଏ ଯେଉଁଠି ଥିଲେ ସେଠାରେ ଅଟକି ରହିଥିଲେ। ଅପରାହ୍ଣ ପ୍ରାୟ ୨ଟା ୨୫ ବେଳକୁ ବିମାନବନ୍ଦର ଅଞ୍ଚଳରେ କିଛି ସମୟ ପାଇଁ ପବନର ବେଗ ଘଣ୍ଟା ପ୍ରତି ୯୩ କିମି ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସହରରେ ବଜ୍ରାପାତର ଭୟାବହତା ଆଖିରେ ଜଳଜଳ ଦେଖାଯାଉଥିଲା। ବିଜୁଳି ମାଡ଼ରେ ଗଛ ଜଳୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ଏହି ସମୟ ମଧ୍ୟରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୨୪ ହଜାର ୭୭୬ ଥର ବିଜୁଳି ମାରିଥିବାର ସୂଚନା ମିଳିଛି।

ଅଧଘଣ୍ଟା‌ଏ କି ଘଣ୍ଟାଏ ନୁହେଁ, ପାଖାପାଖି ୩ ଘଣ୍ଟା ଧରି ଲାଗିରହିଥିବା ବର୍ଷା ପ୍ରଭାବରେ ଲୋକଙ୍କ ବହୁ ପରିମାଣରେ କ୍ଷୟକ୍ଷତି ହୋଇଛି। ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ ଛପର ଉଡ଼ିଯାଇଛି। କାର୍‌ ଉପରେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି। କାଳବୈଶାଖୀ ତାଣ୍ଡବରେ ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଯାଇଛି। ଶତାଧିକ ଗଛ ଭାଡ଼ି ପଡ଼ିବା ଦ୍ବାରା ଯିବା‌ ଆସିବା ପ୍ରଭାବିତ ହୋଇଥିଲା। କେତେକ ଛକରେ ଲାଗିଥିବା ହୋଡିଂ ଉଡ଼ିଯାଇ ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମକ୍ରମେ ରାସ୍ତା ସଫେଇ କରାଯିବା ସହ ସନ୍ଧ୍ୟା ସୁଦ୍ଧା ଜୀବନଯାତ୍ରା ‌ସ୍ବାଭାବିକ ସ୍ଥିତିକୁ ଫେରିଥିଲା। ମାତ୍ର କାଳବୈଶାଖୀ ଦ୍ବାରା କ୍ଷତିଗସ୍ତ ହୋଇଥିବା ବିଦ୍ୟୁତ୍‌ ସେବାକୁ ସମ୍ପୂର୍ଣ୍ଣ ମରାମତି କରାଯାଇପାରି ନାହିଁ। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସହରର କିଛି ଅଞ୍ଚଳରେ ବିଜୁଳି ପୁର୍ନସ୍ଥାପିତ ହୋଇ ନ ଥିବା ସୂଚନା ମିଳିଛି।

ଅନ୍ଧାରରେ ପାତ୍ରପଡ଼ା, ଉଦୟଗିରିବିହାର

ଖଣ୍ଡଗିରି: ଅପରାହ୍ନରେ କାଳବୈଶାଖୀ ଯୋଗୁଁ ଦୀର୍ଘ ସମୟଧରି ପାତ୍ରପଡ଼ା-ଭଗବାନପୁର ଓ ଉଦୟଗିରିବିହାର‌ରେ ବିଜୁଳି ସରବରାହ ବ୍ୟାହତ ହୋଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ‌ହୋଇଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଲାଇନ୍‌ ନଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ସମ୍ପରୁ ପାଣି ଉଠାଇବା ଓ ଘରର ବିଭିନ୍ନ କାମ କରିବାକୁ ଅସୁବିଧା ଭୋଗିଥିଲେ। କିଛି ଲୋକଙ୍କ ଘରେ ସଂଧ୍ୟାରେ ଇନ୍‌ଭର୍ଟର୍‌ରେ ଲାଇଟ୍‌ ଜଳିଥି‌ଲେ ହେଁ ରାତି ବେ‌ଳକୁ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧାର ହୋଇଯାଇଥିଲା। ଏନେଇ କଳିଙ୍ଗବିହାର ବିଦ୍ୟୁତ୍‌ ବିଭାଗ ଜେଇ ସଂଗ୍ରାମ ବିଶ୍ବାଳଙ୍କୁ ଯୋଗାଯୋଗ କରିବ‌ାରୁ ‌‌ସେ କହିଥିଲେ, ୧୧ କେଭି ତାର ଛିଡ଼ି ଥିବାରୁ ଏଭଳି ସମସ୍ୟା ‌ହୋଇଛି।

ଧଉଳିରେ କାଳବୈଶାଖୀର ତାଣ୍ଡବ

ଧଉଳି: ଆଜି ଅପରାହ୍ଣରେ କାଳବୈଶାଖୀ ଝଡ଼ରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧଉଳି ଶାନ୍ତିସ୍ତୂପ ପରିସରରେ ନବନିର୍ମିତ ଏକାଧିକ ଟିଣ ଓ ପ୍ଲାଷ୍ଟିକ୍‌ ସେଡ୍‌ର ଛାତ ଉଡ଼ିଯାଇଛି। ଏହି ସମୟରେ ଶାନ୍ତିସ୍ତୂପରେ ବହୁ ପର୍ଯ୍ୟଟକ ଥିଲେ ବି ସୌଭାଗ୍ୟବଶତଃ କାହାର କିଛି କ୍ଷୟକ୍ଷତି ଘଟିନାହିଁ। ସେହିଭଳି ବୁଦ୍ଧିପଡ଼ା ଗ୍ରାମ ନିକଟରେ ଏକ ବିଶାଳ ବାଉଁଶ ବୁଦା ଝଡ଼ ମାଡ଼ରେ ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବନ୍ଦ ହୋଇଯିବା ସହ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଲାଇନ ବିଚ୍ଛିନ ହୋଇଯାଇଥିଲା।

କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜି ସିଲିଂ ଖସିଲା

ଭୁବନେଶ୍ବର,୨୫/୫(ଇମିସ): ଆଜି ଅପରାହ୍‌ଣରେ ହୋଇଥିବା କାଳବୈଶାଖୀ ପ୍ରଭାବରେ କ୍ୟାପିଟାଲ ହସ୍ପିଟାଲ ପ୍ରଭାବିତ ହୋଇଛି। ହସ୍ପିଟାଲର ପାଥୋଲୋଜିର ସିଲିଂ ଖସି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି ମାତ୍ର ପାଥୋଲୋଜିରେ ଥିବା କିଛି ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ସଂଧ୍ୟାରେ ସିଲିଂର ମରାମତି କରାଯାଇଛି। ଆସନ୍ତାକାଲିଠାରୁ ପୂର୍ବଭଳି ପାଥୋଲୋଜି କାର୍ଯ୍ୟ କରିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖ ଯେ କିଛିବର୍ଷ ପୂର୍ବରୁ ହସ୍ପିଟାଲର ଶିଶୁ ୱାର୍ଡର ଏସ୍‌ଏନ୍‌ସିୟୁର ସିଲିଂ ଖସି ପଡ଼ିଥିଲା। ଏସ୍‌ଏନ୍‌ସିୟୁରେ ବହୁ ସଂଖ୍ୟାରେ ନବଜାତକ ଥିବା ବେଳେ ନର୍ସଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ପ୍ରକାର ଅଘଟଣ ଘଟି ନ ଥିଲା। ନବଜାତକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ବେଶ୍ କିଛିଦିନ ପର୍ଯ୍ୟନ୍ତ ଏସ୍‌ଏନ୍‌ସିୟୁ ବନ୍ଦ ରହିଥିଲା।

ଝଡ଼ରେ ଝୁମ୍ପୁଡ଼ି ଛାରଖାର

ଚନ୍ଦ୍ରଶେଖରପୁର: ଆଜି କାଳବୈଶାଖୀ ଝଡ଼ରେ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳର ବିଭିନ୍ନ ବସ୍ତିରେ ଝୁମ୍ପୁଡ଼ି ଘର ସବୁ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଝଡ଼ ପରେ ହୋଇଥିବା ପ୍ରବଳ ବର୍ଷାରେ ଝୁମ୍ପୁଡ଼ିରେ ମୁଣ୍ଡ ଗୁଞ୍ଜିଥିବା ଲୋକେ ବଡ଼ କଲବଲ ହୋଇଛନ୍ତି। ନୀଳାଦ୍ରିବିହାର ସରସ୍ବତୀ ବସ୍ତିରେ ଦୁଇଜଣଙ୍କ ଝୁମ୍ପୁଡ଼ି ଛପର ଉଡ଼ିଯିବା ପରେ ବର୍ଷା ପାଣିରେ ଘରର ସବୁ ଜିନିଷ ନଷ୍ଟ ହୋଇଯାଇଛି। ସେହିଭଳି ଚୁନୁକୋଳି ବସ୍ତିରେ ଜଣେ ମହିଳାଙ୍କ ଝୁମ୍ପୁଡ଼ି ଛପର ଉଡ଼ିଯିବା ପରେ ବର୍ଷାରେ ଭିଜି ଘରର କାନ୍ଥରୁ ମାଟି ଧସେଇ ପଡ଼ିଛି। ଲାଇନସାହିରେ ଦୁଇ ଜଣଙ୍କ ଘରର ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯାଇଥିବା ଖବର ମିଳିଛି। ସେହିଭଳି ବହୁ ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ରାସ୍ତ‌ା ବନ୍ଦ ହୋଇଯାଇଛି। ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ଓ ଭିଏସ୍‌ଏସ୍‌ନଗର ରାସ୍ତାରେ ଗଛ ଡ଼ାଳ ଭାଙ୍ଗି ପଡ଼ିବା ଦ୍ବାରା ରାସ୍ତା ବନ୍ଦ ହୋଇଯାଇଥିଲା। ଡମଣା ଗାଡ଼କଣ ରାସ୍ତାରେ ବି ଗଛ ଉପୁଡ଼ି ପଡ଼ିଥିଲା। ନନ୍ଦନକାନନ ଜୟଦେବବିହାର ରାସ୍ତାରେ ବିଭିନ୍ନ ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଚନ୍ଦ୍ରଶେଖରପୁର ଦମକଳ ବାହିନୀ ଓ ପୁଲିସ ରାସ୍ତା ଉପରୁ ଗଛଡାଳ ହଟାଇଥିଲେ।

କାର୍‌କୁ ମାଡ଼ିବସିଲା ଆମ୍ବ ଗଛ

ବାରଙ୍ଗ: ଆଜି ବାରଙ୍ଗ ଅଞ୍ଚଳରେ ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ଝଡ଼ର ପ୍ରଭାବ ରହିଥିଲା। ପ୍ରବଳ ବେଗରେ ପବନ ବହିବା ସହ ଘଡ଼ଘଡ଼ି ମାରି କୁଆପଥର ବର୍ଷା ହୋଇଥିଲା। ଏହି ଝଡ଼ ତୋଫାନରେ କେହି ମୃତାହତ ହୋଇନଥିଲେ ହେଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନନ୍ଦନକାନନରୁ ତ୍ରିଶୁଳିଆ ଦେଇ ମୁଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି। ଫଳରେ ଏହି ରାସ୍ତା‌ରେ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କୁହ୍ନେଇପଡ଼ାସ୍ଥିତ ଆଦିମାତା ମନ୍ଦିର ନିକଟରେ ଥିବା ଏକ କାର୍‌ ଉପରେ ବଡ଼ ଆମ୍ବ ଗଛ ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟକୁ କାର୍‌ରେ କେହି ନଥିଲେ। ସେହିଭଳି ନନ୍ଦନକାନନ ପରିସରରେ ରାସ୍ତା ଉପରେ ବି ବହୁ ଗଛ ଉପୁଡ଼ିପଡ଼ିଥିଲା। ବାଘ, ସିଂହ, ଭାଲୁ ସଫାରିରେ ବି ବହୁ ଗଛ ଉପୁଡ଼ି ଯାଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର