ଜଟଣୀ: ମାତ୍ର ଦେଢ଼ ବର୍ଷରେ ଦବିଗଲା ରାସ୍ତାରେ ବିଛାଯାଇଥିବା ପେଭର୍ ବ୍ଲକ୍। ମୁକ୍ତା ଯୋଜନାରେ ଏଥିପାଇଁ ବ୍ୟୟ ହୋଇଥିବା ୪ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ସମସ୍ୟା ଦେଖିବାକୁ ମିଳିଛି ଜଟଣୀ ପୌରାଞ୍ଚଳ ୧୧ନମ୍ବର ୱାର୍ଡସ୍ଥିତ ଏଡିଏସ୍ ସ୍କୁଲ ରାସ୍ତାରେ।
ମୁକ୍ତା ଯୋଜନାର ରାସ୍ତାଠାରୁ ଆରମ୍ଭ କରି ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶୌଚାଳୟ ଆଦି ନିର୍ମାଣ କରାଯାଉଛି। ଏହି ଯୋଜନାରେ ହେଉଥିବା ସମସ୍ତ ପ୍ରକଳ୍ପ ନିର୍ମାଣର ତଦାରଖ ପାଇଁ ୱାର୍ଡ କାଉନ୍ସିଲରମାନେ ଦାୟିତ୍ୱ ବହନ କରୁଛନ୍ତି। ଜଟଣୀ ଅଞ୍ଚଳରେ ଗଢ଼ିଉଠିଥିବା ନୂଆ ନୂଆ କଲୋନିଗୁଡ଼ିକର ରାସ୍ତାର ନବୀକରଣ ଏହି ଯୋଜନାରେ କରାଯାଉଛି। ଦେଢ଼ ବର୍ଷ ପୂର୍ବେ ଏଡିଏସ୍ ସ୍କୁଲକୁ ଲାଗି ରହିଥିବା କଲୋନି ପାଇଁ ୫ଶହ ମିଟର ରାସ୍ତାରେ ପେଭର୍ ବ୍ଲକ୍ ବିଛାଯାଇଥିଲା। ଏଥିପାଇଁ ପାଖାପାଖି ୪ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। କିନ୍ତୁ ଏବେ ରାସ୍ତା ଅବସ୍ଥା ଖରାପ ହୋଇଗଲାଣି।
ରାସ୍ତାର ବହୁ ସ୍ଥାନରେ ପେଭର୍ ବ୍ଲକ୍ଗୁଡ଼ିକ ଉଠିଯିବା ଯାଇଥିବା ବେଳେ କିଛି ସ୍ଥାନରେ ଦବିଯାଇଛି। ସେହିଭଳି କିଛି ସ୍ଥାନରେ ରାସ୍ତାକଡ଼ରୁ ପେଭର୍ ବ୍ଲକ୍ ଧସେଇ ଖସିଯାଇଛି। ଫଳରେ ରାସ୍ତା ସଂକୁଚିତ ହୋଇଗଲାଣି। ତେଣୁ ରାତିରେ ଏହି ରାସ୍ତାରେ ଯାତାୟାତ କରିବା ବିପଜ୍ଜନକ ହୋଇପଡ଼ିଛି। ନିମ୍ନମାନର କାମ ପାଇଁ ଏମିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ କାଉନ୍ସିଲର ଦିଲ୍ଲୀପ ମାର୍ଥା କହିଛନ୍ତି ଯେ ରାସ୍ତାରେ ପେଭର୍ ବ୍ଲକ୍ ପକାଇବା ସମୟରେ ପାଇପ୍ ଲାଇନ୍ ଉପରେ ଢଳେଇ ନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ତେଣୁ ବର୍ଷାରେ ରାସ୍ତାକଡ଼ରୁ ପେଭର୍ ବ୍ଲକ୍ଗୁଡ଼ିକ ଧସେଇଗଲା। ସେହିଭଳି କଲୋନିରେ ନୂତନ ଗୃହ ନିର୍ମାଣ ହେଉଥିବାରୁ ବେଳେବେଳେ ଟ୍ରକ୍ରେ ପଶୁଛି। ତେବେ ବର୍ଷା ଋତୁ ସରିଲା ପରେ ମରାମତି କରାଯିବ ବୋଲି ସେ କହିଛନ୍ତି।