ଗୋଟିଏ ଖଟରେ ଦିବ୍ୟାଙ୍ଗ ପୁଅ ଓ ରୋଗିଣା ସ୍ତ୍ରୀ, ସ୍ତ୍ରୀଙ୍କ ବ୍ରେନ୍‌ ଟ୍ୟୁମର୍‌ ଚିକିତ୍ସା ଚିନ୍ତାରେ ଧରଣୀଧର

ବାଲିଅନ୍ତା: ଘରେ ଗୋଟିଏ ଖଟରେ ପଡ଼ି ରହିଛନ୍ତି ଦିବ୍ୟାଙ୍ଗ ପୁଅ ଓ ରୋଗିଣା ସ୍ତ୍ରୀ। ପୁଅକୁ ମଝିରେ ମଝିରେ ପକା ଉଠା ନକଲେ, ଦେହରେ ଘା’ଘଉଡ଼ ହୋଇଯିବ। ସ୍ତ୍ରୀ ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ହେବା ପରଠାରୁ ଶେଯରେ ପଡ଼ି ରହିଛନ୍ତି। ନିଜେ ଉଠି ବସି ପାରୁନଥିବା ବୁଢ଼ୀ ମା’ ଏସବୁ କାମ କରିବା ସମ୍ଭବ ନୁହେଁ। ବାହାରକୁ ମୂଲପାତି ପାଇଁ ନ ଗଲେ, ନ ଚଳେ। ଏମିତି ସ୍ଥିତିରେ ପଡ଼ିଛନ୍ତି ଧରଣୀଧର। ରୋଗ ଶଯ୍ୟାରେ ସ୍ତ୍ରୀ ଓ ପୁଅ ଯେତିକି କଲବଲ ହେଉଛନ୍ତି, ସେମାନଙ୍କ ଚିନ୍ତାରେ ଅଧିକ ହନ୍ତସନ୍ତ ହେଉଛନ୍ତି ଧରଣୀଧର।

ସ୍ଥାନୀୟ ଭିଙ୍ଗାରପୁର ଗୁଆବାଡ଼ି ସାହିର ଧରଣୀଧର ବେହେରା। ପତ୍ନୀ ମଞ୍ଜୁଲତା ବେହେରା (୨୮), ୭ ବର୍ଷର ଏକମାତ୍ର ପୁଅ ଶକ୍ତିରଞ୍ଜନ ଓ ବୃଦ୍ଧା ମା’ କାଞ୍ଚନବାଳାଙ୍କୁ ନେଇ ଧରଣୀଙ୍କ ପରିବାର। ଜନ୍ମରୁ ପୁଅ ଶକ୍ତି ମସ୍ତିଷ୍କବିକୃତ। ତା’ ସାଙ୍ଗକୁ ଗୋଡ଼ହାତ ବି ଅଚଳ। ତେଣୁ ମଞ୍ଜୁ ନେଉଥିଲେ ଶକ୍ତିର ସବୁ ଦାୟିତ୍ବ। କାଖେଇ କାନ୍ଧେଇ ସ୍ନାନଶୌଚ କରାଇ ଦେଉଥିଲେ। କୋଳେଇ ଖୁଆଇ ଦେଉଥିଲେ। ସବୁବେଳେ ବିଛଣାରେ ପଡ଼ି ରହିବା ଯୋଗୁଁ ଘା’ ଘଉଡ଼ ହୋଇଯାଉଥିଲା। ସେଥିରେ ମଲମ ଲଗାଇ ଦେଉଥିଲେ। ପାଖେ ପାଖେ ଜଗି ରହି କଡ଼ ଲେଉଟାଇ ଶୁଆଇ ଦେଉଥିଲେ। ଧରଣୀ ମୂଲପାତି ଲାଗି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଗତ ୬ ମାସ ହେଲା ପରିବାର ଉପରେ ପଡ଼ିଛି ଦୁର୍ଭାଗ୍ୟର କୋପଦୃଷ୍ଟି। ମଞ୍ଜୁ ବ୍ରେନ୍‌ ଟ୍ୟୁମର୍‌ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ତେଣୁ ଦିବ୍ୟାଙ୍ଗ ଶକ୍ତିର ସେବା କରିବେ କ’ଣ, ତାଙ୍କ ସେବା ପାଇଁ ଧରଣୀଙ୍କୁ ଘରେ ଜଗି ରହିବାକୁ ପଡ଼ୁଛି। ମୂଲପାତି ଲାଗିବା ଏକପ୍ରକାର ବନ୍ଦ ହୋଇଯାଇଛି।

ଫଳରେ ରୋଜଗାର ବି ବନ୍ଦ। ମା’ ପୁଅଙ୍କୁ ଗୋଟିଏ ଖଟରେ ପକାଇ ଜଗି ରହିଛନ୍ତି ଧରଣୀ। ବୁଢ଼ୀ ମା’ କାଞ୍ଚନ କଷ୍ଟେମଷ୍ଟେ ମୁଠାଏ କ’ଣ ଚୁଲିରେ ଫୁଟାଇଲେ, ସମସ୍ତେ ଖାଉଛନ୍ତି। ଖାଇବା ନଖାଇବା ସମାନ। ମଞ୍ଜୁଙ୍କ ଟ୍ୟୁମର୍‌ ଅ‌ପରେସନ୍‌ ପାଇଁ ୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି। ଟ୍ୟୁମର୍‌ ବଢ଼ୁଥିବାରୁ ବିଳମ୍ବ ହେଲେ କ୍ୟାନସର୍‌ ଆଡ଼କୁ ଗତି କରିବାର ଆଶଙ୍କା ରହିଛି ବୋଲି ଡାକ୍ତର ସତର୍କ କରାଇ ଦେଇଛନ୍ତି। କିନ୍ତୁ ପାଞ୍ଚ ଲକ୍ଷ କିଏ, ଦିନ ମଜୁରିଆ ଧରଣୀ କିଏ! ଘର ଡିହ ଚେନାକ ଛାଡ଼ିଦେଲେ, ଅନ୍ୟ କିଛି ସମ୍ବଳ ନାହିଁ। ତେଣୁ ଭଗବାନଙ୍କ ଭରସାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଧରଣୀ। ସରକାରୀ ସାହାଯ୍ୟ କିମ୍ବା ବଦାନ୍ୟ ବ୍ୟକ୍ତି ବା ସଂଗଠନର ସହଯୋଗ ମିଳିଲେ, ଧରଣୀଙ୍କ ଦୁର୍ଦ୍ଦଶା ଲାଘବ ହୋଇପାରନ୍ତା। ତେଣୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଇଚ୍ଛୁକ ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ମାବାଇଲ ନଂ ୮୪୫୭୮୭୨୪୮୦ ରେ ଯୋଗାଯୋଗ କରିବାକୁ ଧରଣୀ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର