ଭୁବନେଶ୍ୱର: ଶୁକ୍ରବାର ଗୋଟିଏ ଦିନରେ ଏକସଙ୍ଗରେ ୭ ଜଣ ଏମ୍‌ସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଲେ। ଏହାପରଠାରୁ ଅଧିକାଂଶ ଅଣକୋଭିଡ୍‌ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର। ଏହାଛଡ଼ା ଗତ ତିନି ଦିନ ହେଲା ଆଇପିଡିର ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ବିନା ଚିକିତ୍ସାରେ ରୋଗ ଯନ୍ତ୍ରଣା ସହିତ ସଟ୍‌ଡାଉନ ସ୍ଥିତି ରୋଗୀ, ପରିଜନଙ୍କ ଦୁଃଖ କାହିଁରେ କେତେ ବଢ଼ାଇ ଦେଇଛି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌ ଯୋଗୁଁ ରୋଗୀଙ୍କ ଦୁଃଖ ଯେତିକି ବଢ଼ୁଛି, ଅଣକୋଭିଡ୍‌ ରୋଗୀଙ୍କ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଛି। ସୋମବାରଠାରୁ ୧୦ ଜରୁରୀ ସେବା ବ୍ୟତୀତ ଓପିଡି ବନ୍ଦ ପାଇଁ ଘୋଷଣା କରିଥିଲେ ଏମ୍‌ସ କର୍ତ୍ତୃପକ୍ଷ। ଏହା ପୂର୍ବରୁ ରୋଗୀଙ୍କୁ ଏହିଭଳି ଫେରାଇ ଦେବା ସେମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବିଡ଼ମ୍ବନା ହେଲା, ରୋଗୀଙ୍କ ଏଭଳି ଦୁର୍ଦ୍ଦଶାରୁ ଫାଇଦା ଉଠାଇ ଦୁଇରୁ ତିନି ଗୁଣ ଅଧିକ ଭଡ଼ା ଆଦାୟ କରିଛନ୍ତି ଅନେକ ଗାଡ଼ି, ଅଟୋ ଚାଳକ।

Advertisment

କାନ ପାଚି ଯାଇଥିବାରୁ ଚିକିତ୍ସା ପାଇଁ ଏମ୍‌ସ ଆସିଥିଲେ ବାଲେଶ୍ବର ଜିଲ୍ଲାର ସସ୍ମିତା ଜେନା(୩୪)। ଘରୋଇ ଡାକ୍ତରଖାନାରେ ଚିକିତ୍ସା କଲେ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏମ୍‌ସରେ ସ୍ବଳ୍ପ ଖର୍ଚରେ ଉନ୍ନତମାନର ଚିକିତ୍ସା ପାଇଁ ଦୌଡ଼ି ଆସିଥିଲେ। ଅସ୍ତ୍ରୋପଚାର ପାଇଁ ୨୪ ତାରିଖର ଦିନ ଧାର୍ଯ୍ୟ ହୋଇଥିଲା। ନିର୍ଧାରିତ ଦିନରେ ପହଞ୍ଚିବା ବେଳକୁ ଡାକ୍ତର ଫେରାଇ ଦେବା ପରେ ଯେଉଁଭଳି ଅବସ୍ଥା ହେଲା ତାହାକୁ ସସ୍ମିତା ଓ ତାଙ୍କ ସ୍ବାମୀ ଭୁଲି ପାରିବେ ନାହିଁ। ସଟ୍‌ଡାଉନ ଯୋଗୁଁ ଦୀର୍ଘ ୪ ଘଣ୍ଟା ଟାଉନ ବସ୍ ପାଇଁ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ ବସ୍ ମିଳି ନଥିଲା। ଅସୁବିଧାର ଫାଇଦା ଉଠାଇ ଅଟୋ ଚାଳକମାନେ ଷ୍ଟେସନ ନେବା ପାଇଁ ୫୦୦ ଟଙ୍କା ଦାବି କରିଥିଲେ। ଅନୁରୋଧ ପରେ ସେମାନେ ୩୦୦ ଟଙ୍କା ଦେଇ ଷ୍ଟେସନ ଯାଇଥିଲେ। ଭଦ୍ରକ ଜିଲ୍ଲାରୁ ଆସିଥିବା ଯୁଧିଷ୍ଠିର ଦାସ( ୫୬ )ଙ୍କ ସ୍ଥିତି ମଧ୍ୟ ଆହୁରି ଦୁଃଖଦ ଥିଲା। ପେଟରେ ଷ୍ଟୋନ୍ ହୋଇଥିବାରୁ ସେ ମାର୍ଚ୍ଚ ୧ ତାରିଖରେ ଏମ୍‌ସ ଆସିଥିଲେ। ସବୁ ପରୀକ୍ଷା କରି ଆସିଲେ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର କହିଥିଲେ। ସେ ୭ ଦିନ ଆଗରୁ ଆସି ଯାତ୍ରୀ ବିଶ୍ରାମାଗାରରେ ରହି ପରୀକ୍ଷା କରାଇଥିଲେ।

ଆଜି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ତାରିଖ ଦେଇଥାନ୍ତେ, ହେଲେ ତାଙ୍କୁ ମଧ୍ୟ ନିରାଶ ହେଇ ଫେରିବାକୁ ପଡ଼ିଛି। ଅସ୍ତ୍ରୋପଚାର ତାରିଖ ଦେବେ କ’ଣ ଘରକୁ ଫେରିଯିବା ପାଇଁ କହିଥିଲେ। ପୂର୍ବାହ୍ନ ୧୧ ଟାରୁ ୩ ଟା ଯାଏ ସେ ମଧ୍ୟ ଟାଉନ ବସ୍ ପାଇଁ ଅପେକ୍ଷା କରିଥିଲେ। ହେଲେ ବସ୍ ପାଇ ନଥିଲେ। ଶେଷରେ ସେ ଅଟୋ ଭଡ଼ା କରି ଷ୍ଟେସନ ଯାଇଥିଲେ। ଏହା କେବଳ କିଛି ଉଦାହରଣ ମାତ୍ର। ଏମ୍‌ସର ଅନେକ ଅଣକୋଭିଡ୍‌ ରୋଗୀ ଆଜି ଏହିଭଳି ସ୍ଥିତିର ସାମ୍ନା କରିଛନ୍ତି।

ବଙ୍ଗାଳୀ ରୋଗୀଙ୍କ ଦୁଃଖ ତ କାହିଁରେ କେତେ...
ମେଦିନୀପୁରର ୬୫ ବର୍ଷୀୟ ନଗେନ୍ଦ୍ର ପାତ୍ର ଅଚାନକ ଅସୁସ୍ଥ ହେବାରୁ ଅନ୍ୟ କିଛି ରୋଗୀଙ୍କ ସହିତ ଗାଡ଼ି ଭଡ଼ା କରି ଏମ୍‌ସ ଆସିଥିଲେ। ମାତ୍ର ଏଠି ପହଞ୍ଚିବା ପରେ ଡାକ୍ତର ତାଙ୍କର ପ୍ରାଥମିକ ଉପଚାର ପରେ ଘରକୁ ଫେରାଇ ଦେଇଥିଲେ। ବର୍ତ୍ତମାନ କୋଭିଡ୍‌ ପରିସ୍ଥିତି ଯୋଗୁଁ ସୋମବାରଠାରୁ ସମସ୍ତ ବିଭାଗ ବନ୍ଦ ହେଉଛି, ତେଣୁ ଘରକୁ ଫେରି ଯାଆନ୍ତୁ ବୋଲି କୁହାଯାଇଥିଲା। ତାଙ୍କ ସହିତ ଆସିଥିବା ଅନ୍ୟ ରୋଗୀଙ୍କୁ ମଧ୍ୟ ଡାକ୍ତର ସେହିଭଳି ପରାମର୍ଶ ଦେଇଥିଲେ। କାହାରି ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇନଥିଲା।
ନଗେନ୍ଦ୍ରଙ୍କ କହିବା ଅନୁସାରେ, ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟପରୀକ୍ଷା ପାଇଁ ଏଠିକୁ ଆସିଥିଲେ। ମାତ୍ର ବିନା ଚିକିତ୍ସାରେ ଫେରିବାକୁ ପଡ଼ିବ। ସେଥିରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ ଥିବାରୁ କ’ଣ କରିବେ ତାଙ୍କ ମୁଣ୍ଡ କାମ କରୁନଥିବା କହିଛନ୍ତି। ୫୪ ବର୍ଷୀୟ ନିମାଇଁ ମଣ୍ଡଳ କହିଛନ୍ତି, ସେ ଏଠାରେ ଚିକିତ୍ସିତ ହେଉଥିଲେ, କିଛି ଦିନ ମଧ୍ୟରେ ଡିସଚାର୍ଜ ହୋଇଥାଆନ୍ତେ। ମାତ୍ର ଅଚାନକ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ ଖବର ଶୁଣି ତାଙ୍କ ଚିନ୍ତା ବଢ଼ି ଯାଇଛି। ଏଥିଯୋଗୁଁ ଅଧା ଚିକିତ୍ସା କରି ଘରକୁ ଫେରି ଯାଉଛନ୍ତି। ପଶ୍ଚିମବଙ୍ଗକୁ ବସ୍‌ ସେବା ବନ୍ଦ ରହିଛି। ଷ୍ଟେସନକୁ ଯିବେ, ଟିକେଟ ମିଳିଲେ ଘରକୁ ଫେରିବେ, ନଚେତ କ’ଣ କରିବେ କିଛି ଜାଣି ପାରୁନଥିବା କହିଛନ୍ତି ଏହି ପ୍ରୌଢ଼ ଦମ୍ପତି।