ସେପ୍ଟେମ୍ବରରେ ମଦ‌, ପେଟ୍ରୋଲରୁ ୮୦୮ କୋଟି ଭାଟ୍‌

ଜିଏସଟି ଆଦାୟରେ ୪୦% ବୃଦ୍ଧି, ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ

ଭୁବନେଶ୍ବର, ୨/୧୦(ଇମିସ): ଚଳିତବର୍ଷ ସେପ୍ଟେମ୍ବରରେ ଓଡ଼ିଶା ସରକାର ମଦ ଓ ପେଟ୍ରୋଲଜାତୀୟ ଉତ୍ପାଦରୁ ଭାଟ୍ ବାବଦରେ ୮୦୭.୮୧ କୋଟି ଟଙ୍କା ଆଦାୟ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ସରକାର ଏହି ଦୁଇ ପ୍ରକାର ଉତ୍ପାଦରୁ ୫୭୭.୨୭ କୋଟି ଟଙ୍କାର ଭାଟ୍ ଆଦାୟ କରିଥିଲେ। ତେଣୁ ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ଭାଟ୍ ଆଦାୟରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି।

ଏଥିସହିତ ରାଜ୍ୟରେ ଚଳିତବର୍ଷ ସେପ୍ଟେମ୍ବରରେ ମୋଟ ୩୩୨୫.୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ୨୦୨୦ ସେପ୍ଟେମ୍ବରରେ ଆଦାୟ ହୋଇଥିବା ଜିଏସ୍‌ଟି ରାଶି ୨୩୮୩.୯୯ କୋଟି ଟଙ୍କା ତୁଳନାରେ ଏହା ୪୦ ପ୍ରତିଶତ ଅଧିକ ରହିଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସଟି ଆଦାୟ ହାର ସର୍ବାଧିକ ରହିଛି। ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଜିଏସଟି ଆଦାୟ ୨୦୩୦୩.୮୬ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ୨୦୨୦ ସେପ୍ଟେମ୍ବର ସୁଦ୍ଧା ୧୨୨୭୨.୯୮ କୋଟି ଟଙ୍କା ରହିଥିଲା। ଅର୍ଥାତ ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ମଧ୍ୟରେ ଜିଏସ୍‌ଟି ଆଦାୟରେ ୬୫.୪୪ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ସଂଗ୍ରହରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ ସେପ୍ଟେମ୍ବରରେ ୯୨୯.୬୮ କୋଟି ଟଙ୍କାର ଏସ୍‌ଜିଏସ୍‌ଟି ଆଦାୟ ହୋଇଥିବାବେଳେ ଗତବର୍ଷ ସେପ୍ଟେମ୍ବରରେ ଏହା ୬୩୧.୦୮ କୋଟି ଟଙ୍କା ଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷ ସୁଦ୍ଧା ମୋଟ ଏସ୍‌ଜିଏସ୍‌ଟି ସଂଗ୍ରହ ୫୭୬୬.୪୩ କୋଟି ଟଙ୍କା ରହିଛି, ପୂର୍ବ ଆର୍ଥିକ ବର୍ଷର ସେପ୍ଟେମ୍ବର ମଧ୍ୟରେ ଏହି ପରିମାଣ ଥିଲା ୩୬୭୧.୪୫ କୋଟି ଟଙ୍କା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୫୭.୦୬ ପ୍ରତିଶତ ରହିଛି। ସେହିଭଳି ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ସମନ୍ବିତ ଜିଏସଟି(ଆଇଜିଏସଟି) ଏବଂ ସେସ୍‌ ବାବଦରେ ଯଥାକ୍ରମେ ୭୭୨.୯୩ କୋଟି, ୯୯୬.୪୮ କୋଟି ଏବଂ ୬୨୬.୮୫ କୋଟି ଟଙ୍କା ଆଦାୟ ‌ହୋଇଛି ଯାହାକି ଯଥାକ୍ରମେ ୫୫.୪୬ ପ୍ରତିଶତ, ୩୦.୫୬ ପ୍ରତିଶତ ଏବଂ ୨୭.୨୮ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।

ଚଳିତ ଆର୍ଥିକବର୍ଷରେ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ୨୧୯୦୫ ସଂଖ୍ୟକ ନୋଟିସ ଜାରି କରାଯାଇଛି। ଏଥିସହିତ ୪୩୦୩ ସଂଖ୍ୟକ ଆସେସ୍‌ମେଣ୍ଟ ହାତକୁ ନିଆଯାଇଛି। ଉତ୍ପାଦ ଶିଳ୍ପ ଏବଂ ଖଣି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଆଦି କାରଣରୁ ରାଜ୍ୟରେ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ଏଥିସହିତ ଟିକସ ଫା‌ଙ୍କି ଏବଂ ଜାଲ୍‌ ବିଲ୍‌ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଟିକସ ବୃଦ୍ଧିରେ ସହାୟକ ‌ସାବ୍ୟସ୍ତ ହୋଇଛି।

ସେପ୍ଟେମ୍ବରରେ ମୋଟ ୧୩.୬୭ ଲକ୍ଷ ଇ-ୱେ ବିଲ୍‌ ନିର୍ଗମନ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ଏହି ସଂଖ୍ୟା ୧୨.୩୩ ଲକ୍ଷ ଥିଲା। ନିୟମିତ ସର୍ଭେ ଏବଂ ପଞ୍ଜୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ସଂସ୍ଥା ତରଫରୁ କ୍ରମାଗତ ପ୍ରୟାସ ଜାରି ରହିଛି। ଚଳିତ ଆର୍ଥିକ ବର୍ଷରେ ୨୨୦୮୬ ସଂଖ୍ୟକ ନୂଆ ଟିକସଦାତାଙ୍କୁ ଜିଏସ୍‌ଟି ଆଇନ ପରିସରଭୁକ୍ତ କରାଯାଇଛି। ଏହାବାଦ୍, ଜାଲ୍ କ୍ରେଡିଟ୍ ଦାବି କରି କିମ୍ବା ଅନ୍ୟକୁ ହସ୍ତାନ୍ତର କରି ରାଜ୍ୟ ଟିକସ ରାଜସ୍ବକୁ ପ୍ରଭାବିତ କରୁଥିବା ୪୦୦୦ ଜାଲ୍‌ ପଞ୍ଜୀକୃତ ଟିକସଦାତାଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ସ୍ବତନ୍ତ୍ର ‘ପଞ୍ଜୀକରଣ ପରବର୍ତ୍ତୀ ଯାଞ୍ଚ’ ଅଭିଯାନ ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଥ୍ୟ ବି‌ଶ୍ଳେଷଣ ବ୍ୟବସ୍ଥାର ଉପଯୋଗ କରି ଭୂଲ ରିଟର୍ଣ୍ଣ ଦାଖଲକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଆଇନ ଅନୁଯାୟୀ ଟିକସ ଆଦାୟ କରିବା ପାଇଁ ନିକଟରେ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ଆୟୁକ୍ତ ସୁଶୀଲ କୁମାର ଲୋହାନୀ କ୍ଷେତ୍ରୀୟ ଅଧିକାରୀମାନଙ୍କର ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି। ସଚ୍ଚୋଟ ଟିକସଦାତାମାନେ ଯେଭଳି କୌଣସି ‌ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର