ଭୁବନେଶ୍ବର: ବିଶିଷ୍ଟ ଗବେଷକ ତଥା ଜନପ୍ରିୟ ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ୨୬ତମ ସ୍ମୃତିଦିବସ ପରିପ୍ରେକ୍ଷୀରେ ‘ଶାରଳା ସ୍ମାରକ’ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଗଣେଶ ପରିଜା ସ୍ମାରକୀ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗବେଷକ ପ୍ରଫେସର ନଟବର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଦୁର୍ଗାପୂଜା ଓ ତନ୍ତ୍ର ପରମ୍ପରା’ଶୀର୍ଷକ ବିଷୟ ଉପରେ ମତ ଦେଇଥିଲେ। ଭାରତରେ ଦୁର୍ଗାପୂଜା ହେଉଛି ତନ୍ତ୍ର ପରମ୍ପରାର ଗୋଟିଏ ରୂପ। ତନ୍ତ୍ର ମତରେ ନାରୀ ହେଉଛି ଭୂମି ସ୍ବରୂପିଣୀ। ପ୍ରାଚୀନ ଦୁର୍ଗାପୂଜା ଅନ୍ତରାଳେ ରହିଛି ପ୍ରାଚୀନ ଲୋକସଂସ୍କୃତିର ନିଦର୍ଶନ। ଏହି ସଂସ୍କୃତି ମନେପକାଇ ଦିଏ ଯେ କୃଷି ଦିନେ ଥିଲା ନାରୀର ଆବିଷ୍କାର ଓ ସେ ପୁରୁଷର ଆଗରେ ଚାଲି ତାର ଆବିଷ୍କୃତ କୃଷି ସମ୍ପଦକୁ ପୁରୁଷକୁ ଚିହ୍ନାଇ ଦେଉଥିଲା। ସେ ଥିଲା ସମାଜର ଅଗ୍ରନାୟିକା। ମାତ୍ର ପୁରୁଷପ୍ରଧାନ ସମାଜରେ ନାରୀ ହୋଇଛି ବନ୍ଦୀ ଓ ପୁରୁଷର ଉପଭୋଗ୍ୟା। ନାରୀକୁ ଯଥା ସମ୍ମାନ ଦେବା, ଦୁର୍ଗାପୂଜାର ଉଦ୍ଦେଶ୍ୟ ବୋଲି ଶ୍ରୀ ଶତପଥୀ କହିଥିଲେ।
‘ଶାରଳା ସ୍ମାରକ’ର ସଭାପତି ପ୍ରଫେସର ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା ପ୍ରଶାନ୍ତ ନନ୍ଦ ଦୁର୍ଗାପୂଜାର ମାହାତ୍ମ୍ୟ ଏବଂ ସାଂପ୍ରତିକ ସମୟରେ ଦୁର୍ଗାପୂଜା ପାଳନରେ ଘଟୁଥିବା ବିଲକ୍ଷଣ ସମ୍ପର୍କରେ ମତ ରଖିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ନିଜ ବକ୍ତବ୍ୟରେ ଗଣେଶ ପ୍ରସାଦ ପରିଜାଙ୍କର ସାରସ୍ବତ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବର୍ଗତ ପରିଜାଙ୍କ ଲେଖାଗୁଡ଼ିକୁ ଏକତ୍ର କରି ପୁସ୍ତକର ରୂପ ଦେବାକୁ ପ୍ରସ୍ତାବ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଐତିହ୍ୟ ଗବେଷକ ଡ.ସୁନୀଲ ପଟ୍ଟନାୟକଙ୍କୁ ଅଷ୍ଟମ ‘ଗଣେଶ ପରିଜା ସମ୍ମାନ-୨୦୨୫’, ଗାଳ୍ପିକା ସ୍ବାଗତିକା ମିଶ୍ରଙ୍କୁ ‘ଗଣେଶ ପରିଜା ଗଳ୍ପ ସମ୍ମାନ-୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶାରଳା ସ୍ମାରକର ଉପସଭାପତି ଭାଷାବିତ୍ ଦେବଶିଷ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶାରଳା ସ୍ମାରକର ସମ୍ପାଦକ ଦେବପ୍ରସାଦ ପରିଜା ପିତା ସ୍ବର୍ଗତ ପରିଜାଙ୍କ ସ୍ମୃତିଚାରଣ କରିଥିବା ବେଳେ ସାହିତ୍ୟିକ ଶତ୍ରୁଜିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନର ସଂଯୋଜିକା ନୀଳିମା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।