ପରଲୋକରେ ଭାଇସ୍‌ ଆଡ୍‌ମିରାଲ୍‌ ଶ୍ରୀହରିଲାଲ୍‌ ଶର୍ମା

ଭୁବନେଶ୍ବର: ପୂର୍ବତନ ଭାଇସ୍‌ ଆଡ୍‌ମିରାଲ୍‌ ଶ୍ରୀହରିଲାଲ୍‌ ଶର୍ମାଙ୍କ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ‌ ସୋମବାର ସନ୍ଧ୍ୟା ୬ଟା ୨୦ରେ ତାଙ୍କର ପରଲୋକ ହୋଇଛି। କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାରଲୋକ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୩ଦିନ ତଳେ ଭେଣ୍ଟିଲେଟର୍‌ରୁ ବାହାରକୁ ଅଣାଯାଇଥିଲା। ହେଲେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସାନପୁଅ ନବୀନ ଶର୍ମା କହିଛନ୍ତି। ଆସନ୍ତାକାଲି ତାଙ୍କ ମରଶରୀରକୁ ହସ୍ପିଟାଲ୍‌ରୁ ନୀଳକଣ୍ଠନଗରସ୍ଥିତ ବାସଭବନକୁ ଅଣାଯିବ। ସାଢ଼େ ୧୨ଟାରେ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ-ଅଫ୍‌-ଅନର୍‌ ଦିଆଯାଇ ଅପରାହ୍‌ଣ ୪ଟାରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବ। ଗତ ଡିସେମ୍ବର ୧ରେ ଶ୍ରୀ ଶର୍ମା ତାଙ୍କର ଶହେ ତମ ଜନ୍ମ ଉତ୍ସବ ପାଳନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ରବଧୂ ନଳୀନ ଶର୍ମା, ନାତି କ୍ୟାପ୍‌ଟେନ୍‌ ଅନୋଜ ଶର୍ମା ଓ ସମ୍ପର୍କୀୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଭାଇସ୍‌-ଆଡମିରାଲ ଏସ୍‌.ଏଚ୍‌ ଶର୍ମା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଥିଲେ। ସେ ‘ପରମ ବିଶିଷ୍ଟ ସେବା ପଦକ’ ଲାଭ କରିଛନ୍ତି। କିଛି ଦିନ ତଳେ ଏହି ବିଜୟର ସ୍ମାରକୀ ‘ସ୍ବର୍ଣ୍ଣିମ ବିଜୟ ମଶାଲ’କୁ ତାଙ୍କ ବାସଭବନକୁ ଅଣାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଶର୍ମା ୧୯୬୫ରେ ଏନ୍‌ଡିଏ (ନାସନାଲ ଡିଫେନ୍ସ ଏକାଡେମି)ରେ ଯୋଗ ଦେଇଥିଲେ।

ଏନ୍‌ଡିଏରୁ ତାଲିମ ଶେଷ କରି ୧୯୬୮ଜୁନ୍‌ରେ ଆଇଏମ୍‌ଏ (ଇଣ୍ଡିଆନ୍ ମିଲିଟାରି ଏକାଡେମି)ରେ ଗୋଟିଏ ବର୍ଷ ତାଲିମ ନେଇ କମିସନ୍ ପାଇଥିଲେ ଏବଂ ୧୯୬୯ ଜୁନ୍‌ରେ ଡୋଗ୍ରା ରେଜିମେଣ୍ଟ୍‌ର ୧୫ଡୋଗ୍ରାରେ ସବୁଠୁ ଜୁନିଅର ଅଫିସର୍‌ ଭାବେ ଯୋଗ ଦେଇଥିଲେ।
ଶ୍ରୀ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ବକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ ବୋଲି ସେ କହିଛନ୍ତି। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର