ରାଜଧାନୀରେ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌: ଲାଭ ଉଠାଉଛନ୍ତି ୮ ହଜାର

ନିଅଣ୍ଟ ହେଲାଣି, ଅତିରିକ୍ତ ଚାଉଳ ଯୋଗାଣ ପାଇଁ ଆବେଦନ

ଭୁବନେଶ୍ବର: ରାଜଧାନୀରେ ୱାନ୍‌ ନେସନ୍‌ ୱାନ୍‌ ରାସନର ଲାଭ ଉଠାଉଛନ୍ତି ୮ ହଜାର ପ୍ରବାସୀ। ପ୍ରତି ମାସରେ ପ୍ରାୟ ୧୦୦ରୁ ୨୦୦ ପ୍ରବାସୀ ଏହାର ଲାଭ ପାଇଁ ଆବେଦନ କରୁଛନ୍ତି। କିଛି ଏହାର ସୁଯୋଗ ପାଉଛନ୍ତି ତ ଅନେକ ନିରାଶ ମଧ୍ୟ ହେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରକୁ ଦିଆଯାଉଥିବା ଚାଉଳ ନିଅଣ୍ଟ ପଡ଼ୁଥିବାରୁ ଅତିରିକ୍ତ ୩୦୦ କ୍ବିଣ୍ଟାଲ ଦେବା ପାଇଁ ଭୁବନେଶ୍ବର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ୩ ଲକ୍ଷରୁ ଅଧିକ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଜଗାର ପାଇଁ ଏଠାକୁ ଆସୁଛନ୍ତି। ସେମାନେ ଭୁବନେଶ୍ବରରେ ରହୁଥିଲେ ମଧ୍ୟ ରାସନ୍‌ କାର୍ଡ ସେମାନଙ୍କ ଗାଁରେ ରହିଛି। ଏଥିଯୋଗୁଁ ପୂର୍ବରୁ ଟଙ୍କିକିଆ ଚାଉଳ ପାଇଁ ଖର୍ଚାନ୍ତ ହୋଇ ଅନେକଙ୍କୁ ଗାଁକୁ ଯିବାକୁ ପଡ଼ୁଥିଲା। ଅଧିକାଂଶ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୁଅନ୍ତି। ଟଙ୍କିକିଆ ଚାଉଳର ଲାଭ ଉଠାଇ ନପାରି ଖର୍ଚାନ୍ତ ହୁଅନ୍ତି। ନିଜ ଦେଶ ଏବଂ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ପ୍ରତି ସରକାରଙ୍କ ସାବତ ସନ୍ତାନ ବ୍ୟବହାରକୁ ଉପଲବ୍ଧ କରି ସରକାର ୱାନ୍‌ ନେସନ୍‌ ୱାନ୍‌ ରାସନ ଯୋଜନା ପ୍ରସ୍ତୁତ କଲେ। ଯାହାକି ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ଏଥି ଅନ୍ତର୍ଗତରେ ଦେଶର ଯେ କୌଣସି ଅଞ୍ଚଳର ବ୍ୟକ୍ତି ନିଜ ରାସନ କାର୍ଡରେ ଯେକୌଣସି ସ୍ଥାନରେ ଥାଇ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ନେଇପାରିବ। ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ। ୨୦୨୦-୨୧ ମସିହାରେ ଏଠାରେ ୫୨.୨୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉତ୍ପାଦିତ ହୋଇଥିଲା।

ଏଥିରୁ ରାଜ୍ୟ ନିଜ ପାଖରେ ୩୩.୩ଲକ୍ଷ ମେଟ୍ରିକ ଟନ ରଖିଲା ଓ ବଳକା ୧୮.୯୯ ଲକ୍ଷ ମେଟ୍ରିକ ଟନ ଏଫ୍‌ସିଆଇକୁ ଦେଇଥିଲା। ଯାହା ଅନ୍ୟ ରାଜ୍ୟର ଚାଉଳ ଆବଶ୍ୟକତା ଦୂର କରିଛି। ବର୍ଷାଧିକ ସମୟ ହେଲା, ଚାଉଳରେ ଓଡ଼ିଶା ବଳକା ରାଜ୍ୟ ହୋଇ ଆସିଛି। ମାତ୍ର ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ ଅନ୍ତର୍ଗତରେ ପ୍ରବାସୀଙ୍କୁ ଚାଉଳ ଦେବା ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କଲେ। କିନ୍ତୁ ସେମାନଙ୍କ ପାଇଁ ଅତିରିକ୍ତ ଚାଉଳ ଆଲଟମେଣ୍ଟ ହେଲା ନାହିଁ। ଏଥିଯୋଗୁଁ ଅଧିକାଂଶ ସମୟରେ ରାଜଧାନୀରେ ରହୁଥିବା ବାହାର ରାଜ୍ୟ କିମ୍ବା ଜିଲ୍ଲାର ଲୋକଙ୍କୁ ଚାଉଳ ପାଇଁ ଦହଗଞ୍ଜ ହେବାକୁ ପଡ଼ିଥାଏ। ସ୍ଥାନୀୟ ଗ୍ରାହକ ଚାଉଳ ନେଇ ସାରିବା ପରେ ବିତରଣ କେନ୍ଦ୍ରରେ ବଳକା ଚାଉଳ ପ୍ରବାସୀମାନଙ୍କୁ ଦିଆଯାଏ। ଏଥିଯୋଗୁଁ ଅନେକ ସମୟରେ ଅନେକ ପ୍ରବାସୀ ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରନ୍ତି। ପିଡିଏସ୍‌ କେନ୍ଦ୍ର ପକ୍ଷରୁ କୁହାଯାଏ ସେମାନଙ୍କୁ ଅତିରିକ୍ତ ଚାଉଳ ଆସୁ ନଥିବାରୁ ବଳକା ଚାଉଳ ହିଁ ସେମାନେ ଦେଇପାରିବେ। ନଚେତ ସେମାନଙ୍କ ଗ୍ରାହକଙ୍କ ପାଇଁ ଅସୁବିଧା ହେବ। ଭୁବନେଶ୍ବର ଏଡିଏମ୍‌ଙ୍କ ଅନୁସାରେ, ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ କାର୍ଯ୍ୟକାରୀରେ କୌଣସି ଅସୁବିଧା ନାହିଁ। ପ୍ରତ୍ୟେକ ଡିଲରକୁ କାର୍ଡ ଅନ୍ତର୍ଗତରେ ୮୦ ପ୍ରତିଶତ ଚାଉଳ ଦିଆଯାଏ।

ଆବଶ୍ୟକ ହେଲେ ୧୭ ପ୍ରତିଶତ ପରବର୍ତ୍ତୀ ସମୟରେ ମିଳେ। ବାକି ୩ ପ୍ରତିଶତ ସିଏସ୍‌ଓ ଏବଂ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ଦେଇଥାଏ। ରାଜଧାନୀରେ ୨୦ ହଜାର କାର୍ଡଧାରୀ ଏହାର ଲାଭ ନେଉ ନାହାନ୍ତି। ତେଣୁ ସେମାନଙ୍କ ଭାଗର ଚାଉଳ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ ଅନ୍ତର୍ଗତରେ ଦିଆଯାଇପାରିବ। ଯେକୌଣସି ବ୍ୟକ୍ତି ଏଥିରେ ସମସ୍ୟାର ସମ୍ମୁଖୀନ ହେଲେ ସ୍ଥାନୀୟ ପ୍ରଶାସନକୁ ଜଣାଇ ପାରିବେ। ବର୍ତ୍ତମାନ କେନ୍ଦ୍ର ସରକାର ଗହମ ଯୋଗାଣ ବନ୍ଦ କରିଛନ୍ତି। ଏହା ବଦଳରେ ରାଜ୍ୟକୁ ଚାଉଳ ମିଳିବ। ଅର୍ଥାତ୍‌ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ଆହୁରି ଚାଉଳ ନିଜ ଗୋଦାମରୁ ଆଣିପାରିବ। ଏଭଳି ସ୍ଥିତିରେ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ର ହିତାଧିକାରୀଙ୍କୁ ଚାଉଳ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର