ସନ୍ଧ୍ୟାରେ ସିଝେଇଲା ତତଲା ପବନ

ଭୁବନେଶ୍ବର: ଆଜି ଦିନ ତମାମ୍ ଅସହ୍ୟ ଗରମ ଅନୁଭୂତ ହୋଇଥିଲା। ଦିନ ବେଳେ ଦକ୍ଷିଣା ପବନ ନ ବହିବାରୁ ପ୍ରବଳ ତାତି ଲୋକଙ୍କୁ ଛଟପଟ କରିଥିଲା। ଲୋକେ ଅପରାହ୍ଣର ଥଣ୍ଡା ଦକ୍ଷିଣା ପବନକୁ ବଡ଼ ବିକଳ ହୋଇ ଅପେକ୍ଷା କରିଥିଲେ। ମାତ୍ର ୪ଟା ପର୍ଯ୍ୟନ୍ତ ବି ଟାଣ ଖରା ଟଳିନଥିଲା। ‌ତେବେ ପ୍ରାୟ ସାଢ଼େ ୪ଟା ବେଳକୁ ହଠାତ୍ ଆକାଶ ମେଘାଛନ୍ନ ହୋଇଗଲା। ମାଡ଼ି ଆସିଲା କାଳବୈଶାଖୀ। ଖୁବ୍‌ ଜୋର୍‌ରେ ବହିଲା ପବନ। ମାତ୍ର ତାତିରୁ ତ୍ରାହି ମିଳିବ କ’ଣ, ଓଲଟା ଦେହ ସିଝିଗଲା। କାରଣ କାଳବୈଶାଖୀରେ ବହୁଥିଲା ତତଲା ପବନ। ଅଧିକ ବେଗର ତତଲା ପବନରେ ମୁହଁ ହାତ ପୋଡ଼ିଗଲା ଭଳି ଲାଗିଲା।

ଏମିତିକି ସାମାନ୍ୟ ବର୍ଷା ବି କାମ କଲାନି। ପ୍ରାୟ ୧୦/୧୫ ମିନିଟ୍‌ ପରେ ପବନ ବେଗ କମିଗଲା ସିନା ତତଲା ପବନ ବହିବା ଥମିଲା ନାହିଁ। ପ୍ରାୟ ରାତି ୭ଟା ପର୍ଯ୍ୟନ୍ତ ଗରମ ପବନ ବହୁଥିଲା ଓ ବାହାରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ସାଧାରଣତଃ କାଳବୈଶାଖୀ ବେଳେ ଥଣ୍ଡା ପବନ ବହିଥିବା ବେଳେ ଆଜି ବ୍ୟତିକ୍ରମ ଦେଖାଯାଇଥିଲା। ଏଭଳି ଅସ୍ବାଭାବିକ ପାଗ ଆଜି ଚର୍ଚ୍ଚାର ବିଷୟ ହୋଇଥିଲା। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ କାଳବୈଶାଖୀ ବର୍ଷା ହେବ ବୋଲି ୱାର୍ଣ୍ଣିଂ ହୋଇଥିଲା। ମାତ୍ର ବର୍ଷା ନ ହେବା ଫଳରେ ମେଘଢ଼ଙ୍କା ଆକାଶ ଯୋଗୁଁ ଗରମ ପବନ ପ୍ରବାହିତ ହୋଇଥିଲା।

ସମ୍ବନ୍ଧିତ ଖବର