ସନ୍ଧ୍ୟା ହେଲେ ଜମୁଛି ସପ୍ତାହାନ୍ତ ସଟ୍‌ଡାଉନ୍‌ ମସ୍ତି

ଚନ୍ଦ୍ରଶେଖରପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକ୍‌ଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟା ହେଲେ ନିଛାଟିଆ ରାସ୍ତାରେ ଜମୁଛି ଅମାନିଆଙ୍କ ସଟ୍‌ଡାଉନ୍‌ ମସ୍ତି। କରୋନା କଟକଣାକୁ ଫୁ’କରି ଅମାନିଆମାନେ ମେଳି ବାନ୍ଧୁଛନ୍ତି। ବିନା ମାସ୍କରେ ଓ ସାମାଜିକ ଦୂରତା ନ ମାନି ଖଟି ଜମାଉଛନ୍ତି। କିଏ ରାସ୍ତା ମଝିରେ ବାଇକ୍ ଷ୍ଟଣ୍ଟ କଲାଣି ତ କିଏ ଗ୍ରୁପ୍ ହୋଇ ଫଟୋ ଓ ସେଲ୍‌ଫି ଉଠାଇବାରେ ବ୍ୟସ୍ତ ରହୁଛନ୍ତି। ପୁଣି ମେଳି ମେଳି ହୋଇ ବୁଲୁଛନ୍ତି ପ୍ରେମୀଯୁଗଳ।

ସେହିଭଳି ରାତି ହେଲେ ଅସାମାଜିକ ଯୁବକଙ୍କ ଉତ୍ପାତ ବଢ଼ୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚୁଥିଲେ ବି କିଛି ଫରକ ପଡ଼ୁନାହିଁ। ନିଳାଦ୍ରୀବିହାର ବୁଦ୍ଧ ପାର୍କ ଓ ଉତ୍କଳ ହସ୍ପିଟାଲକୁ ସଂଯୋଗ କରୁଥିବା ନୂତନ ଦୁଇ ଶହ ଫୁଟିଆ ରାସ୍ତାରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏହି ରାସ୍ତାରେ ଯାନବାହାନ ଚଳାଚଳ କମ୍। ତେଣୁ ପୁଲିସ ପାଟ୍ରୋଲିଂ କମ୍ ହେଉଛି। ଏହି ମଉକାରେ ଅପରାହ୍‌ଣ ୪ ଟା ପରେ ଅମାନିଆଙ୍କ ଭିଡ଼ ଜମୁଛି। କିଛି ପିଲା ରାସ୍ତାରେ କ୍ରିକେଟ୍‌ ମଧ୍ୟ ଖେଳୁଛନ୍ତି। ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ବେଳେ ଏଭଳି ଦୃଶ୍ୟ ଅଧିକ ଦେଖିବାକୁ ମିଳୁଛି। ରାତି ବଢ଼ିବା ମାତ୍ରେ ଏହି ରାସ୍ତା ମଦୁଆମାନଙ୍କ ଆଡ଼ା ପାଲଟିଯାଉଛି। ଫଳରେ କେହି ଜରୁରୀ କାମରେ ଘରୁ ବାହାରିବା ବେଳେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏଦିଗରେ କଡ଼ା ନଜର ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର