ଚନ୍ଦ୍ରଶେଖରପୁର: ସନ୍ଧ୍ୟା ହେଲେ ରାଜଧାନୀ ରାଜରାସ୍ତାରେ ଅନ୍ଧାରର ରାଜୁତି। କେଉଁଠି ଜଳୁଛି ତ ଆଉ କେଉଁଠି ଜଳୁନି ଷ୍ଟ୍ରିଟ୍ ଲାଇଟ୍। ଦିନେ କି ଦୁଇ ଦିନ ନୁହେଁ, ମାସେ ହେଲା ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ। ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଡିଏ, ଡିଷ୍ଟ୍ରିକ୍ଟ ସେଣ୍ଟର, ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, ଡମଣା, ମୈତ୍ରୀବିହାର ଆଦି ରାସ୍ତା ପାର୍ଶ୍ବରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ଜଳୁ ନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବିଦ୍ୟୁତ୍ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛି। ବିଏମ୍ସି ଅଧିକାରୀମାନେ ଏବେ ଆଉ ଶୁଣିବା ପରିସ୍ଥିତିରେ ନାହାନ୍ତି। ଫୋନ୍ କଲେ ଉତ୍ତର ମିଳୁଛି ଆମେ କରୋନା ଡ୍ୟୁଟିରେ ରହିଛୁ। ସମୟ ଦେଇ ହେବନି। ସ୍ଥିତି ସୁଧୁରିଲେ ଆମେ ଯାଇ ମରାମତି କରିବୁ।
ମୁଖ୍ୟ ରାସ୍ତାଗୁଡ଼ିକରେ ଥିବା ଲାଇଟ୍ଗୁଡ଼ିକ କିଛି ଦିନ ମଧ୍ୟରେ ମରାମତି ହୋଇଯାଉଛି। ତେବେ ଗଳିକନ୍ଦିରେ ଥିବା ରାସ୍ତାରେ ଲାଗିଥିବା ଲାଇଟ୍ଗୁଡ଼ିକ ଥରେ ଖରାପ ହେଲେ ମରାମତି କରାଯାଉ ନାହିଁ। ନୀଳାଦ୍ରିବିହାର ସେକ୍ଟର ୫ ଅଞ୍ଚଳର ଲେନ୍ ୯ ଓ ୩ ଅଞ୍ଚଳରେ ଦୀର୍ଘଦିନ ହେଲା ଲାଇଟ୍ଗୁଡ଼ିକ ଖରାପ ହୋଇଯାଇଥିଲେ ମଧ୍ୟ ମରାମତି ହେଉନି। ଏମିତିକି ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାର ରାସ୍ତା, ନୀଳାଦ୍ରିବିହାର-ଶୈଳଶ୍ରୀବିହାର ରାସ୍ତା, ଇନ୍ଫୋସିଟ୍ ରାସ୍ତା, କେୟାର ହସ୍ପିଟାଲ ରୋଡ୍ରେ ଲାଗିଥିବା ଲାଇଟ୍ଗୁଡ଼ିକ କେତେବେଳେ ଜଳୁଥିବା ବେଳେ ଆଉ କେତେବେଳେ ଜଳୁନି। କେତେକ ଖୁଣ୍ଟରେ ଲାଗିଥିବା ଲାଇଟ୍ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବାତ୍ୟା ‘ଫନି’ ପରଠାରୁ ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ ସଂଯୋଗ କରାଯାଉ ନଥିବାରୁ ଲୋକେ ହୋ ହାଲ୍ଲା କଲେ। ପ୍ରତିବାଦରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାରୁ ବିଦ୍ୟୁତ୍ ବିଭାଗର ଚେତା ପଶିଲା। ରାଜଧାନୀ ଉପକଣ୍ଠ ରାସ୍ତାଗୁଡ଼ିକର ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ କରାଗଲା। ଏବେ ସେହି ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ଦିନରାତି ୨୪ ଘଣ୍ଟା ଆଲୁଆ ଦେଉଛି। ବନ୍ଦ ହେବା ନାଁ ଧରୁନି। ଯେଉଁଥିପାଇଁ ବିଦ୍ୟୁତ ଅପଚୟ ହେଉଛି। ଏନେଇ ଗ୍ରାମାଞ୍ଚଳ ଲୋକେ ବିଦ୍ୟୁତ୍ କାର୍ଯ୍ୟଳୟରେ ଅଭିଯୋଗ କରିବାରୁ ବିଦ୍ୟୁତ୍ ବିଭାଗ ଉତ୍ତର ଥିଲା ଅଦ୍ଭୁତ। ସେମାନଙ୍କ ନିକଟରେ ଟାଇମର୍ କଟ୍ ମେସିନ୍ ନଥିବାରୁ ରାଜଧାନୀ ଉପକଣ୍ଠ ଗୁଡ଼ିକରେ ଷ୍ଟ୍ରିଟ୍ ଲାଇଟ୍ ଦିନ ରାତି ଆଲୁଅ ଦେଉଛି ବୋଲି ବିଦ୍ୟୁତ୍ ବିଭାଗ ଅଧିକାରୀ କହିଛନ୍ତି।
ରସୁଲଗଡ଼ରୁ ଦାଢ଼ା ବାରଙ୍ଗ ଦୟାୱେଷ୍ଟ କେନାଲ୍ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ଅବସ୍ଥା ଏପରି ହୋଇଛି। କେବଳ ଏଇଠି ନୁହେଁ, ନନ୍ଦନକାନନରୁ ନନ୍ଦନବିହାର, ଇନ୍ଫୋସିଟି ଥାନା ଛକରୁ ଦାରୁଠେଙ୍ଗ ଓ ପଥରଗାଡ଼ିଆକୁ ସଂଯୋଗ କରୁଥିବା ରାସ୍ତାରେ ଲାଗିଥିବା ଲାଇଟ୍ଗୁଡ଼ିକ ଅନବରତ ଭାବେ ଜଳୁଛି। ଏନେଇ ହେମନ୍ତ ସୁଆର, ଗୌରୀପ୍ରସାଦ ଦାଶ ଓ ଅରୁଣ କୁମାର ସାସମଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଆଉ କିଛି ବ୍ୟକ୍ତିବିଶେଷ ଏନେଇ ଇନ୍ଫୋସିଟି ବିଦ୍ୟୁତ ଡିଭିଜନ୍ରେ ଅଭିଯୋଗ କରିବା ପରେ ତୁରନ୍ତ ମରାମତି କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।