ଡହ ଡହ ଖରାରେ ଚାଲିଲେ ଛତିଶଗଡ଼ ଅଭିମୁଖେ ୪୨ ଶ୍ରମିକ, ବିହାର ଶ୍ରମିକଙ୍କୁ ଅଟକାଇଲା ପୁଲିସ୍

ଖଣ୍ଡଗିରି: ଘରକୁ ଫେରିବା ପାଇଁ ସରକାରୀ ସହଯୋଗ ମିଳିଲା ନାହିଁ। ନା ଛତିଶଗଡ଼ ସରକାର ନା ଓଡ଼ିଶା ସରକାର କେହି ବି ସେମାନଙ୍କ ଅସମୟରେ ଠିଆ ହେଲେ ନାହିଁ। ଠିକାସଂସ୍ଥା ଧୀରେ ଧୀରେ ଖାଇବାକୁ ଦେବା କମାଇଦେଲା। ତାଲାବନ୍ଦ ଅବଧି ବଢ଼ି ବଢ଼ି ଚାଲିବାରୁ ବନ୍ଦ ହୋଇଯାଇଥିବା କାମ ଧନ୍ଦା ପୁଣି ଆରମ୍ଭ ହେଲା ନାହିଁ। ପାଖରେ ଥିବା ସଂଚିତ ପୁଞ୍ଜି ସରିବାକୁ ଲାଗିଲା। ତେଣୁ ଏଭଳି ସ୍ଥିତିରେ ଘରକୁ ଫେରିବା ଛଡ଼ା ଆଉ କିଛି ରାସ୍ତା ନଥିଲା ଓ ଏଥିପାଇଁ ସେମାନଙ୍କ ପା‌ଖରେ ଚାଲିବା ଭିନ୍ନ ଅନ୍ୟ ବିକଳ୍ପ ନଥିଲା। ତେଣୁ ସେମାନେ ପିଲାଛୁଆଙ୍କୁ ଧରି ବାହାରି ପଡ଼ିଥିଲେ ରାଜପଥ ଉପରକୁ। ଡହଡହ ଖରାରେ ଭୁବନେଶ୍ବରରୁ ଛତିଶଗଡ଼ ଅଭିମୁଖେ ଚାଲିବା ଆରମ୍ଭ କରିଦେଇଥିଲେ। ମଙ୍ଗଳବାର ୧୬ନମ୍ବର ଜାତୀୟ ରାଜପଥ ଉପରେ ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ତେବେ ପରିତାପର କଥା, ସେମାନଙ୍କୁ କେହି ଆଜି ଅଟକାଇ ନଥିଲେ।

ଆଜି ଛତିଶଗଡ଼ ଅଭିମ‌ୁଖେ ବାହାରିଥିବା ଏହି ୪୨ଜଣ ଶ୍ରମିକମାନଙ୍କ ମଧ୍ୟରେ ୧୦ଜଣ ଛୋଟ ପିଲା ଓ ୭ ଜଣ ମହିଳା ଥିଲେ। ରାୟପୁର ଜିଲ୍ଲାର ଏହି ଶ୍ରମିକମାନେ ଭୁ‌ବନେଶ୍ବର ଉପକଣ୍ଠ ପାହାଳ ଅଞ୍ଚଳର ଏକ ନିର୍ମାଣାଧୀନ ପ୍ରକଳ୍ପରେ କାମ କରୁଥିଲେ। ଠିକାସଂସ୍ଥା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଖାଇବା ପିଇବା ଦେଇ ରଖିଥିଲା। ମାତ୍ର ଗତ ୧୦/୧୨ ଦିନ ହେଲା ଠିକାସଂସ୍ଥା ପକ୍ଷରୁ ଆଉ ଭଲରେ ଖିଆପିଆ ବ୍ୟବସ୍ଥା କରାଯାଉନଥିଲା। ସେମାନେ ଘରକୁ ଫେରିବେ ବୋଲି ତାଙ୍କ ସରପଞ୍ଚ ସହ ଯୋଗାଯୋଗ କରିଥିଲେ। ମାତ୍ର ସେ ପଞ୍ଜୀକରଣ କରି ଚୁପ୍‌ ବସିଗଲେ। ଠିକାସଂସ୍ଥା ବି ସେମାନଙ୍କୁ ଘରକୁ ପଠାଇବା ପାଇଁ କିଛି ବ୍ୟବସ୍ଥା କଲା ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ଆଜି ସକାଳୁ ଚାଲିବା ଆରମ୍ଭ କରି ଦେଇଥିଲେ। ସେମାନେ ଚାଲି ଚାଲି ଖଣ୍ଡଗିରି ପାର୍ ହେବା ପରେ ଡୁମୁଡୁମା ଛକରେ ବିଶ୍ରାମ ନେଇଥିଲେ। ସେମା‌ନେ ପାହାଳରୁ ଏତେ ବାଟ ଚାଲି ଚାଲି ଆସିବା ପରେ ବି ସେମାନଙ୍କ ଉପରେ କାହା ନଜର ପଡ଼ିନଥିଲା। ଅର୍ଥାତ୍ ସେମାନଙ୍କୁ କେହି ଅଟକାଇ ନଥିଲେ। ଭୋକ ଉପାସରେ ଛୋଟ ପିଲାମାନେ ଆଉଟୁପାଉଟୁ ହେଉଥିବା ଦେଖି କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ। ଶେଷ ଖବର ଅନୁସାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ଆଇଗିଣିଆ କୁବେରପୁରୀରୁ ଛତିଶଗଡ଼ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଗାଡ଼ିରେ ଉଠାଇଥିଲା।

ବିହାର ଶ୍ରମିକଙ୍କୁ ଅଟକାଇଲା ପୁଲିସ୍
ଭୁବନେଶ୍ବର: ସତ୍ୟନଗର ଅଞ୍ଚଳରେ ରହୁଥିବା ବିହାର, ଝାଡ଼ଖଣ୍ଡ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ବ ଶ୍ରମିକ ଖାଇବାକୁ ନ ପାଇ ଚାଲି ଚାଲି ଫେରି ଯାଉଥିଲେ। ରାସ୍ତାରେ ଡିସିପି ଅଫିସ୍‌ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ପୁଲିସ ଦେଖି ଅଟକାଇ ବିଏମ୍‌ସିକୁ ଖବର ଦେଇଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ରାସ୍ତା କଡ଼ରେ ବସି ରହିଥିଲେ ମଧ୍ୟ ବିଏମ୍‌ସିର ଜଣେ ହେଲେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ପରେ ଖାରବେଳନଗର ଥାନା ପୁଲିସ ହସ୍ତକ୍ଷେପ କରି ସେମାନଙ୍କୁ ‌ଫେରାଇ ନେଇ ରହିବା ବ୍ୟବସ୍ଥା କରିଥିଲା। ଆସନ୍ତାକାଲି ଉପଯୁକ୍ତ ପଞ୍ଜୀକରଣ ହେବା ସହ ଜିଲ୍ଲାପାଳଙ୍କ ସ୍ବୀକୃତି ପରେ ସେମାନଙ୍କୁ ଛଡ଼ା ଯିବ ବୋଲି ଜଣାପଡ଼ିଛି।

ବଡ଼କଥା ହେଉଛି, ଏହି ଶ୍ରମିକମାନେ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟର ନିର୍ମାଣାଧୀନ କୋଠାରେ କାମ କରିବା ପାଇଁ ଠିକାଦାର ଜରିଆରେ ଓଡ଼ିଶା ଆସିଥିଲେ। ନିଜ କୋଠା କାମ କରୁଥିବା ଶ୍ରମିକମାନେ ଭୋକରେ ଆଉଟୁ ପାଉଟୁ ହୋଇ ଫେରିଯାଉଥିଲେ ମଧ୍ୟ ବିମ୍‌ସି ଅଧିକାରୀ ଘଟଣାସ୍ଥଳକୁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। କେଉଁ ପରିସ୍ଥିତିରେ ଆଜି ଏହି ଶ୍ରମିକମାନେ ରାଜରାସ୍ତାକୁ ଆସିଗଲେ, ସେନେଇ କାହା ପାଖରେ କିଛି ଉତ୍ତର ନାହିଁ।

ଶ୍ରମିକ ସୂରଜ ମହତ୍ବଙ୍କ ସୂଚନା ମୁତାବକ, ସତ୍ୟନଗର ଅଞ୍ଚଳରେ ବିମ୍‌ସିର କାର୍ଯ୍ୟାଳୟ କୋଠା ନିର୍ମାଣାଧୀନ ରହିଛି। ଏଥିରେ ଅଧିକାଂଶ ରାଜ୍ୟ ବାହାରର ଶ୍ରମିକ କାମରେ ଲାଗିଛନ୍ତି। ଝାଡ଼ଖଣ୍ଡ ଓ ବିହାରରୁ କାଠମିସ୍ତ୍ରୀ ଓ ଚଟାଣ ମିସ୍ତ୍ରୀ ରହିଛନ୍ତି। ଜଣେ ଠିକାଦାରଙ୍କ ଜରିଆରେ ଏମାନେ ଦୀର୍ଘ ତିନି ମାସ ହେଲା ଆସି କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ ମିସ୍ତ୍ରୀ ଓ ହେଲ୍ପର୍‌ ରହିଛନ୍ତି। ଏବେ ତାଲାବନ୍ଦ ହେବା ପରେ ଗୋଟିଏ ମାସରେ ମାତ୍ର ତିନି ଦିନର ମଜୁରି ମିଳିଛି। ଏଣୁ ଯାହା ପଇସା ଥିଲା, ତାହା ଖର୍ଚ୍ଚ ହୋଇଯାଇଛି। ଖାଇବା ଓ ରହିବା ସମସ୍ୟା ହେବାରୁ ସେମାନେ ଚାଲି ଚାଲି ଫେରିଯିବା ପାଇଁ ମନସ୍ଥ କରି ଆଜି ସକାଳେ ବାହାରିବା ବେଳେ ଧରାପଡ଼ିଥିବା କହିଛନ୍ତି।

ସମ୍ବନ୍ଧିତ ଖବର