ମହିଳାଙ୍କୁ ରାତି ଅଧରେ ଖୁଣ୍ଟରେ ବାନ୍ଧି ପିଟିଲେ

ଭୁବନେଶ୍ବର: ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ କଙ୍ଗାରୁ କୋର୍ଟରେ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଛି। ରାତି ଅଧରେ ବସ୍ତିବାସିନ୍ଦାମାନେ ମହିଳାଙ୍କୁ ଏକ ଘର ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିବା ସହ ବହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଲାଞ୍ଛିତ, ଅପମାନିତ କରିଛନ୍ତି। ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିବା ଏଭଳି ଅମାନବୀୟ ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଛି। ଗତ କିଛି ଦିନ ତଳେ ବରମୁଣ୍ଡା ପାଲାମଣ୍ଡପ ନିକଟରେ ଏମିତି ଏକ କଙ୍ଗାରୁ କୋର୍ଟ ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା। କିଛି ଲୋକ ଜଣେ ଯୁବକ ଓ ଜଣେ ନାବାଳକକୁ ଗାଁ ଦାଣ୍ଡରେ ଆଣ୍ଠୁମାଡ଼ି ବସାଇବା ସହ ତଳେ ନାକ ଘୋଷ‌ାଡ଼ିବାକୁ ବାଧ୍ୟ କରିଥିଲେ। ଅପମାନିତ ହୋଇ ନାବାଳକ ଘରକୁ ଯାଇ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଉକ୍ତ ଘଟଣା ମନରୁ ନ ଲିଭୁଣୁ, ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିବା ପୁଣି ଏକ କଙ୍ଗାରୁ କୋର୍ଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଇନକାନୁନ୍‌ ଉପରେ ଭରସା ନକରି ଲୋକେ ନିଜ ହାତକୁ ଆଇନକୁ ନେଉଥିବାରୁ ଏହା ପୁଲିସ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ତେଣୁ ପୀଡ଼ିତା କଙ୍ଗାରୁ କୋର୍ଟ ବାବଦରେ ମୁହଁ ଖୋଲିବାକୁ ଭୟ କରୁଥିବା ବେଳେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। କଙ୍ଗାରୁ କୋର୍ଟ କରି ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ରାଜଧାନୀରେ ପୁଣି କଙ୍ଗାରୁ କୋର୍ଟ
ଅନୈତିକ ସମ୍ପର୍କ ଅଭିଯୋଗରେ ମହିଳାଙ୍କୁ ନିର୍ଯାତନା
ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ

ପୁଲିସ ସୂଚନା ମୁତାବକ ପୀଡ଼ିତାଜଣଙ୍କ ସ୍ଥାନୀୟ ଲେପର୍ସି କଲୋନିରେ ରହୁଥିବା ଜଣେ ଯୁବକଙ୍କ ପାଖକୁ ନିୟମିତ ବ୍ୟବଧାନରେ ଯିବାଆସିବା କରୁଥିଲେ। ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା। ଏମିତିକି ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଉଭୟ ବିବାହିତ ହୋଇଥିବାରୁ ସେମାନଙ୍କ ଭିତରେ ବଢ଼ିଥିବା ଅନୈତିକ ସମ୍ପର୍କ ଓ ଲୁଚାଚୋରାରେ ମିଳାମିଶା ପରିବେଶକୁ କଳୁଷିତ କରୁଛି ଏବଂ ପିଲାଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଅଭିଯୋଗ ହୋଇଆସୁଥିଲା। ତେଣୁ କିଛି ବସ୍ତିବାସିନ୍ଦା ସିଧାସଳଖ ସେମାନଙ୍କ ମିଳାମିଶାକୁ ବାରଣ କରିଥିଲେ। ଉଭୟଙ୍କୁ ଏକାଠି ବସାଇ ବୁଝାସୁଝା କରିବା ସହ ଚେତାବନୀ ମଧ୍ୟ ଦେଇଥିଲେ। ଏହା ପରଠାରୁ ସେମାନେ ଆଉ ଆଗ ଭଳି ଖୋଲାଖୋଲି ମିଳାମିଶା ନକରି ଲୁଚାଚୋରାରେ ସମ୍ପର୍କ ରଖିଥିଲେ। ସେମାନଙ୍କର ଏଭଳି କାଣ୍ଡ କିଛି ଲୋକଙ୍କୁ ଅଧିକ ଉତ୍ତେଜିତ କରିଥିଲା। ତେଣୁ ସେମାନେ ମହିଳାଙ୍କୁ ପାନେ ଦେବେ ବୋଲି ଯୋଜନା କରି ସୁଯୋଗକୁ ଅପେକ୍ଷା କରିରହିଥିଲେ। ଗତ ସୋମବାର ରାତିରେ ସେମାନଙ୍କୁ ସୁଯୋଗ ମିଳିଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ମହିଳାଜଣଙ୍କ ଯୁବକଙ୍କ ଘରେ ଥିବା ପ୍ରଚାର ହୋଇଯାଇଥିଲା।

ସେ ସେଠାକୁ ଲୁଚି କରି ଆସିଥିବା ଜଣାପଡ଼ିଥିଲା। ତେଣୁ ଅସନ୍ତୁଷ୍ଟ ଥିବା ଲୋକମାନେ ଏକ୍‌ଜୁଟ ‌ହୋଇ ଯୁବକଙ୍କ ଘରକୁ ଘେରିବା ସହ ମହିଳାଙ୍କୁ ଘର ଭିତରୁ ଟାଣିଟାଣି ବାହାରକୁ ନେଇଆସିଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା ତାଙ୍କ ଉପରେ ନି‌ର୍ମମ ଅତ୍ୟାଚାର। ବସ୍ତିବାସିନ୍ଦାମାନେ ଏକ ଘର ଖୁଣ୍ଟରେ ତାଙ୍କୁ ବାନ୍ଧି ପକାଇଥିଲେ। କିଏ ଗାଳି କରୁଥିଲା ତ କିଏ ମାଡ଼ ମାରି ଚାଲିଥିଲା। ମୁଥ, ବିଧା, ଗୋଇଠା, ଚାପୁଡ଼ା ଓ ଚୁଟି ଟଣା କିଛି ବି ବାକି ରହିଲା ନାହିଁ। ମହିଳାଜଣଙ୍କ ଜୀବନ ବିକଳରେ କ୍ଷମା ମାଗିବା ସହ ମାଡ଼ ନମାରିବାକୁ କାକୁତିମିନତୀ ହୋଇଥିଲେ। ମାତ୍ର ନିର୍ଦ୍ଦୟ ବସ୍ତିଲୋକଙ୍କଠାରୁ ମହିଳା ନିସ୍ତାର ପାଇନଥିଲେ। ତେବେ ସୌଭାଗ୍ୟକୁ କିଛି ଲୋକ ଏହାକୁ ବିରୋଧ କଲେ। ତେଣୁ ସେଠାରେ ଏକପ୍ରକାର ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୀଡ଼ିତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ପରେ ତାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ମାତ୍ର ଭୟରେ ପୀଡ଼ିତା କାହା ବିରୋଧରେ ମୁହଁ ଖୋଲିଥିଲେ କି ଅଭିଯୋଗ କରିନଥିଲେ। କିନ୍ତୁ ପୁଲିସ ନିଜଆଡ଼ୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ଏବଂ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରହିଛି।

ମଙ୍ଗଳାବସ୍ତି କଙ୍ଗାରୁ କୋର୍ଟ ମୁଖିଆ ପ୍ରଭାତ ଗିରଫ

ଚନ୍ଦ୍ରଶେଖରପୁର: ବିଭିନ୍ନ ସମୟରେ ନୀଳାଦ୍ରିବିହାର ମଙ୍ଗଳା ବସ୍ତିରେ କଙ୍ଗାରୁ କୋର୍ଟ କରି ନିରୀହ ଲୋକଙ୍କୁ ନିର୍ଯାତନା ଦେଉଥିବା କୁଖ୍ୟାତ ପ୍ରଭାତ ସେଠୀ(୩୭)କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଗତକାଲି ଏକ ଗଣ୍ଡଗୋଳ ମାମଲାରେ ପୁଲିସ ତାକୁ ଉଠାଇଥିବା ବେଳେ ଏହି ମାମଲାରେ ୬ ମାସ ତଳେ ସେ କଙ୍ଗାରୁ କୋର୍ଟ କରି ଏକ ଦମ୍ପତିଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗକୁ ପୁଲିସ ଯୋଡ଼ିବା ସହ ଆଜି ତାକୁ କୋର୍ଟ ଚାଲାଣ କରିଛି। ଘଟଣାଦିନ ବସ୍ତିରେ ଅଭିଯୁକ୍ତ ପ୍ରଭାତ କଙ୍ଗାରୁ କୋର୍ଟ ବସାଇ ସ୍ବାମୀ-ସ୍ତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲା। ଏମିତିକି ମହିଳାଜଣଙ୍କ ଏକପ୍ରକାର ଲଉଗ୍ନ ହୋଇପଡ଼ିଥିଲେ ବି ପ୍ରଭାତ ମାଡ଼ରୁ ସେ ବର୍ତ୍ତିନଥିଲେ ବୋଲି ମହିଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ସୂଚନାନୁସାରେ ଯାଜପୁର ବରୀ ଅଞ୍ଚଳର ପ୍ରଭାତ ଦୀର୍ଘ ବର୍ଷ ହେ‌ଲା ନୀଳାଦ୍ରିବିହାର ମଙ୍ଗଳା ବସ୍ତିରେ ରହିଆସୁଅଛି। ତା’ନାମରେ ରାଜଧାନୀର ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ବେଳେ କେବଳ ଚନ୍ଦ୍ରଶେଖରପୁର ଥାନାରେ ୧୭ଟି ମାମଲା ରହିଛି। ପୂର୍ବରୁ ସେ ମଧ୍ୟ ଅନେକ ଥର ଜେଲ୍‌ ଯାଇଛି। ରାଜନୈତିକ ଶକ୍ତି ବଳରେ ବଳୀୟାନ୍‌ ପ୍ରଭାତକୁ ସେଥିପାଇଁ ବସ୍ତିରେ ପ୍ରାୟ ସମସ୍ତେ ଭୟ କରନ୍ତି। ଏହି ମଉକାରେ ସେ ବସ୍ତିରେ ସରକାରୀ ଜମି ବିକିବା ସହ ଘର କରାଇବାକୁ ସୁଯୋଗ ଦେଇ ଲୋକଙ୍କୁ ଶୋଷଣ କରୁଥିଲା। ଗତବର୍ଷ ସେ ଉକ୍ତ ଦମ୍ପତିଙ୍କୁ ବସ୍ତିରେ ଏକ ପ୍ଲଟ୍‌ ବିକିଥିଲା। ପ୍ଲଟ୍‌ ପାଇଁ ସେ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲା। ଦମ୍ପତି ଘର କରି ସେଠାରେ ରହିବା ପରେ ପ୍ରଭାତ ଆରମ୍ଭ କରିଥିଲା ଆର୍ଥିକ ଶୋଷଣ।

ପାଣି ପାଇପ୍‌, ସ୍ବେରେଜ୍ ଟାଙ୍କି, ବିଦ୍ୟୁତ୍ ଲାଇନ୍‌ ସଂ‌ଯୋଗ ଆଦି ଅନ୍ୟାନ୍ୟ କାମ ପାଇଁ ସେ ଦମ୍ପତିଙ୍କଠାରୁ ବହୁ ଅର୍ଥ ଦାବି କଲା। ସରକାରୀ ଦେୟ ଛଡ଼ା ପ୍ରଭାତ ଏସବୁ ପାଇଁ ସେମାନଙ୍କୁ ଚାନ୍ଦା ବା ବଟି ମାଗିଥିଲା। କିନ୍ତୁ ଦମ୍ପତି ରାଜି ହେଲେ ନାହିଁ। ତେଣୁ ପ୍ରଭାତ ବସ୍ତିବାସିନ୍ଦାଙ୍କୁ ବସାଇ ଦମ୍ପତିଙ୍କୁ ସଭାରେ ଗ‌ାଳିଗୁଲଜ କରି ଅପମାନିତ କରିଥିଲା। ତଥାପି ବଟି ବାବଦ ଟଙ୍କା ଦେବାକୁ ଦମ୍ପତି ଅସମର୍ଥତା ପ୍ରକାଶ କଲେ। ତେଣୁ ରାଗରେ ପ୍ରଭାତ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କଲା। ମାଡ଼ରେ ମହିଳାଙ୍କ ଦେହରୁ ଶାଢ଼ି ଖସି ପଡ଼ିଥିଲେ ବି ପ୍ରଭା‌ତ ମାଡ଼ ମାରିବା ବନ୍ଦ କରିନଥିଲା। ସର୍ବସମ୍ମକ୍ଷରେ ସେ ଦମ୍ପତିଙ୍କୁ ଅପମାନିତ କରିଚାଲିଥିଲା। ଏନେଇ ପରେ ମହିଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେତେବେଳେ ଧୂର୍ତ୍ତ ପ୍ରଭାତ ଫେରାର୍ ହୋଇଯାଇଥିଲା। ଗତକାଲି ପୁଣି ପ୍ରଭାତ ବସ୍ତିରେ ଜଣଙ୍କୁ ମାଡ଼ ମାରିବ ନେଇ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର