ନୂଆ ରୂପରେ ‘ଶିଶୁଲେଖା’

ଭୁବନେଶ୍ବର: ସାତ ବର୍ଷର ନିରବତା ପରେ ପୁଣି ଫେରିବ ‘ଶିଶୁଲେଖା’। କୋମଳମତିଙ୍କୁ ସେଇମାନଙ୍କ ଭାଷାରେ ସୃଜନ ଓ ଜ୍ଞାନ ପରସିବ ଏହି ପିଲାଙ୍କ ପତ୍ରିକା। ଓଡ଼ିଶାର ଜହ୍ନମାମୁଁ ଭାବେ ପରିଚିତ ଏହି ପତ୍ରିକା ଦିନେ ପିଲାମାନଙ୍କୁ ସୃଜନ ଦୁନିଆକୁ ଆସିବାକୁ ପ୍ରେରଣା ଯୋଗାଉଥିବା ବେଳେ ପୁଣି ଏହାକୁ ନୂଆ ଅବତାରରେ ଭେଟିଦେବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଏହା କେବଳ ଆଉ ବହି ଭିତରେ ସୀମିତ ରହିବ ନାହିଁ। କଳେବର ବୃଦ୍ଧି ସହ ଇ-ପତ୍ରିକା ଭାବେ ଏହାକୁ ସୁଦୂରପ୍ରସାରୀ କରାଯିବ। ଫଳରେ ଓଡ଼ିଶା ଓ ଦେଶ ବାହାରେ ରହୁଥିବା ପିଲାମାନେ ଏହାକୁ ପଢ଼ିବା ସହ ଏଥିରେ ନିଜ ସୃଜନର ପରିପ୍ରକାଶ ପାଇଁ ସୁଯୋଗ ପାଇବେ। ଖୁବଶୀଘ୍ର ଏହା ପ୍ରକାଶ ପାଇବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ କହିଛନ୍ତି।

୧୯୭୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାର ଏହି ଲୋକପ୍ରିୟ ମାସିକ ପତ୍ରିକା ‘ଶିଶୁଲେଖା’ ଜନ୍ମ ନେଇଥିଲା। ମାତ୍ର ୧୯୯୨-୯୩ ମସିହାରେ ଏହା ବନ୍ଦ ହୋଇଗଲା। ପୁନଃ ୨୦୦୪-୫ ଓ ୨୦୧୦ରେ ପୁନଃ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ ଦିଆଗଲା। ଫଳରେ ଦୀର୍ଘ ୧୭ ବର୍ଷ ପରେ ୨୦୧୦ ମସିହା ଜୁଲାଇ ୮ ତାରିଖରୁ ଏହା ନିୟମିତ ପ୍ରକାଶ ପାଇଲା। ତେବେ ମାସିକ ନହୋଇ ଏହାକୁ ୩ମାସକୁ ଥରେ ଛପା ଯାଉଥିଲା। ସେତେବେଳେ ପ୍ରଥମ ପର୍ଯ୍ୟାୟରେ ରଙ୍ଗିନ ପତ୍ରିକା ଭାବେ ୪୮ ହଜାର କପି ଛପା ଯାଇଥିଲା। ୧୦ ହଜାର ମାର୍କେଟ୍‌ରେ ବିକ୍ରି ପାଇଁ ଛଡ଼ା ଯାଇଥିବା ବ‌େଳେ ଅନ୍ୟ ବହିଗୁଡ଼ିକ ବିଦ୍ୟାଳୟକୁ ବଣ୍ଟନ କରାଯାଇଥିଲା। ୩ ବର୍ଷ ପରେ ୨୦୧୩ ମସିହାରେ ଏହା ପୁନର୍ବାର ବନ୍ଦ ହୋଇଗଲା। ଏନେଇ ବିଶ୍ବରୂପ କାନୁନ୍‌ଗୋ, ଅଶୋକ ମହାପାତ୍ର ଓ ଜାକିର୍‌ ଖାନ୍‌ ଶିଶୁଲେଖାର ପୁନଃପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।

ଜାକିର୍‌ କହିଛନ୍ତି, ଏବେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତାଙ୍କ ଶୈଶବ ସମୟରେ ଏହି ‘ଶିଶୁଲେଖା’ରୁ ଅନୁପ୍ରାଣିତ ହୋଇଥିଲେ। ତେଣୁ ଏହାର ପୁନଃ ପ୍ରକାଶର ଆବଶ୍ୟକତା ରହିଛି। ଏହାକୁ କେବଳ ବଜାରରେ ନ ଛାଡ଼ି ପ୍ରତି ବିଦ୍ୟାଳୟକୁ ଯୋଗାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ପ୍ରତି ବିଦ୍ୟାଳୟ ପାଇଁ ପାଠାଗାର ଉଦ୍ଦେଶ୍ୟରେ ନିର୍ଦିଷ୍ଟ ପାଣ୍ଠି ରହିଛି। ନିମ୍ନ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୫ଶହ ଟଙ୍କାରୁ ନେଇ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୫ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ପାଣ୍ଠି ଯୋଗାଇ ଦିଆଯାଉଛି। ଯଦି ସେହି ଅର୍ଥରୁ ପ୍ରତି ବିଦ୍ୟାଳୟ ପାଇଁ ମାସିକ ୫ଟି କପି କିଣାଯିବ ତେବେ ସରକାରଙ୍କ ଉପରେ ଏହି ପତ୍ରିକା ପାଇଁ ଆର୍ଥିକ ବୋଝ ରହିବ ନାହିଁ ବୋଲି ସେ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦୀର୍ଘବର୍ଷ ପରେ ଶିଶୁମାନଙ୍କୁ ବିଚାରକୁ ନେଇ ‘ଶିଶୁଲେଖା’ ପତ୍ରିକାର ପୁନରୁଦ୍ଧାର ପାଇଁ ଖସଡ଼ା ପ୍ରସ୍ତୁତ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ‘ଶିଶୁଲେଖା’ ପତ୍ରିକା ପ୍ରସ୍ତୁତି ପାଇଁ ପୂର୍ବରୁ ନିୟୋଜିତ ‘ଶିଶୁ ସାହିତ୍ୟ ସମିତି, ଓଡ଼ିଶା’ର ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି। ଏଥିସହ ସମିତି କାମ କରୁଥିବା ୟୁନିଟ୍‌-୯ସ୍ଥିତ କାର୍ଯ୍ୟାଳୟକୁ ମଧ୍ୟ ଚାଲୁ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର