ପଣ୍ଡାକୁଦିଆ ବସ୍ତି, ପାଣି ପାଇଁ ହନ୍ତସନ୍ତ ୨୭ ପରିବାର

ବିଏମ୍‌ସି ଚିଠି କରୁନି ବୋଲି ପାଣି ଓ ବିଜୁଳି କନେକ୍ସନ ହେଉନି

ଭୁବନେଶ୍ବର, ୨।୩(ଇମିସ): ପାଣି ପାଇଁ ଏବେ ପଣ୍ଡାକୁଦିଆ ବସ୍ତିର ୨୭ ପରିବାର ହନ୍ତସନ୍ତ ହେଉଛନ୍ତି। ଘରକୁ ପାଇପ୍‌ ପାଣି ଯୋଗାଣ ନଥିବା ବେଳେ ବସ୍ତିରେ କାର୍ଯ୍ୟକ୍ଷମ ୮ଟି ନଳକୂପରୁ ଲୌହମିଶ୍ରିତ ଗୋଳିଆ ପାଣି ବାହାରୁଛି। ନା ଏହାକୁ ପିଇ ହେଉଛି ନା ରୋଷେଇରେ ବ୍ୟବହାର କରି ହେଉଛି। ନାଲି ଓ ହଳଦିଆ ରଙ୍ଗମିଶା ଏହି ଦୂଷିତ ଜଳକୁ ଲୋକେ ଗାଧୋଇବା ପାଇଁ ବି ବ୍ୟବହାର କରିବାକୁ ଉଚିତ ମଣୁ ନାହାନ୍ତି। ବସ୍ତିରେ ଥିବା ଦୁଇଟି ପାଣି ଏଟିଏମ୍‌ରୁ ଏମାନେ ପାଣି ଆଣି ପିଉଛନ୍ତି। କିନ୍ତୁ ତାହା ବି ସମୁଦ୍ରକୁ ଶଙ୍ଖେ। ଫଳରେ ଏହି ୨୭ ପରିବାର ଏବେ ବଡ଼ କଷ୍ଟରେ ଚଳୁଛନ୍ତି। ଏଠାକୁ ଆସିବା ପରେ ପ୍ରଥମେ କିଛି ଦିନ ପର ଘରୁ ପାଣି ମାଗି ଚଳିଗଲେ। କିନ୍ତୁ ବସ୍ତିରେ ରହୁଥିବା ୮୦୦ରୁ ଊର୍ଧ୍ବ ପରିବାର ପାଇଁ ଯୋଗାଣ ହେଉଥିବା ପାଇପ୍‌ ଜଳ ଅଣ୍ଟୁ ନଥିବାରୁ ଏବେ ପଡ଼ୋଶୀ ବି ବିଶେଷ ସହଯୋଗ କରୁନାହାନ୍ତି।

ସୂଚନାନୁଯାୟୀ, ତମାଣ୍ଡୋ‌ରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ସରକାରୀ ଜମିରେ ବେଆଇନ ଭାବେ ଗଢ଼ି ଉଠିଥିବା ମା’ ଲକ୍ଷ୍ମୀନଗର ବସ୍ତିକୁ ଗତ ୨୦୨୦ ନଭେମ୍ବର ୧୨ ତାରିଖରେ ଉଚ୍ଛେଦ କରାଯାଇଥିଲା। ତହସିଲଦାରଙ୍କ ଅଭିଯୋଗକ୍ରମେ ସରକାରୀ ଜାଗାକୁ ଜବରଦଖଲମୁକ୍ତ କରାଯିବା ପରେ ବସ୍ତିର ସମସ୍ତ ପରିବାରକୁ ପଣ୍ଡାକୁଦିଆରେ ଥଇଥାନ କରାଗଲ‌ା। କିନ୍ତୁ ଏପର୍ଯ୍ୟନ୍ତ ସର୍ବନିମ୍ନ ସରକାରୀ ସହାୟତା ମିଳି ପାରି ନଥିବା ଏହି ୨୭ ପରିବାର ଅଭିଯୋଗ କରିଛନ୍ତି। ବିଏମ୍‌ସି ପକ୍ଷରୁ ଵାଟ୍‌କୋକୁ ଚିଠି ଖଣ୍ଡିଏ ହୋଇ ନଥିବାରୁ ଏମାନଙ୍କୁ ପ୍ରତିଦିନ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପାଣି ପାଇଁ ଏହି ୨୭ପରିବାର ବିଏମସିଠାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖକୁ ନିତି ଦୌଡ଼ୁଛନ୍ତି। ହେଲେ ଆଜିକାଲି କହି ସମସ୍ତେ ଫେରାଇ ଦେଉଛନ୍ତି। ସରକାରୀ ଜମିରୁ ଉଚ୍ଛେଦ ବେଳେ ସବୁ ପ୍ରକାରର ସୁବିଧା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏପରିକି ଏହି ୨୭ ପରିବାରକୁ ବିଏମ୍‌ସି ସହାୟତା କରିବ ବୋଲି ଖୋଦ୍‌ ଜିଲ୍ଲାପାଳ ଚିଠି ଲେଖି‌ଛନ୍ତି ବୋଲି ସେମାନଙ୍କୁ କୁହାଯାଇଥିଲା। କିନ୍ତୁ ଏଠାକୁ ଆସିବାର ୩ ମାସ ପରେ ବି ସେମାନଙ୍କ ଘରକୁ ପାଣି ପାଇପ୍‌ ସଂଯୋଗ ହୋଇପାରିନାହିଁ। ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ଯଦି ଚିଠି ହୋଇଛି, ତେବେ ପାଣି ଦେବାରେ ଅସୁବିଧା କେଉଁଠି ବୋଲି ବିଏମ୍‌ସି ଅଧିକାରୀଙ୍କୁ ପଚାରିଲେ ସେମାନେ ଟୋକନ୍ ହୋଇନାହିଁ ବୋଲି କହି ଫେରାଇ ଦେଉଛନ୍ତି।

ଅପରପକ୍ଷେ, ଖାଲି ଏହି ୨୭ ପରିବାର ନୁହେଁ, ବସ୍ତିରେ ରହୁଥିବା ପାଖାପାଖି ୮୦୦ ପରିବାରକୁ ଯୋଗାଣ ହେଉଥିବା ପାଇପ୍‌ ଜଳ ଅଣ୍ଟୁନାହିଁ। ଦିନକୁ ଘଣ୍ଟାଏରୁ ୨ଘଣ୍ଟା ପର୍ଯ୍ୟନ୍ତ ଜଳ ଯୋଗାଣ ହେଉଥିଲେ ହେଁ ବୈଷୟିକ ତ୍ରୁଟି ଯୋଗୁଁ ଅଧିକାଂଶ ଘରକୁ ପାଣି ପହଞ୍ଚି ପାରୁନାହିଁ। ଲୋ-ପ୍ରେସର୍‌ ଯୋଗୁଁ ଖୁବ୍‌ କମ୍‌ ପାଣି ଆସୁଛି। ବସ୍ତିରେ ମୋଟ ୯ଟି ନଳକୂପ ରହିଥିବା ବେଳେ ସେଥିରୁ ଗୋଟିଏ ପୂରାପୂରି ଅଚଳ ହୋଇଯାଇଛି। ବାକି ୮ଟିରୁ ଲୌହମିଶ୍ରିତ ନାଲି, ହଳଦିଆ ରଙ୍ଗର ପାଣି ବାହାରୁଛି, ଯାହା ଆଦୌ ବ୍ୟବହାରଯୋଗ୍ୟ ନୁହେଁ। ସେହିପରି ବସ୍ତିରେ ମାତ୍ର ଦୁଇଟି ପାଣି ଏଟିଏମ୍ ରହିଛି। ଗାଡ଼ି ଆସି ଦିନରେ ଦୁଇଥର ପାଣି ଭରୁଥିବା ବେଳେ ତାହା ପଣ୍ଡାକୁଦିଆ ବସ୍ତିବାସିନ୍ଦାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ୮ଶହ ପରିବାର ପାଇଁ ଅତିକମ୍‌ରେ ଆଉ ଦୁଇଟି ପାଣି ଏଟିଏମ୍ ବ୍ୟବସ୍ଥା ହେଲେ ବସ୍ତିବାସିନ୍ଦା ଉପକୃତ ହେବେ ବୋଲି କହିଛନ୍ତି।
ଏ ସଂପର୍କରେ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ର ଜୋନାଲ ଡେପୁଟି କମିସନର୍‌ ରବି ନାରାୟଣ ଜେଠି କହିଛନ୍ତି, ଜିଲ୍ଲାପାଳଙ୍କ ପାଖରୁ ଏ ସଂପର୍କିତ କୌଣସି ଚିଠି ଆସିନାହିଁ। ଚିଠି ଆସିଲେ, ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 ଟୋକନ୍ ଆଣ, ପାଣି କନେକ୍ସନ ପାଇବ
ପାଣି ଓ ଲାଇନ୍ ପାଇଁ ଯୋଉଠିକୁ ଯାଉଛୁ, ସମସ୍ତେ କହୁଛନ୍ତି ଟୋକନ୍ ଆଣ, ନଚେତ୍ ବିଏମସି ଚିଠି କଲେ ଯାଇ ପାଣି ଦିଆଯିବ। ତହସିଲଦାର ଓ ବିଡିଏ ଉଚ୍ଛେଦ କରି ଆମକୁ ଏଠି ଫୋପାଡ଼ି ଦେଇ ପଳେଇଲେ। କେମିତି ବଞ୍ଚିଛୁ ଗୋଟେ ଦିନ ଦେଖିବାକୁ ଆସିଲେନି। ଆମେ ଦିନ ମଜୁରିଆ ଶ୍ରେଣୀର ଲୋକ। ଦିନେ କାମ ବନ୍ଦ କରି ବିଏମସି ଦୌଡ଼ିଲେ ପେଟ ଉପାସ ରହିବ। ସେଥିରେ ଅନେକଥର ବିଏମସି ଗଲୁଣି ହେଲେ କେହି ଶୁଣିବାକୁ ନାହାନ୍ତି।
-ଶଶିଭୂଷଣ ପଲେଇ, ପୂର୍ବତନ ଲକ୍ଷ୍ମୀନଗର ବସ୍ତିବାସିନ୍ଦା
 ପୂର୍ବରୁ ଏଠାରେ ଥିବା ଲୋକଙ୍କ ଘରୁ ପାଣି ଆଣି ଚଳୁଛୁ
ପୂର୍ବରୁ ଏଠାରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ପାଣି ମାଗି ଚଳୁଛୁ। ସେ ବି ପୁଣି ଯେତେବେଳେ ପାଣି ଆସିବ, ସେତେବେଳେ ଯାଇ ପାଣି ମିଳିବ। ଅର୍ଥାତ୍ ସକାଳ ବେଳା ଘଣ୍ଟେ ପାଣି ଆସିଲା ବେଳେ ଆମେ ତାଙ୍କଠାରୁ ଯାଇ ପାଣି ଆଣୁଛୁ। ଯେଉଁଦିନ ସକାଳୁ ଉଠିବା ଡେରି ହେଲା, ସେ ଦିନ ଆଉ ପାଣି ମିଳିବ ନାହିଁ। ଖରା ଦିନରେ ବିନା ପାଣିରେ ଚଳିବା ବହୁତ କଷ୍ଟ ହେଉଛି।
-ଗୀତାଞ୍ଜଳି ନାୟକ, ପୂର୍ବତନ ଲକ୍ଷ୍ମୀନଗର ବସ୍ତିବାସିନ୍ଦା
 ପାଣି ବିଲ୍ ଦେଉଛୁ ହେଲେ ପାଣି ମିଳୁନି
ଆମ ଘରକୁ ପାଣି ପାଇପ୍ କନେକ୍ସନ ହୋଇଛି, ହେଲେ ପାଣି ଆସୁନି। ଅନେକଥର ଜେଇଇଙ୍କୁ କହିଲା ପରେ ବି ସେ ଶୁଣୁ ନାହାନ୍ତି। ପାଖରେ ଗୋଟେ ନଳକୂଅ ଅଛି, ହେଲେ ତା’ ଉପରେ ଶତାଧିକ ପରିବାର ନିର୍ଭରଶୀଳ। ସେ ପାଣି ରୋଷେଇ କରିବା ଅବା ପିଇବା ପାଇଁ ଅନୁପଯୁକ୍ତ। କାରଣ ପାଣି ଗୋଳିଆ ଓ ନଳକୂଅରୁ ଲୁହାଗୁଣ୍ଡ ବାହାରୁଛି। ମରାମତି ପାଇଁ କହିଲେ ବି କେହି ଶୁଣୁ ନାହାନ୍ତି।
-ଲଳିତା ପାତ୍ର, ପୂର୍ବତନ ଜଗନ୍ନାଥ ବସ୍ତିବାସିନ୍ଦା

ସମ୍ବନ୍ଧିତ ଖବର