ଅତୀତ ହୋଇଯାଇଛି ଦେଉଳି ପେଣ୍ଡି ବାଇଗଣ, ବିଲ୍‌ଡରଙ୍କ କବ୍‌ଜାରେ ବାରଙ୍ଗ ଚାଷ ଜମି

ବାରଙ୍ଗ: ଦିନ ଥିଲା ଯେତେବେଳେ ଦେଉଳି କଣ୍ଟା ପେଣ୍ଡି ବାଇଗଣ କିଣିବା ପାଇଁ ରାଜଧାନୀର ବିଭିନ୍ନ ହାଟରେ ଗ୍ରାହକମାନେ ଏକପ୍ରକାର ବ୍ୟାକୁଳ ହୋଇପଡ଼ୁଥିଲେ। ଖରା ଦିନ ଆରମ୍ଭ ହେଉ ନହେଉଣୁ ପଦାସାହିର ପୋଟଳ ପାଇଁ ହାଟରେ ଗରାଖଙ୍କ ଭିଡ଼ ହେଉଥିଲା। ରତାଗଡ଼ ଜହ୍ନି ଓ ଭେଣ୍ଡିର ଆଦର ଥିଲା କାହିଁରେ କେତେ। ମାତ୍ର ଆଜି ସେସବୁ ଅତୀତ। ବର୍ଷ କେଇଟା ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଦିନେ ଯେଉଁ ଜମିରେ ବିଭିନ୍ନ ପନିପରିବା ହସୁଥିଲା, ଆଜି ସେହି ଜମିରେ ଠିଆ ହୋଇଛି ମାଳମାଳ କୋଠା। ଚାଷ ଜମି ବିକି ସାରିବା ପରେ ଚାଷୀ ହାତବାନ୍ଧି ବସିଛି ଘରେ। ଯେଉଁ ଚାଷୀ ନିଜ ବିଲରୁ ସତେଜ ପରିବା ଖାଉଥିଲା, ଆଜି ସେ ବାସି ପରିବା କିଣି ଖାଉଛି। ଆଜି ଏମିତି ଅବସ୍ଥା ବାରଙ୍ଗ ଅଞ୍ଚଳ ଚାଷର। ମାତ୍ର ଦୁଇ ଦଶନ୍ଧି ଭିତରେ ବାରଙ୍ଗ ଅଞ୍ଚଳର ସବୁଜିମା ଏମିତି ହଜିଯାଇଛି।

‌ଦ୍ବୈତନଗରୀ କଟକ ଭୁବନେଶ୍ବର ଦୁଇ ପଟୁ ବାରଙ୍ଗକୁ ମାଡ଼ି ଚାଲିଛନ୍ତି। ଶସ୍ୟଶ୍ୟାମଳା ଚାଷ ଜମି ସବୁକୁ କିଣି ନେଉଛନ୍ତି ବିଲ୍‌ଡରମାନେ। କେତେବେଳେ ଅଧିକ ପଇସା ଲୋଭରେ ତ କେତେବେଳେ ବିଲ୍‌ଡରଙ୍କ ଷଣ୍ଢୁଆସୀ ଆକ୍ରମଣରେ ଚାଷୀମାନେ ଜମି ବିକି ଦେଉଛନ୍ତି। ଫଳରେ ଚାଷ ଜମିରେ ମୁଣ୍ତ ଟେକି ଠିଆ ହୋଇଛି ବିଶାଳ ବିଶାଳ କୋଠା। ଦେଉଳି, ବେଲଗାଛିଆ, ବଛିପୁର, ପଦାସାହି, ରତାଗଡ଼ ଆଦି ଗହୀରରେ ଆଜି ଆଉ ସବୁଜିମା ନାହିଁ। ଦେଉଳିରୁ ହଜି ଗଲାଣି କଣ୍ଟା ପେଣ୍ଡି ବାଇଗଣ ଚାଷ। ବେଲଗଛିଆ ଓ ବଛିପୁରରେ ଆଉ ଆଗ ଭଳି କଖାରୁ, ପୋଇ ଚାଷ ହେଉନାହିଁ। ପଦାସାହିର କୋବି ‌ଓ ପୋଟଳ, ଚଣ୍ଡୀ-ରତାଗଡ ଗ୍ରାମର ଜହ୍ନି, ଭେଣ୍ଡି, କାକୁଡ଼ି ଓ ଶାଗ ଚାଷ ମରିଗଲାଣି। ୨୦ ବର୍ଷ ପୂର୍ବେ ଏଠାରୁ ପରିବା ଯାଇ ଭୁବନେଶ୍ବର ଓ କଟକ ସହରରେ ବିକ୍ରି ହେଉଥିଲା। ବାରଙ୍ଗ ପରିବାର ଏକ ସ୍ବତନ୍ତ୍ର ଚାହିଦା ଥିଲା। ତେଣୁ ଚାଷୀମାନେ ବି ବେଶ୍ ଭଲ ରୋଜଗାର କରୁଥିଲେ। ମାତ୍ର ଆଜି ଯେମିତି ସବୁ କିଛି ସ୍ବପ୍ନ ପାଲଟି ଯାଇଛି।

ତେବେ ଆଜି ବି କିଛି ଚାଷୀ ପୁରୁଣା ଚାଷକୁ ଧରି ବସିଛନ୍ତି। ଫୁଲପୋଖରୀ ଗ୍ରାମର ଚାଷୀ ଅମୂଲ୍ୟ କୁମାର ବେଉରାଙ୍କ କହିବା କଥା ଚାଷ ଛାଡ଼ିବାକୁ ମନ ବଳୁନାହିଁ। ଚାଷ ଗଲେ ବଞ୍ଚିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଚାଷ ଜମି ବଞ୍ଚାଇ ରଖିବାକୁ ପ୍ରଶାସନ କିଛି କଟକଣା ଲାଗୁ କରୁ ବୋଲି ସେ ଦାବି କରିଛନ୍ତି। ଚାଷୀ ହୃଦାନନ୍ଦ ବେଉରା ମଧ୍ୟ ସମାନ କଥା ଦୋହରାଇଛନ୍ତି। ତାଙ୍କ କହିବା କଥା ଚାଷ ତ ମରିବ ନିଶ୍ଚୟ। ଯେତେବେଳେ ସମସ୍ତେ ବିକ୍ରି କରି ଦେଲେଣି, ଆମେ ଆଉ କେତେ କାଳ ଜମି ବଞ୍ଚାଇ ପାରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ଚାଷୀ ରାମଚନ୍ଦ୍ର ରାଉତଙ୍କ କହିବା କଥା ବାରଙ୍ଗ ଚାଷ ଆଜି ଅତୀତ ହେବାକୁ ଯାଉଛି। ଏହା ବଡ଼ ବ୍ୟଥାର କଥା। ଆଗକୁ ସ୍ଥାନୀୟ ଲୋକେ ଜୀବିକା ହରାଇ ହନ୍ତସନ୍ତ ହେବେ। ସରକାର ଚାଷ ବଞ୍ଚାଇବାକୁ ତୁରନ୍ତ କିଛି କରିବା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର