ଭୁବନେଶ୍ବର: ବସନ୍ତରେ ସୁଲୁସୁଲିଆ ମଳୟ ପବନରେ ପ୍ରେମୀ ମନ ଆନମନା ହେଉଛି। ଗତ ୩ ଦିନ ହେଲା ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଆରମ୍ଭ ହୋଇଯାଇଥିବାରୁ ସାରା ସହର ଏବେ ରଙ୍ଗିନ୍‌ ଲାଗୁଛି। ଫୁଲ ଦୋକାନୀଙ୍କଠାରୁ ଆରମ୍ଭ କରି ଉପହାର ବ୍ୟବସାୟୀ, ବିଭିନ୍ନ ମଲ୍‌ ଓ ରେସ୍ତୋରାଁରେ ଏନେଇ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Advertisment

ସାଧାରଣତଃ ‌ପ୍ରେମ ସପ୍ତାହରେ ଫୁଲ ଓ ଉପହାର ଦିଆନିଆର ପରମ୍ପରା ଥିବାରୁ ଏବେ ସହରର ସବୁ ଉପହାର ଦୋକାନରେ ଉପହାର ଭର୍ତି ରହିଛି। ଏଥିସହ ରାଜଧାନୀରେ ବେଙ୍ଗାଲୁରୁ ଓ କୋଲ୍‌କାତାର ଫୁଲର ସ୍ବତନ୍ତ୍ର ପସରା ମେଲିଛି। ଭାଲେଣ୍ଟାଇନ୍‌-ଡେ’ ଯାଏ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାରର ଟାର୍ଗେଟ୍‌ ରଖିଛନ୍ତି।

ଚାହିଦାରେ କଥାକୁହା ଟେଡି ଓ ଲାଇଟ୍‌ ଗୋଲାପ

publive-image Ubuy India

ପ୍ରେମ ସପ୍ତାହର ମୁଖ୍ୟ ଆକର୍ଷଣରେ ରୁହନ୍ତି ଟେଡି ଓ ଗୋଲାପ। ଏଣୁ ଏଥର ସହରରେ ଟେଡିର ଏକ ବିଶାଳ ମାର୍କେଟ୍‌ ସୃଷ୍ଟି ହୋଇଛି। ବିଶେଷକରି ପ୍ରେମିକମାନେ ନିଜ ପ୍ରେମିକାକୁ ଏହି ସପ୍ତାହରେ ଉପହାର ସ୍ବରୂପ ଟେଡି-ବିୟର୍‌ ଦେଉଥିବାରୁ ଏଥର ବିଭିନ୍ନ ଭେରାଇଟିିର ଟେଡି ମାର୍କେଟ୍‌କୁ ଆସିଛି। ‌ଲଭ୍‌ ଟେଡି, ହଗ୍‌ ଟେଡି, ଲାଇଟ୍‌ ଟେଡି, ଗୋଲାପ ଧରିଥିବା ଟେଡି ସହ ଗୋଲାପ ଧରି ‘ମୁଁ ତୁମକୁ ଭଲ ପାଉଛି’ କହୁଥିବା ଟେଡି ଏବେ ମାର୍କେଟରେ ବେଶ୍ ଚାଲିଛି। ତେବେ କଥାକୁହା ଟେଡିକୁ ନେଇ ଏବେ ପ୍ରେମୀଯୁଗଳଙ୍କ ମନରେ ବେଶ୍‌ ଆଗ୍ରହ ରହିଛି। ଅନ୍ୟପଟେ ଏବେ ବିବାହ ଋତୁ ଚାଲିଥିବାରୁ ନିଜ ପ୍ରିୟଜନଙ୍କୁ ଉପହାରରେ ଦେବାକୁ ଏହି କଥାକୁହା ଟେଡିର ଚାହିଦା ଅଧିକ ରହିଛି। ସେହିଭଳି ଟେଡିର କୋମଳତା ଓ ଆକାର ବି ଭିନ୍ନଭିନ୍ନ ରହିଛି। ବିଶେଷକରି ୨ରୁ ୩ ଫୁଟର ଟେଡି ବିୟରର ଚାହିଦା ଅଧିକ ରହିଛି। ଆକାର ଓ ଭିନ୍ନତା ଅନୁସାରେ ଟେଡିର ଦାମ୍‌ ୫୦୦ ଟଙ୍କାରୁ ଅାରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ସତ ଗୋଲାପ ଭଳି ଲାଇଟ୍‌ ଗୋଲାପର ଚାହିଦାରେ ବେଶ୍‌ ରହିଛି। ସତ ଗୋଲାପ ୩ରୁ ୪ ଦିନରେ ମଉଳି ଯାଉଥିବାରୁ, ଏବେ ପ୍ରେମୀଯୁଗଳ ଲାଇଟ୍‌ ଗୋଲାପକୁ ଅଧିକ ପସନ୍ଦ କରୁଛନ୍ତି। ଏହା ଘରସଜ୍ଜାରେ ବ୍ୟବହୃତ ହୋଇପାରୁଥିବା ବେ‌ଳେ ପ୍ରେମର ସନ୍ତକ ହୋଇ ରହୁଛି। ଏହାର ଦାମ୍‌ ୧୦୦ରୁ ୧୫୦ ଟଙ୍କା ଯାଏ ରହିଛି।

ସ୍ମୃତି ସାଉତୁଛି ପର୍ସୋନାଲାଇଜ୍‌ଡ୍‌ କ୍ୟାରିକେଚର୍‌ ଷ୍ଟାଣ୍ଡ୍‌

publive-image Nupur Gifts

ଡିଜିଟାଲ୍‌ ଯୁଗରେ ସାଧାରଣ ଉପହାର ପୁରୁଣା ହେଲାଣି। ଏବେ ଯୁବପିଢ଼ିଙ୍କ ମଧ୍ୟରେ ପର୍ସୋନାଲାଇଜ୍‌ଡ୍‌ ବା କଷ୍ଟମାଇଜ୍‌ଡ୍‌ ଉପହାରର ଚାହିଦା ବଢ଼ିଛି। କୁସନ୍‌ କଭର୍‌, ଫଟୋ ଫ୍ରେମ୍‌, କଫି ମଗ୍‌, ଚାବି ରିଙ୍ଗ୍‌ ଓ ପେନ୍‌ ଆଦିରେ ନିଜ ପ୍ରିୟଜନଙ୍କ ଫଟୋ ବା ନାମ ଖୋଦେଇ କରି ବା ଛାପି ଉପହାର ସ୍ବରୂପ ଦେବାର ଟ୍ରେଣ୍ଡ ଏବେ ଅଧିକ ଚାଲିଛି। ଫୁଲ, ଚକୋଲେଟ୍‌ ଓ ବିଭିନ୍ନ ସାଧାରଣ ଉପହାର ସାମଗ୍ରୀ ସହଜରେ ଭୁଲି ହେଲା ଭଳି ଉପହାର ହୋଇଥିବା ବେଳେ ପର୍ସୋନାଲାଇଜ୍‌ଡ୍‌ ବା କଷ୍ଟମାଇଜ୍‌ଡ୍‌ ଉପହାର ଏକ ସ୍ମୃତି ହୋଇ ସବୁବେଳେ ପୁରୁଣା ସ୍ମୃତିକୁ ଉଜାଗର କଲାଭଳି ଉପହାର। ଏଣୁ ଏବେ ଏହି ସବୁ ଉପହାରର ଚାହିଦା ବଢ଼ିଛି। ବିବାହ ଋତୁ ଥିବାରୁ ଏବେ ପର୍ସୋନାଲାଇଜ୍‌ଡ୍‌ କ୍ୟାରିକେଚର୍‌ ଷ୍ଟାଣ୍ଡ୍‌ ବା ମଡେଲ ଅଧିକ ବିକ୍ରି ହେଉଛି। ଏଥିରେ ଦମ୍ପତିଙ୍କ ବିଭିନ୍ନ ବିଶେଷ ମୁହୂର୍ତ୍ତର ଫେଟୋ ଥ୍ରି-ଡି ଷ୍ଟାଇଲ୍‌ରେ ପ୍ରତିମୂର୍ତି ଆକାରରେ ଏକ ବାର୍ତା ସହ ରହିଥାଏ। ଏ‌ହା ବେଡ୍‌ରୁମ୍‌ ‌ସାଜସଜ୍ଜା ପାଇଁ ବେଶ୍‌ ସୁନ୍ଦର ଲାଗୁଥିବା ବେଳେ ଦମ୍ପତିଙ୍କୁ ନିଜ ପୁରୁଣା ସ୍ମୃତି ମନେ ପକାଇଥାଏ। ଏସବୁର ଦାମ୍‌ ଅଫ୍‌ଲାଇନ୍‌ରେ ଅଧିକ ରହୁଥିବା ବେଳେ ଅନ୍‌ଲାଇନ୍‌ରେ ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ଭଲ ଆସି ଯାଉଛି।