ଭୁବନେଶ୍ୱର: ରାଜ୍ୟ ପୌରାଞ୍ଚଳମାନଙ୍କରେ ଚିହ୍ନଟ ହୋଇଥିବା ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଗରିମା ପରିଚୟପତ୍ର ପ୍ରଦାନ କରାଯିବ। ବିଶ୍ବ ପରିବେଶ ଦିବସ ଅବସରରେ ସେମାନଙ୍କୁ ଏହି ପରିଚୟପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି କର୍ପୋ‌ରେସନ୍‌ ଓ ପୁରୀ ପୌରସଂସ୍ଥାରେ ୩୯୨୫ଜଣଙ୍କୁ ଏହି ପରିଚୟପତ୍ର ବଣ୍ଟନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ସହରାଞ୍ଚଳର ୫୭୨୫ ପ୍ରମୁଖ ସଫେଇ କର୍ମଚାରୀଙ୍କୁ ପରିଚୟପତ୍ର ବଣ୍ଟନ କରାଯିବ।

Advertisment

୨୦୨୦ ମସିହାରେ ଓଡ଼ିଶା ସରକାର ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗରିମା ଯୋଜନା ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ୟାକେଜ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ମାନବ ମଳ ବର୍ଜ୍ୟବସ୍ତୁର କାରବାରରେ ଲିପ୍ତ ଥିବା ପରିମଳ କର୍ମଚାରୀଙ୍କୁ ଗରିମା ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ମିଳୁଥିବା ସୁରକ୍ଷା ଓ ସୁବିଧା ଯେପରି ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଧ୍ୟାନ ଦିଆଯିବ। ଏହି ଯୋଜନାରେ ସାମିଲ ହେବାକୁ ଥିବା ମୁଖ୍ୟ ପରିମଳ କାର୍ଯ୍ୟ କରୁଥିବା ପ୍ରକୃତ ଶ୍ରମିକମାନଙ୍କୁ ଚିହ୍ନଟ କରିବା ପାଇଁ ସର୍ବେକ୍ଷଣ କରାଯାଇଥିଲା। ପରେ ବୈଧତା ପ୍ରକ୍ରିୟାରେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କୁ ଗରିମା ଆଇଡି ପ୍ରଦାନ କରାଯାଉଛି।

ଏହା ସାମାଜିକ ସୁରକ୍ଷା ଓ ସେବାସ୍ତରୀୟ ଲାଭ ପାଇବା ପାଇଁ ‘ୱାନ୍ ଷ୍ଟପ୍ ସୂଚନା ପଏଣ୍ଟ’ ଭାବେ କାର୍ଯ୍ୟ କରିବ। ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ବିଏମସି ଓ ଏସଏମ୍‌ସି କମିସନରଙ୍କ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ବିଶିଷ୍ଟ ବ୍ୟକ୍ତି/ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।