ଦ୍ବିତୀୟ ଲହରରେ ଏମ୍‌ସରେ ୧୫ କୋଭିଡ୍‌ ଆକ୍ରାନ୍ତ ଶିଶୁ, ପ୍ରଥମ ଲହରରେ ଚିକିତ୍ସାଧୀନ ଥିଲେ ପାଖାପାଖି ଶହେ

ବାହାରେ ପିଲାଙ୍କୁ ନ ଖେଳିବା ପାଇଁ ପରାମର୍ଶ

ଭୁବନେଶ୍ବର: କରୋନାରେ କେବଳ ବୟସ୍କ ନୁହନ୍ତି, ଶିଶୁମାନେ ବି ଆକ୍ରାନ୍ତ ହେଉଛନ୍ତି। ଦ୍ବିତୀୟ ଲହରରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ପ୍ରାୟ ୧୫ ଶିଶୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିମଧ୍ୟରେ ସର୍ବନିମ୍ନ ୬ ମାସଠାରୁ ଆରମ୍ଭ କରି ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ରହିଛନ୍ତି। ଏଥିସହିତ ପ୍ରତିଦିନ ପ୍ରାୟ ୩ରୁ୪ ଜଣ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ସମ୍ପର୍କରେ ଟେଲିମେଡିସିନ ଏବଂ ସ୍ବାସ୍ଥ୍ୟ ଆପ୍‌ ଜରିଆରେ ପରାମର୍ଶ ଦିଆଯାଉଛି। ତେବେ ଆଶ୍ବସ୍ତିର ବିଷୟ ହେଲା, କରୋନା ସହିତ ଅନ୍ୟ ରୋଗ ଥାଇ ମଧ୍ୟ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ପ୍ରଥମ ଲହରଠାରୁ ଦ୍ବିତୀୟ ଲହରରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଶିଶୁ। ତୃତୀୟ ଲହର ଶିଶୁଙ୍କ ପାଇଁ ଆହୁରି ବିପଜ୍ଜନକ ହେବା ନେଇ ଆଶଙ୍କା କରାଯାଉଛି। ବିଶେଷକରି ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ବର୍ଷ ପର୍ଯ୍ୟନ୍ତ ଟିକା ବ୍ୟବସ୍ଥା ହୋଇ ପାରିନଥିବାରୁ ଚିନ୍ତା ବଢିବାରେ ଲାଗିଛି। ଏହାସତ୍ତ୍ବେ ଶିଶୁମାନେ କରୋନାକୁ ପରାଜିତ କରିବା ଆଶ୍ବସ୍ତି ବିଷୟ ହୋଇଛି। ୪ ମାସ ମଧ୍ୟରେ ଶିଶୁଙ୍କ ପାଇଁ ବି ଟିକା ଆସିବା ନେଇ ଆଶା କରୁଛନ୍ତି ବିଶେଷଜ୍ଞ।

ଏମ୍‌ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ଅଧିକାଂଶ କିଡନି, ଲିଭର, ହାର୍ଟ, ରକ୍ତ କର୍କଟ ଆଦି ସମେତ ଅନ୍ୟ ଜଟିଳ ରୋଗରେ ପୀଡ଼ିତ ରହିଛନ୍ତି। ଏହାର ଚିକିତ୍ସା ପାଇଁ ପରୀକ୍ଷା ବେଳେ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପ୍ରଥମ ଲହର ବେଳେ ଏମ୍‌ସରେ ପ୍ରାୟ ଶହେ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରେ ଜଣେ ଜଣାଶୁଣା କନିଷ୍ଠ ଖେଳାଳି ମଧ୍ୟ ଥିଲେ। କିନ୍ତୁ ସମସ୍ତେ ସୁସ୍ଥ ହୋଇଥିଲେ। ବିଶେଷଜ୍ଞଙ୍କ ଅନୁସାରେ, କରୋନା ସମଗ୍ର ରାଜ୍ୟକୁ ସଂକ୍ରମିତ କରି ସାରିଛି। ତେଣୁ ଶିଶୁମାନେ ବି ଏମାନଙ୍କ ଭିତରେ ନିଶ୍ଚିତ ରହିବେ। ମୁଖ୍ୟତଃ କରୋନା ପଜିଟିଭ୍‌ ଅଭିଭାବକଙ୍କ ଠାରୁ ଶିଶୁ ସଂକ୍ରମିତ ହେଉଛନ୍ତି। ବଡ଼ମାନେ ଯେଉଁଭଳି ଭାବରେ ମାସ୍କ ପରିଧାନ, ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଉଛନ୍ତି; ଶିଶୁମାନେ ଏହାକୁ ଦେଉ ନାହାନ୍ତି। ଅନେକ ସମୟରେ ବାହାରେ ଖେଳୁଛନ୍ତି। ଫଳରେ ୫ରୁ ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ବେଶି ସଂକ୍ରମିତ ହେଉଛନ୍ତି। ସାମାନ୍ୟ ଲକ୍ଷଣ ଥିବା ଶିଶୁମାନଙ୍କୁ ଗୃହାବଦ୍ଧରେ ରହି ଚିକିତ୍ସା ପାଇଁ ପରାମର୍ଶ ଦିଆଯାଉଛି। ଯେଉଁମାନଙ୍କ ଅବସ୍ଥା ଜଟିଳ ହେଉଛି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା ମଧ୍ୟ ଏମ୍‌ସରେ ରହିଛି। ଏଥିରେ ଆକ୍ରାନ୍ତଙ୍କ ମୂଳ ରୋଗ ସହିତ କୋଭିଡ୍‌ର ଚିକିତ୍ସା ମଧ୍ୟ ହେଉଛି।

ଶିଶୁଙ୍କ କୋଭିଡ୍‌ ଚିକିତ୍ସା ନେଇ ମୁଖ୍ୟ ସମସ୍ୟା ହେଲା, ସାଧାରଣ କୋଭିଡ୍‌ ଆକ୍ରାନ୍ତଙ୍କୁ ଯେଉଁଭଳି ଭାବରେ ଶକ୍ତିଶାଳୀ ଔଷଧ (ଆଣ୍ଟି ଭାଇରାଲ) ଦିଆଯାଉଛି, ଶିଶୁମାନଙ୍କୁ ଏହା ଦେବା ସମ୍ଭବ ନୁହେଁ। ଷ୍ଟେରୋଏଡ ଦେବା ବେଳକୁ ମଧ୍ୟ ନିୟନ୍ତ୍ରିତ ଭାବରେ ଦେବାକୁ ପଡ଼ୁଛି। କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ତାପମାତ୍ରାକୁ ନିୟନ୍ତ୍ରଣ ଦିଗରେ ଗୁରୁତ୍ବ ଦିଆଯାଉଛି। କରୋନାରୁ ରକ୍ଷାପାଇଁ ଶିଶୁମାନେ ପ୍ରଥମତଃ ବାହାରକୁ ଖେଳିବାକୁ ଯାଆନ୍ତୁ ନାହିଁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ନିୟମିତ ହାତ ସଫା କରନ୍ତୁ ଏବଂ ଘରେ ଥାଇ ପରିଶ୍ରମ କରନ୍ତୁ ବୋଲି ପରାମର୍ଶ ଦେଉଛନ୍ତି ଡାକ୍ତର।

ସମ୍ବନ୍ଧିତ ଖବର