ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ଦାଦାଗିରି, ଯାଞ୍ଚ ବେଳେ ଯୁବକଙ୍କୁ ମୁଥ

ଭୁବନେଶ୍ବର: କିଛି ଦିନ ହେଲା ରାଜଧାନୀରେ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ଦାଦାଗିରିକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ଦାଦାଗିରିର ଭିନ୍ନ ଏକ ରୂପ କ୍ୟାପିଟାଲ ଥାନା ଫରେଷ୍ଟ ପାର୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଦୁଇ ଜଣ ଟ୍ରାଫିକ୍‌ ପୁଲିସ କର୍ମଚାରୀ ଜଣେ ସ୍କୁଟି ଚାଳକଙ୍କ ମୁହଁକୁ ମୁଥ ମାରି ଆହତ କରିଛନ୍ତି। ଆହତ ଯୁବକ ହେଲେ, ପିପିଲି ଅଞ୍ଚଳର ନୀନକାନ୍ତ ସାହୁ। ସୂଚନା ମୁତାବକ ନୀନକାନ୍ତ ଫରେଷ୍ଟପାର୍କ ନିକଟ ରାସ୍ତାରେ ସ୍କୁଟି ଯୋଗେ ଯାଉଥିବା ବେଳେ ହଠାତ୍‌ ଜଣେ ଟ୍ରାଫିକ୍‌ ପୁଲିସ କର୍ମଚାରୀ ତାଙ୍କ ସ୍କୁଟି ଆଗକୁ ମାଡ଼ି ଆସିଥିଲେ। ତେଣୁ ସେ ହଡ଼ବଡ଼େଇ ଯାଇଥିଲେ ଓ ଡିଭାଇଡର୍‌ରେ ପିଟି ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ହେଲ୍‌ମେଟ୍‌ ପିନ୍ଧିଥିବା ସତ୍ତ୍ବେ ତାଙ୍କୁ କାହିଁକି ଅଟକାଯାଉଛି ବୋଲି ସେ ପଚାରିଥିଲେ। ଏତିକିବେଳେ ଉକ୍ତ ଟ୍ରାଫିକ୍‌ କର୍ମଚାରୀ ତାଙ୍କ ହେଲ୍‌ମେଟ୍‌ କାଢ଼ି ଦେଇଥିଲେ ଓ କାନରେ ଲାଗିଥିବା ମୋବାଇଲ୍‌‌ ଫୋନ୍‌କୁ ବାହାର କରିଥିଲେ।

ନୀନକାନ୍ତ ମୋବାଇଲ୍‌ରେ କଥା ହେଉନଥିବା କହିଥିଲେ ବି ସେ କିଛି ଶୁଣି ନଥିଲେ। ଏମିତିକି ନୀନକାନ୍ତ ମୋବାଇଲ୍‌ ଫୋନ୍‌ର କଲ୍‌ ରେକର୍ଡ ଯାଞ୍ଚ କରିବାକୁ ବି କହିଥିଲେ। କିନ୍ତୁ ଟ୍ରାଫିକ୍‌ କର୍ମଚାରୀ କିଛି ଶୁଣିନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ଦେଖି ଆଉ ଜଣେ ଟ୍ରାଫିକ୍‌ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଦୁଇ ଟ୍ରାଫିକ୍‌ ପୁଲିସ କର୍ମଚାରୀ ମିଶି ନୀନକାନ୍ତଙ୍କୁ ପିଟିବା ଆରମ୍ଭ କରିଥିଲେ। ଜଣେ ତାଙ୍କ ମୁହଁକୁ ମୁଥ ମାରି ଚାଲିଥିବା ବେଳେ ଅନ୍ୟ ଜଣେ ତାଙ୍କ ବେକମୁଣ୍ଡାକୁ ବିଧା ମାରି ଚାଲିଥିଲେ। ନୀନକାନ୍ତଙ୍କ ଚିତ୍କାର ଓ ଟ୍ରାଫିକ୍‌ ପୁଲିସର ଏଭଳି ଅମାନବୀୟ କାଣ୍ଡ ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଅଟକିବା ସହ ପ୍ରତିବାଦ କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ଓ କ୍ୟାପିଟାଲ ଥାନା ପିସିଆର୍‌ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ ନୀନକାନ୍ତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର