ହାଇକୋର୍ଟରେ ଐତିହାସିକ ଶିଶୁପାଳଗଡ଼ ସୁରକ୍ଷା ମାମଲା: ସତ୍ୟପାଠରେ ସରକାର-ଏଏସ୍‌ଆଇ ମୁହାଁମୁହିଁ

କଟକ: ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗକୁ ନେଇ ପୁଣି ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟରେ ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି। ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଛି। ଏଏସ୍‌ଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ଜବରଦଖଲ ଓ ବେଆଇନ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାର ସବୁ ଜାଣି ଚୁପ୍‌

୧୯୫୦ ନଭେମ୍ବର ୧୩ର ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ, ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ ହୋଇଥିବା ବେଳେ ମାତ୍ର ୭୭୫ ଡିସିମିଲ ଜମିର ସୀମା ଗତବର୍ଷ ନିର୍ଦ୍ଧାରଣ କରାଯାଇଛି। ସଂପୂର୍ଣ୍ଣ ଭାବେ ୫୬୨ ଏକର ୬୮୧ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ ସହିତ ଜବରଦଖଲ ବନ୍ଦ କରିବା ଓ ବେଆଇନ ଭାବେ ନିର୍ମିତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ଏଏସ୍‌ଆଇ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସଂରକ୍ଷିତ ଅଞ୍ଚଳର ଅଧିକାଂଶ ଜମି ଏବେ ଜବରଦଖଲରେ ରହିଛି।

ବେଆଇନ ଭାବେ କୋଠାବାଡ଼ି ନିର୍ମାଣ କରାଯାଇଛି। ରାଜ୍ୟ ସରକାର ସବୁ ଜାଣି ଚୁପ ବସିଛନ୍ତି। ଅନ୍ୟପକ୍ଷେ ବେଆଇନ ଭାବେ ନିର୍ମାଣ କରାଯାଇଥିବା କୋଠାଗୁଡ଼ିକ ପାଇଁ ରାଜ୍ୟ ସରକାର ରାସ୍ତାଘାଟ, ବିଦ୍ୟୁତ୍‌, ଡ୍ରେନ୍ ଓ ଅନ୍ୟାନ୍ୟ ସୁବିଧା କରିଛନ୍ତି। ସଂରକ୍ଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଏପରି ଉନ୍ନତୀକରଣ କାର୍ଯ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ପାଇଁ ଏଏସ୍‌ଆଇ ଓ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯିବା କଥା। କିନ୍ତୁ ରାଜ୍ୟ ସରକାର କୌଣସି ପ୍ରକାର ଅନୁମତି ନେଇ ନାହାନ୍ତି ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏଥିସହ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଦାଖଲ କରିଥିବା ସତ୍ୟପାଠରେ ହାଇକୋର୍ଟରେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରାଯାଇନାହିଁ। ସରକାରଙ୍କ ସତ୍ୟପାଠରେ କେତେକ ପ୍ରସଂଗରେ ଭୁଲ ଅବତାରଣା କରାଯାଇଥିବା ବେଳେ ତଥ୍ୟ ଲୁଚାଯାଇଛି ବୋଲି ଏଏସ୍‌ଆଇ ଦର୍ଶାଇଛି। ୨୦୨୧, ଜୁନ୍ ୧୧ରେ ଶିଶୁପାଳଗଡ଼ରେ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଅଧିକାରୀ, ଏଏସ୍‌ଆଇ ଅଧିକାରୀଙ୍କ ଉପସ୍ଥିତିରେ ଯୁଗ୍ମସର୍ଭେ ଓ ସୀମା ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏଏସ୍‌ଆଇ ନାଁରେ ରେକର୍ଡ ଥିବା ମାତ୍ର ୭୭୫ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହି ୭୭୫ ଡିସିମିଲ ଶିଶୁପାଳଗଡ଼ର ସଂରକ୍ଷିତ ଘୋଷଣା କରାଯାଇଥିବା ୫୬୨ ଏକର ୬୮୧ ଡିସିମିଲ ଅନ୍ତର୍ଭୁକ୍ତ ବୋଲି ଏସଏସ୍‌ଆଇ ଦର୍ଶାଇଛି।

ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ ପାଚେରି ନିର୍ମାଣ ପାଇଁ ଏଏସଆଇ ତରଫରୁ ୮୧ ଲକ୍ଷ ୩ ହଜାର ୯୭୧ ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ ବେଆଇନ ଜବରଦଖଲ ଉଚ୍ଛେଦ ଓ ସଂପୂର୍ଣ୍ଣ ସଂରକ୍ଷିତ ଅଞ୍ଚଳର ସୀମା ନିର୍ଦ୍ଧାରଣ ପରେ ପାଚେରି ନିର୍ମାଣ କରାଯାଇ ପାରିବ ବୋଲି ଏଏସଆଇ ତରଫରୁ ଦର୍ଶାଯାଇଛି। ଯଦି କୌଣସି ସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷିତ ଅଞ୍ଚଳର ଜମି ଜବରଦଖଲ କରାଯାଏ ବା କୌଣସି ବେଆଇନ ନିର୍ମାଣ କରାଯାଇଥାଏ, ତେବେ ଏଏସ୍‌ଆଇ ଦାୟିତ୍ବ ହେଉଛି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା। କିନ୍ତୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରାଜ୍ୟ ସରକାରଙ୍କ ବୋଲି ଏଏସ୍‌ଆଇ ତରଫରୁ ଦର୍ଶାଯାଇଛି।

ଜିଲ୍ଲାପାଳ, ଆରଡିସି ଓ ବହୁ ଉଚ୍ଚସ୍ତରୀୟ ବୈଠକରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ ଜବରଦଖଲ ପ୍ରସଂଗରେ ଏଏସ୍‌ଆଇ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ। ଏଏସଆଇ ତରଫରୁ ଶିଶୁପାଳଗଡ଼ ସଂରକ୍ଷିତ ଅଞ୍ଚଳ ଜବରଦଖଲ କରି କରାଯାଇଥିବା ନିର୍ମାଣର ଫଟୋ ମଧ୍ୟ ସତ୍ୟପାଠ ସହିତ ଦାଖଲ କରାଯାଇଛି।

ଏଏସଆଇ ସତ୍ୟପାଠ ଉପରେ ଜବାବ ରଖିବାକୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଚାରି ସପ୍ତାହ ମହଲତ ଲୋଡ଼ା ଯାଇଥିଲା। ଶିଶୁପାଳଗଡ଼ର ସଂରକ୍ଷିତ ଘୋଷିତ ୫୬୨ଏକର ୬୮୧ ଡିସିମିଲ ଜମି ଉପରେ ପାଚେରି ନିର୍ମାଣ ଓ ଜବରଦଖଲ ଉଚ୍ଛେଦ ପ୍ରସଂଗରେ କ’ଣ ଯୋଜନା ରହିଛି, ସେନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌.ମୁରଲୀଧର ଓ ଜଷ୍ଟିସ୍ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗ ନେଇ ୨୦୦୭ରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟସ୍ ଆଣ୍ଡ୍ କଲଚର୍ ହେରିଟେଜ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲାରେ ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ  ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର