କେତେ ସୁରକ୍ଷିତ ନନ୍ଦନକାନନର ଜୀବଜନ୍ତୁ! ଅଢ଼େଇ ମାସରେ ମଲେଣି ୪ ବାଘ

ସିଂହୀ, ଜଳହସ୍ତୀ ମୃତ , ବିପଦରେ ଶାଗୁଣା ବଂଶ

ଭୁବନେଶ୍ବର: ନନ୍ଦନକାନନରେ ବାଘ ଛୁଆ ମଡ଼କ। ଫେବ୍ରୁଆରି ୨ରୁ ଏପ୍ରିଲ ୧୫ ଅର୍ଥାତ୍‌ ମାତ୍ର ଅଢ଼େଇ ମାସ ମଧ୍ୟରେ ୪ଟି ବାଘଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ସମସ୍ତ ୪ଟି ଯାକ ବାଘଙ୍କ ବୟସ ଏକ ବର୍ଷରୁ କମ୍‌। ମାର୍ଚ୍ଚ ୧୧ରେ ବାଘୁଣୀ ‘ରୁପା’ ଓ ସାଧାରଣ ରଙ୍ଗର ମହାବଳ ‘ରାଜେଶ’ ମିଳନରୁ ଜନ୍ମ ନେଇଥିବା ତିନୋଟି ଶାବକଙ୍କ ମଧ୍ୟରୁ ଇତି ମଧ୍ୟରେ ଦୁଇଟିର ମୃତ୍ୟୁ ହୋଇସାରିଛି। ଅପ୍ରାପ୍ତ ବୟସରେ ମା’ ହୋଇଥିବାରୁ ରୂପା ଶାବକମାନଙ୍କ ଉପଯୁକ୍ତ ଯତ୍ନ ନେଇନଥିଲା। ଯେଉଁଥିପାଇଁ ଜନ୍ମ ଦେବାର ୮ ଦିନ ମଧ୍ୟରେ ହିଁ ଗୋଟିଏ ନବଜାତକ ବାଘ ଛୁଆର ମୃତ୍ୟୁ ହୋଇଥିଲା। ତେଣୁ ଅନ୍ୟ ଦୁଇ ଛୁଆଙ୍କୁ ରୁପା ନିକଟରୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଜନ୍ତୁ ରକ୍ଷକଙ୍କ ହେପାଜତରେ ରଖାଯାଇଥିଲା। ଏବେ ମାଈ ଛୁଆଟିର ମୃତ୍ୟୁ ହୋଇଯାଇଛି। ବଞ୍ଚି ରହିଛି କେବଳ ଧଳା ରଙ୍ଗର ଅଣ୍ଡିରା ଶାବକ। ତେବେ ଏହି ଛୁଆଟି ବି କେତେ ଦିନ ବଞ୍ଚିବ, ତାହାକୁ ନନ୍ଦନକାନନ କର୍ତୃପକ୍ଷ ଚିନ୍ତାରେ ଥିବା ବେଳେ ବନ୍ୟପ୍ରାଣୀପ୍ରେମୀ ମହଲରୁ ବାଘ ଶାବକଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଗୋଟିଏ ପରେ ଗୋଟିଏ ବାଘ ଶାବକଙ୍କ ମୃତ୍ୟୁ ହେବା ଦ୍ବାରା ନନ୍ଦନକାନନରେ ବାଘଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଦେଢ଼ ବର୍ଷ ତଳର ହାତୀ ମଡ଼କ ଘଟଣା ମନରୁ ଲିଭି ନ ଥିବା‌ ବେଳେ ଏବେ ଏତେ ସଂଖ୍ୟକ ବାଘ ଶାବକଙ୍କ ମୃତ୍ୟୁ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଫେବ୍ରୁଆରି ୨ରେ ଧଳା ବାଘୁଣୀ ‘ବିଜୟା’ର ଏକ ୧୦ ମାସର ଅଣ୍ଡିରା ଶାବକର ମୃତ୍ୟୁ ସବୁଠାରୁ ଅଧିକ ଦୁଃଖ ଦେଇଥିଲା। ୨୦୨୧ ମାର୍ଚ୍ଚ ମାସରେ ବଜୟା ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା ଏବଂ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ଛୁଆମାନଙ୍କ ନାମକରଣ ରକି, ବଂଶୀ, ରାକେଶ ରଖାଯାଇଥିଲା। ନାମକରଣର ଦୁଇ ମାସ ବିତିଛି କି ନାହିଁ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ‘ବଂଶୀ’ର ମୃତ୍ୟୁ ଘଟିଥିଲା। ଏହାର ୪୦ ପରେ ଆଉ ଏକ ଝଟକା ଲାଗିଥିଲା।

୯ ମାସର ବାଘ ଛୁଆ ‘ବିବେକ’ ନିମୋନିଆରେ ଆକ୍ରାନ୍ତ ହୋଇ ମାର୍ଚ୍ଚ ୧୨ ତାରିଖରେ ମୃତ୍ୟୁବରଣ କରିଥିଲା। ଅଢ଼େଇ ମାସରେ ୪ଟି ବାଘ ଶାବକଙ୍କ ମୃତ୍ୟୁ ହେବା ନନ୍ଦନକାନନ କର୍ତୃପକ୍ଷଙ୍କ ଯତ୍ନକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ନନ୍ଦନକାନନ କର୍ତୃପକ୍ଷ ବାଘ ମଡ଼କକୁ ଅସ୍ବୀକାର କରିଛନ୍ତି। ବିଭିନ୍ନ କାରଣ ଲାଗି ବାଘ ଶାବକଙ୍କର ମୃତ୍ୟୁ ଘଟିଛି। ଆମ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନିୟମିତ ଭାବେ ସେମାନଙ୍କ ଯତ୍ନ ନିଆଯାଉଛି। କୌଣସି ପ୍ରକାର ଅବହେଳା କରାଯାଇ ନାହିଁ। ଆଗାମୀ ଦିନରେ ବାଘ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଉପରେ କଡ଼ା ନଜର ରଖାଯିବ।

କେବଳ ଯେ ବାଘ ମରୁଛନ୍ତି ତାହା ନୁହେଁ। ତିନି ଦିନ ମଧ୍ୟରେ ଏସିୟ ସିଂହୀ ‘ଶ୍ୟାମା’ର ମୃତ୍ୟୁ ହୋଇଥିବା ବେଳେ ଆଜି ଗୋଟିଏ ଜଳହସ୍ତୀର ଜୀବନ ଯାଇଛି। ଶାଗୁଣା ବଂଶ ପ୍ରତି ମଧ୍ୟ ବିପଦ ମାଡ଼ି ଆସିଛି। ପ୍ରାଣୀ ଉଦ୍ୟାନ ସ୍ଥିତ ଶାଗୁଣା ପ୍ରଜନନ କେନ୍ଦ୍ରରେ ଥିବା ୪ଟି ଧଳାବେକ ଶାଗୁଣା ଇତି ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ୪୧, ୪୪, ୪୫ ଓ ୪୬ ନମ୍ବର ଶାଗୁଣାଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯାଇଛି। ସେମାନଙ୍କ ଆଖି ପତା ଫୁଲିବା ସହ ପାଚି ଯାଉଥିବାର ଦେଖିବାକୁ ମିଳିଛି। ଲକ୍ଷଣ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ବିଶେଷଜ୍ଞ ଚିକିତ୍ସକଙ୍କୁ ନେଇ ଗଠିତ ବୈଷୟିକ କମିଟିର ସହାୟତା ଲୋଡ଼ିଥିଲେ। ବିଶେଷଜ୍ଞମାନେ ସଂକ୍ରମିତ ଶାଗୁଣାମାନଙ୍କୁ ଦଳରୁ ଅଲଗା କରି ରଖିବା ସହ ପ୍ରଜନନ କେନ୍ଦ୍ର ମଧ୍ୟରେ ରହିଥିବା ସମସ୍ତ ୧୦ଟି ଶାଗୁଣାଙ୍କୁ ରୋଗ ପ୍ରତିଷେଧକ ଦେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ୨୦୧୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୭୨ଲକ୍ଷ ଟଙ୍କା ବ୍ୟୟରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ ହୋଇଥିଲା।

ସେହିବର୍ଷ ଡିସେମ୍ବର ୨୮ରେ ଗ୍ବାଲିୟର୍‌ରୁ ୬ହଳ ଧଳା ବେକ ଶାଗୁଣାଙ୍କୁ ନନ୍ଦନକାନନକୁ ଅଣାଯାଇ ବଂଶବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଥିଲା। ମାତ୍ର ଗତ ମାର୍ଚ୍ଚ ୧୯ରେ ଗୋଟିଏ ଅଣ୍ଡିରା ଏବଂ ଏହାର କିଛି ମାସ ପୂର୍ବରୁ ଗୋଟିଏ ମାଈ ଧଳାବେକ ଶାଗୁଣାର ମୃତ୍ୟୁ ହୋଇଛି। ଏହାଦ୍ବାରା ଶାଗୁଣା ବଂଶ ପ୍ରତି ମଧ୍ୟ ବିପଦ ଦେଖାଦେଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ କମିଥିବା କର୍ତୃପକ୍ଷ ଦର୍ଶାଇଥିଲେ। ମାତ୍ର ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। ୨୦୧୯-୨୦ରେ ୯୮ଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୦-୨୧ରେ ତାହା ୭୪କୁ ଖସି ଆସିଥିଲା। ସେଥିମଧ୍ୟରୁ ୩୩ଟି ସ୍ତନ୍ୟପାୟୀ, ୩୯ଟି ପକ୍ଷୀ, ୨ଟି ସରୀସୃପ (ରେପଟାଇଲ୍ସ) ରହିଥିଲେ। ୨୬ ବର୍ଷୀୟ ସିଂହୀ, ବାଘ, ହିମାଳୟନ୍‌ କଳା ଭାଲୁ, ୩ଟି ମାର୍ମୋସେଟ୍‌, ଆନାକୋଣ୍ଡା, ଅହିରାଜ ପରି ଜୀବଜନ୍ତୁଙ୍କ ଜୀବନ ଯାଇଥିଲା। ୨୦୧୫-୧୬ରେ ଜୀବଜନ୍ତୁଙ୍କ ମୃତ୍ୟୁହାର ୩.୬୧% ଥିବା ବେଳେ ୨୦୧୬-୧୭ରେ ୧.୬୨%, ୨୦୧୭-୧୮ରେ ୨.୨୪%, ୨୦୧୮-୧୯ରେ ୧.୬୭%, ୨୦୧୯-୨୦ରେ ୨.୬୦% ଓ ୨୦୨୦-୨୧ରେ ୧.୭୭% ରହିଥିଲା। ୨୦୧୫-୧୬ରେ ସର୍ବାଧିକ ୧୦୦ ଜୀବଜନ୍ତୁ ପ୍ରାଣ ହରାଇଥିଲେ।

ସଂଘର୍ଷରେ ଜଳହସ୍ତୀ ମୃତ

ବାରଙ୍ଗ: ଗତ କିଛି ଦିନ ହେଲା ବିଭିନ୍ନ କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ୟପ୍ରାଣୀମା‌ନେ ମରିଯାଉଛନ୍ତି। ଗତ ସପ୍ତାହରେ ଦୁଇଟି ବାଘ ଶାବକ ମରିଥିବା ବେଳେ ଗୋଟିଏ ବୃଦ୍ଧା ସିଂହୀର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ଏକ ମାଈ ଜଳହସ୍ତୀର ମୃତ୍ୟୁ ହୋଇଛି। ଆଜି ସକାଳୁ ୧୩ ବର୍ଷ ବୟସର ଏହି ମାଈ ଜଳହସ୍ତୀର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନେ ପାଣି ଭିତରୁ ବାହାର କରି ଉପରକୁ ଆଣିବା ପରେ ମୃତଦେହରେ ବହୁ କ୍ଷତ ଚିହ୍ନ ଦେଖାଯାଇଥିଲା। ଉକ୍ତ ପୋଖରୀରେ ଥିବା ଅନ୍ୟ ଜଳହସ୍ତୀର ଦନ୍ତାଘାତ ଯୋଗୁଁ ଉକ୍ତ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ବିଳମ୍ବିତ ରାତିରେ କୌଣସି କାରଣରୁ ଦୁଇ ଜଳହସ୍ତୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏବେ ନନ୍ଦନକାନନରେ ୬ଟି ମାଈ ଓ ୫ଟି ଅଣ୍ଡିରା ଜଳହସ୍ତୀ ଅଛନ୍ତି।

ସମ୍ବନ୍ଧିତ ଖବର