ଭୁବନେଶ୍ବର: ସହରାଞ୍ଚଳ ଭିତ୍ତିଭୂମି ବିକାଶ ଭିତରେ ଜଳାଶୟ ପୁନରୁଦ୍ଧାରକୁ ବିଏମ୍‌ସି ଗୁରୁତ୍ବ ଦେଇଆସୁଛି। ଗତ ୫ ବର୍ଷର ହିସାବକୁ ଲକ୍ଷ୍ୟ କଲେ ପାଖାପାଖି ୨୦ ପୁଷ୍କରିଣୀର ପୁନରୁଦ୍ଧାର କରାଯାଇଛି। କୋଟି କୋଟି ଟଙ୍କା‌ ବ୍ୟୟ କରାଯାଇ ପୁଷ୍କରିଣୀଗୁଡ଼ିକରୁ ପଙ୍କ ବାହାର କରାଯିବା ସହ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଛି। ଏବେ ପୁଣି ୪୪ ପୋଖରୀର ନବୀକରଣ କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି। ଏମିତିକି ଅମୃତ ଯୋଜନାରେ ଲକ୍ଷ୍ମୀସାଗର ପୋଖରୀ (ଫିସେରି ପଣ୍ଡ)କୁ ନବୀକରଣ କରାଯିବ ବୋଲି ସ୍ଥିର କରାଯାଇଛି। ତେବେ ବଡ଼ କଥା ହେଉଛି, କୋଟି କୋଟି ଟଙ୍କା ବ୍ୟୟ କରାଯିବା ପରେ ବି ପୁଷ୍କରିଣୀଗୁଡ଼ିକ ଲୋକଙ୍କ ସେବାରେ ଆସୁନାହିଁ। କିଛି ହାତଗଣତି ପୋଖରୀକୁ ବାଦ୍‌ ଦେଲେ, ଅଧିକାଂଶ ପୋଖରୀ ବ୍ୟବହାର ଉପଯୋଗୀ ହୋଇରହିନାହିଁ। ତେଣୁ ପୋଖରୀ ପୁନରୁଦ୍ଧାର ଦ୍ବାରା କେବଳ ଠିକାଦାର ପୋଷା ହେବା ସାର ହେଉଛି ବୋଲି କୁହାଯାଉଛି।

Advertisment

ସୁନ୍ଦରପଦା ହଜ ପୋଖରୀ ଅବସ୍ଥାକୁ ନମୁନା ଭାବେ ନେଲେ, ସବୁ କିଛି ସ୍ପଷ୍ଟହୋଇଯିବ। ୨୦୧୭ ମସିହାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍‌)ରୁ ୧୬ କୋଟି ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସହରର ୧୪ଟି ଜଳାଶୟର ପୁନରୁଦ୍ଧାର କରାଯାଇଥିଲା। ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ସୁନ୍ଦରପଦା ହଜ ପୋଖରୀରେ। ୨୬ ଏକର ପରିମିତ ଏହି ପୋଖରୀରେ ୫ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପୋଖରୀରେ ବର୍ଜ୍ୟଜଳ ନ ପଶିବା ପାଇଁ ଗାର୍ଡ ୱାଲ୍‌ ନିର୍ମାଣ କରାଯାଇଥିଲା। ଜଳ ନିଷ୍କାସନ ପାଇଁ ଡ୍ରେନ୍‌, ପୋଖରୀ ହୁଡ଼ାରେ ପ୍ରାୟ ଦୁଇ କିଲୋମିଟରର ଚଲାପଥ, ଦୁଇଟି ହାଇବ୍ରିଡ୍ ଶୌଚାଳୟ, ହୁଡ଼ା ଓ ତୁଠରେ ଆଲୋକୀକରଣ, ପାର୍କିଂ ସ୍ଥାନ, ମୁଖ୍ୟ ରାସ୍ତା ଓ ପାର୍କିଂରୁ ଆପ୍ରୋଚ୍‌ରୋଡ୍‌ ଓ ବଳକା ଖାଲି ଜାଗାକୁ ପାର୍କ ଭଳି ରୂପ ଦେବା ପାଇଁ ‌ଯୋଜନା ଥିଲା।

୨୦୧୮ ମସିହା ଶେଷ ଆଡ଼କୁ ଏହା ସର୍ବସାଧରଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ କହିବା କଥା ଏହି ପୁନରୁଦ୍ଧାର କାର୍ଯ୍ୟରେ ୫ କୋଟିରୁ ବେଶି ଖର୍ଚ୍ଚ ହୋଇଥିବା ବିଶ୍ବାସଯୋଗ୍ୟ ନୁହେଁ। ନିମ୍ନମାନର କାମ ହୋଇଛି। ଚଲାପଥରୁ ଫେବର୍‌ ବ୍ଲକ୍‌ ଉଠିଗଲାଣି। ଚାରିପଟ ହୁଡ଼ାରେ ଲାଗିଥିବା ୪୦ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟରୁ ଅଧାରୁ ଅଧିକ ଜଳୁନାହିଁ। ଗାର୍ଡ ୱାଲ୍‌ରେ ଲାଗିଥିବା ଷ୍ଟିଲ୍‌ ରେଲିଂ ଭାଙ୍ଗିଗଲାଣି। ପୋଖରୀ ଭିତରେ ଦଳ ଭର୍ତ୍ତି ହୋଇଗଲାଣି। ଶୌଚା‌ଳୟ ତିଆରି ହୋଇନାହିଁ। ଲୋକେ ଚଲାପଥ କଡ଼‌ରେ ମଳତ୍ୟାଗ ବସୁଛନ୍ତି। ପାର୍କିଂ ପାଇଁ ଜାଗା ପ୍ରସ୍ତୁତ କରାଯାଇନାହିଁ। ବସିବା ପାଇଁ ସିମେଣ୍ଟ ଚୌକି ହୋଇନାହିଁ। ତେଣୁ ସାନ୍ଧ୍ୟଭ୍ରମଣ ପାଇଁ ଆସୁଥିବା ବରିଷ୍ଠ ନାଗରିକମାନେ ଫୁଟ୍‌ପାଥରେ ବସୁଛନ୍ତି। ସାନ୍ଧ୍ୟ ଭ୍ରମଣରେ ଆସୁଥିବା ସ୍ଥାନୀୟ ବାସିନ୍ଦା ସୁମତି ମିଶ୍ରଙ୍କ କହିବା‌ ଅନୁସାରେ ୫ କୋଟିରୁ ବେଶି ଖର୍ଚ୍ଚ ହୋଇଛି ବୋଲି ଶୁଣିଲେ ବିସ୍ମିତ ହେବା କଥା। ବସିବାକୁ ଚଉକି ତିଆରି ହୋଇନାହିଁ। ପ୍ରଥମେ ପ୍ରଥମେ ଲାଇଟ୍‌ ଜଳୁଥିଲା, ଆଉ ଜଳୁନି। ନିମ୍ନମାନର ଲାଇଟ୍‌ ହୋଇଥିବାରୁ କମ୍ ଦିନରେ ଖରାପ ହୋଇଗଲା। ପାଣି ମଧ୍ୟ ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ। ଲୋକେ ଗାଡ଼ି ଧୋଉଛନ୍ତି।

ଜଣେ ପୂର୍ବତନ ଇଞ୍ଜିନିୟରଙ୍କ କହିବା କଥା ବିନ୍ଦୁସାଗର ଉନ୍ନତୀକରଣ ପାଇଁ ପାଖାପାଖି ୯ ‌କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ସଫା କରିବା, ବସିବା ପାଇଁ ବ୍ୟବସ୍ଥା ସହ ଆଲୋକୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇଛି। ଅଥଚ ହଜ ପୋଖରୀରେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇ କିଛି ଲାଭ ହୋଇନାହିଁ। ଏତିକି ଖର୍ଚ୍ଚରେ ଏହି ପୋଖରୀରେ ବୋଟିଂ ବ୍ୟବସ୍ଥା ହୋଇପାରିଥାନ୍ତା। ତେଣୁ କୋଟିକୋଟି ଟଙ୍କା ଠିକାଦାର ପୋଷାରେ ଯାଉଛି। ହଜ ପୋଖରୀ ଉଦାହରଣରୁ ଜାଗମରା ଝରପୋଖରୀ, ଚକେଇସିଆଣି ମା’ ଉଗାଳମଣୀ ପୋଖରୀ, ଭୋଟପଡ଼ା ପୋଖରୀ, ପଟିଆ ନୀଳକଣ୍ଠ ପୋଖରୀ, ଝାରପଡ଼ା ଜେନାସାହି ପୋଖରୀ, ନୂଆପଲ୍ଲୀ ବାଲୁଙ୍କେଶ୍ବର ପୋଖରୀ, ହରିଦାସପୁର ମସ୍‌ଜିଦ ପୋଖରୀର ଅବସ୍ଥା ଜଳଜଳ ହୋଇ ଦିଶିଯାଉଛି। କେବଳ ଯଦୁପୁର ପୋଖରୀ ଗ୍ରାମବାସୀଙ୍କ ରକ୍ଷଣାବେକ୍ଷଣ ଯୋଗୁ ଭଲ ଅବସ୍ଥାରେ ରହିଛି।