କାହା ସ୍ବାର୍ଥରେ ଗୋଷ୍ଠୀ ଶୌଚାଳୟ? ପୁରୁଣା ଅଚଳ, ନୂଆ ନିଶାଡ଼ିଙ୍କ ଆଡ଼ା

ଭୁବନେଶ୍ବର: ବସ୍ତିଗୁଡ଼ିକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ବସ୍ତିବାସିନ୍ଦାଙ୍କ ସୁବିଧା ପାଇଁ ଏହି ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। କିନ୍ତୁ ସବୁ ସ୍ଥାନରେ ଏହି ପାଇଖାନା ଲୋକଙ୍କ କାମରେ ଲାଗୁ ନାହିଁ। କିଛି ପାଇଖାନା ପୂରା ଅଚଳ ହୋଇପଡ଼ିଥିବା ବେଳେ କିଛି ନିଶାଡ଼ିଙ୍କ ଆଡ଼ାରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ପାଇଖାନା ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାରେ ତ୍ରୁଟି ଯୋଗୁଁ ବହୁ ସ୍ଥାନରେ ପାଇଖାନାକୁଡ଼ିକ ଲୋକମାନଙ୍କ ସ୍ବାର୍ଥ ପୂରଣ କରିପାରୁନାହିଁ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ୩୭ନମ୍ବର ୱାର୍ଡ ମଙ୍ଗଳା ବସ୍ତିରେ ଏମିତି ଦୁଇ ଦୁଇଟି ପାଇଖାନା ଲୋକଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହେଉଛି।

ଏହି ବସ୍ତିରେ ଥିବା ପୁରୁଣା ପାଇଖାନାର ଅବସ୍ଥା ପୂରା ଶୋଚନୀୟ। ଦୀର୍ଘ ମାସ ଧରି ସଫା କରା ନଯିବାରୁ ଟଏଲେଟ୍ ପ୍ୟାନ୍‌ରେ ଆବର୍ଜନା ଓ ମାଟି ଭର୍ତ୍ତି ହୋଇରହିଛି। ବସ୍ତି ଉନ୍ନୟନ ଯୋଜନାରେ ଏହି ଗୋଷ୍ଠୀ ପାଇଖାନା ନିର୍ମିତ ହୋଇଥିଲା। ସ୍ଥାନୀୟ ବସ୍ତିବାସିନ୍ଦା ଓ ଛକରେ ଥିବା ଦୋକାନୀମାନେ ଏହାକୁ ବ୍ୟବହାର କରୁଥିଲେ। କିନ୍ତୁ ଏହାକୁ ସଫାସୁତୁରା ଓ ରକ୍ଷଣାବେକ୍ଷଣ କରା ନଯିବାରୁ ଏହା ଧୀରେଧୀରେ ଭାଙ୍ଗିରୁଜି ଶେଷରେ ପୂରା ଅଚଳ ହୋଇପଡ଼ିଲା। ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବାରୁ ପୁଣି ଦୁଇବର୍ଷ ପୂର୍ବେ ଆହୁରି ଦୁଇଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହାକୁ ମରାମତି କରାଗଲା ଓ ଏକ ନୂଆ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ କାମ ଏମିତି ହେଲା ଯେ ଟାଙ୍କିରୁ ପାଣି ପାଇଖାନାକୁ ଆସିଲା ନାହିଁ। ଯନ୍ତ୍ରୀଙ୍କ ତ୍ରୁଟି ପାଇଁ ଏମିତି ଅବ୍ୟବସ୍ଥା ହୋଇଗଲା। ଫଳରେ ଏହା ପୁଣି ଥରେ ଅଚଳ ହୋଇ ପଡ଼ିରହିଲା। ଏତିକି ସାମାନ୍ୟ କାମକୁ ଆଉ ମରାମତି କରାଗଲା ନାହିଁ। ସେହିଦିନଠାରୁ ୨ ବର୍ଷ ହେଲା ସେମିତି ଅଚଳ ହୋଇ ପଡ଼ିଥିବାରୁ ଭିତର ଆବର୍ଜନାମୟ ହୋଇଗଲାଣି। ଏନେଇ ସ୍ଥାନୀୟ ବାସିନ୍ଦା ଅର୍ଜୁନ ବେହେରା କହିଛନ୍ତି, ଆଗରୁ ଅନେକବାର ଅଭିଯୋଗ କରି କରି କେହି ଏହାକୁ ସଜାଡ଼ିଲେ ନାହିଁ। ଆମେ ସ୍ଥାନୀୟ କିଛି ଯୁବକ ମିଶି ଏହାକୁ ସଚଳ କରିଥିଲୁ। ତା’ପରେ ଏହାକୁ ସଠିକ୍ ଭାବେ ମରାମତି କରି ପୂର୍ଣ୍ଣ ସକ୍ଷମ କରିବା ପାଇଁ ଟଙ୍କା ଆସିଲା। କିନ୍ତୁ ଖରାପ କାମ ଯୋଗୁଁ ତା’ ଆଜି ବି ଅଚଳ ଭାବେ ପଡ଼ିରହିଛି।

ତେବେ ପରିତାପର କଥା ଏହାକୁ ମରାମତି କରିବା ବଦଳରେ ଉକ୍ତ ଵାର୍ଡର ବାଲୁଙ୍କେଶ୍ବର ପୁଷ୍କରିଣୀ ନିକଟରେ ଆଉ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଗଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଗଲା। କିନ୍ତୁ ଏହା ଜନବସତିଠାରୁ ଦୂରରେ ଥିବାରୁ ଲୋକେ ବ୍ୟବହାର କଲେ ନାହିଁ। ନିଛାଟିଆ ଓ ଅନ୍ଧାରୁଆ ଜାଗାରେ ଶୌଚାଳୟଟି ନିର୍ମାଣ ହୋଇଥିବାରୁ ଲୋକେ ସେଠାକୁ ଯିବାକୁ ଭୟ କଲେ। ଫଳରେ ଧୀରେ ଧୀରେ ଏହା ଅସାମାଜିକମାନଙ୍କ ଆଡ଼ା ପାଲଟିଗଲା। ନିଶା ସେବନ କରିବା ପାଇଁ ନିଶାଡ଼ିମାନଙ୍କୁ ଭଲ ସ୍ଥାନଟିଏ ମିଳିଗଲା। ଏହି ସ୍ଥାନକୁ ପୁଲିସ ପାଟ୍ରୋଲିଂ ଗାଡ଼ି ଯାଉ ନଥିବାରୁ ଅସାମାଜିକ ତତ୍ତ୍ବମାନେ ଦିନରାତି ସେଠାରେ ଖଟି କଲେ। ବ୍ରାଉନ୍‌ସୁଗାର୍, ଗଞ୍ଜେଇ, ମଦ ଖାଉଥିବା ବିଭିନ୍ନ ବର୍ଗର ନିଶାଡ଼ିମାନେ ସେମାନଙ୍କ ସମୟ ସୁବିଧା ଦେଖି ପାଳି କରି ଖଟି ଜମାଇଲେ। ଫଳରେ ପାଇଖାନାର ଉଦ୍ଦେଶ୍ୟ ତ ସାଧିତ ହେଲା ନାହିଁ, ଓଲଟା ସ୍ଥାନୀୟ ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଯିବା ଆସିବା ପ୍ରଭାବିତ ହେଲା। ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପ୍ରଦୋଷ ବିଶ୍ବାଳଙ୍କ କହିବା କଥା, ସେ ସ୍ଥାନୀୟ ବସ୍ତି କମିଟିକୁ ଏ ବାବଦରେ ଜଣାଇଛନ୍ତି। ସେହିପରି ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ନଟବର ସାମନ୍ତରାୟ କହିଛନ୍ତି ଯେ ଏହି ଶୌଚାଳୟ ଦ୍ବାରା ଉପକୃତ ହେଉଥିବା ଲୋକଙ୍କ ସଂଖ୍ୟା ବେଶ୍‌ ନଗଣ୍ୟ। ଖୁବ୍ କମ୍ ସଂଖ୍ୟକ ଲୋକ ଏହି ଶୌଚାଳୟକୁ ବ୍ୟବହାର କରିବାକୁ ଆସୁଛନ୍ତି। ନିଶାଡ଼ିଙ୍କ ଖଟି କଥାକୁ ସେ ମଧ୍ୟ ସ୍ବୀକାର କରିଥିଲେ ମଧ୍ୟ ପୁଲିସ ପାଟ୍ରୋଲିଂ ଦୁର୍ବଳ ବୋଲି କହିଥିଲେ।

ସମ୍ବନ୍ଧିତ ଖବର