ଶୀତରେ ଥରହର ଭୁବନେଶ୍ବର, ଆସନ୍ତା ୩ ଦିନରେ ୧୦ ଡିଗ୍ରିକୁ ଖସିବ ତାପମାତ୍ରା

ଭୁବନେଶ୍ବର: ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି। ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି। ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି। ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ବସିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ସ୍ବାଭାବିକ ପାଖାପାଖି ରହୁଥିବା ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆଜି ୧୩ ଡିଗ୍ରିକୁ ଖସିଛି। ୧୫ ତାରିଖ ଦିନ ରାଜଧାନୀର ସର୍ବନିମ୍ନ ରାତି ତାପମାତ୍ରା ୧୯.୨ଡିଗ୍ରି ରେକର୍ଡ ହୋଇଥିଲା। ଆଜି ସକାଳେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩.୯ ଡିଗ୍ରି ରହିଥିଲା। ଅର୍ଥାତ ୫ ଦିନରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୬ ଡିଗ୍ରି ଖସିଛି। ଗତକାଲି ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ରହିଥିଲା, ଆଜି ତାହା ପ୍ରାୟ ୩ ଡିଗ୍ରି ତଳକୁ ଖସିଛି। ଆସନ୍ତା ୨ରୁ ୩ ଦିନ ଭିତରେ ରାଜଧାନୀର ପାରଦ ସ୍ତର ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଫଳରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନରେ ୧୦ ଡିଗ୍ରିକୁ ଖସିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି, ଏବେ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଫ‌ଳରେ ଶୀତ ପ୍ରବାହ ବଢ଼ିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହି ବାୟୁର ପ୍ରଭାବ ଅଧିକ ପଡ଼ିବ। ଫଳରେ ରାଜଧାନୀରେ ଶୀତ ପ୍ରକୋ‌ପ ବଢ଼ିବ। ୩ ଦିନରେ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମି ୧୦ ଡିଗ୍ରି ପାଖାପାଖି ତାପମାତ୍ରା ରହିବ। ୨୪ ତାରିଖ ଆଡ଼କୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଆସିଥିବା ପବନର ପ୍ରବାହ ଦୁର୍ବଳ ହୋଇଯିବ। ଫଳରେ ଶୀତ ସାମାନ୍ୟ କମିବ। କିନ୍ତୁ ଡିସେମ୍ବର ଶେଷ ଆଡ଼କୁ ପୁଣି ଏହି ପବନର ପ୍ରବାହ ଅଧିକ ହେବ ଓ ପୁଣି ରାଜ୍ୟ ତଥା ରାଜଧାନୀର ତାପମାତ୍ରା ଖସି ଶୀତ ବଢ଼ିବ। ଏଣୁ ଜାନୁଆରି ପ୍ରଥମ ସପ୍ତାହରେ ରାଜଧାନୀରେ ପ୍ରବଳ ଜାଡ଼ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର