ପୁରୁଣା ଭୁବନେଶ୍ୱର: ହାତରେ ମହାପ୍ରସାଦ, ଫୁଲ, ଚନ୍ଦନ, ଗୁଆ, ନୂଆବସ୍ତ୍ର, ନଡ଼ିଆ, ପଇତା ଓ ନିମନ୍ତ୍ରଣ ପତ୍ର ଧରି ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ସେବାୟତ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମନ୍ତେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଏପରି ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ମନ୍ଦିର ପ୍ରବେଶ ପଥରେ ସେମାନଙ୍କୁ ସଂକୀର୍ତ୍ତନ, ଦୁଲ୍‌ଦୁଲି ଓ ଯୋଡ଼ିଶଙ୍ଖ, ଝୋଟି ଚିତା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ମନ୍ଦିର ଆଗରେ ଏକାଠି ହୋଇ ସ୍ଥାନୀୟ ସେବାୟତଙ୍କ ସହ ମିଶି ସ୍ବାଗତ କରିଥିଲେ।

Advertisment

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳୁ ନିମନ୍ତ୍ରଣ ପତ୍ର ପ୍ରଥମେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରାଯିବା ପରେ ଅନ୍ୟ ମନ୍ଦିରରେ ବଣ୍ଟନ ଆରମ୍ଭ ହୋଇଥିଲା। ଏହି କ୍ରମରେ ଶ୍ରୀମନ୍ଦିରର ପରିଚାଳନା କମିଟିର ସଦସ୍ୟ, ସେବାୟତ ଓ ପ୍ରଶାସକମାନେ ଆସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟାରେ ମନ୍ଦିରରେ ସାହାଣମେଲା ଦର୍ଶନ ଆରମ୍ଭ ବେଳକୁ ସେବାୟତମାନେ ବଡ଼ୁ ସେବାୟତଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିସହ ସାଙ୍ଗରେ ଆଣିଥିବା ଭୋଗ ସାମଗ୍ରୀ ସମର୍ପଣ କରିଥିଲେ। ଲିଙ୍ଗରାଜଙ୍କ ସେବାୟତଗଣ ଓ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀମାନେ ଏହି ଦଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଆସନ୍ତା ଜାନୁଆରି ୧୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ସେମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଥମେ ନିମନ୍ତ୍ରଣ କରିବାକୁ ଆସିଥିଲେ।

publive-image

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ଭୁବନେଶ୍ୱର ଅବକାରୀ ଅଧୀକ୍ଷକ ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳା ବଟୁ, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ଉପସଭାପତି ଅଗାଧୁ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସୁଦର୍ଶନ ଦାରୁପୀଠରେ ଶ୍ରୀମନ୍ଦିର ପ୍ରତିନିଧି
ବାଲିଅନ୍ତା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣପତ୍ର ନେଇ ଏକ ୩ ଜଣିଆ ପ୍ରତିନିଧି ଦଳ ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବ ଦାରୁପୀଠକୁ ଆସିଥିଲେ। ଦଇତାପତି ବିଜୟ କୁମାର ଦାସମହାପାତ୍ର, ବିନାୟକ ଦାସମହାପାତ୍ର, ମନ୍ଦିର ପ୍ରଶାସନ ତରଫରୁ ଅନ୍ୟତମ ଅଧିକାରୀ ସୁବୋଧ ହୋତା ଜଗନ୍ନାଥଙ୍କ ଖଣ୍ଡୁଆପାଟ, ନିର୍ମାଲ୍ୟ, ତୁଳସୀ ଏବଂ ନିମନ୍ତ୍ରଣ ପତ୍ର ନେଇ ଆସିଥିଲେ। ବାଲିଅନ୍ତା ବିଡିଓ ପବିତ୍ର କୁମାର ସାମଲଙ୍କ ସମେତ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ବୃନ୍ଦ ଏବଂ କାକରୁଦ୍ରପୁର ସଂକୀର୍ତ୍ତନମଣ୍ଡଳୀ ସେମାନଙ୍କୁ ସ୍ୱାଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ପାଲା ଗାୟକ ସଂଘ ଉପସଭାପତି ସନ୍ତୋଷ ବେହେରା, ଅଶୋକ କୁମାର ସାହୁ, ଚକ୍ରଧର ନାୟକ, ପ୍ରିୟବ୍ରତ ପାତ୍ର, ଲକ୍ଷ୍ମଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।