‘ଜିତିନି କି ହାରିନି’ ଲୋକାର୍ପିତ, ଅନେକ ଆତ୍ମଲିପି ‘ମୁଁ’ ସର୍ବସ୍ବ

ଭୁବନେଶ୍ବର: ଗାଳ୍ପିକ ଭୁପେନ ମହାପାତ୍ରଙ୍କ ରଚିତ ଆତ୍ମଲିପି ‘ଜିତିନି କି ହାରିନି’ ପୁସ୍ତକ ରାଜ୍ୟ ଅଭିଲେଖାଗାରରେ ଲୋକାର୍ପିତ ହୋଇଛି। ‘ଶିକ୍ଷା ସନ୍ଧାନ’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଲୋକାର୍ପଣ କରି କହିଲେ, ଅନେକ ଆତ୍ମଜୀବନୀ କେବଳ ‘ମୁଁ’ ସର୍ବସ୍ୱ। ମାତ୍ର ଏହି ପୁସ୍ତକ ‘ମୁଁ’ଠାରୁ ଦୂରରେ ରହିଛି। ଯେଉଁମାନେ ଯାହା ନୁହଁନ୍ତି, ସେମାନେ କେବଳ ଲୋକପ୍ରିୟତା ଯୋଗାଡ଼ କରିବାକୁ ଆତ୍ମଜୀବନୀରେ କେତେକ ମିଛ ଲେଖିଥାନ୍ତି। ଏହି ପୁସ୍ତକରେ କିନ୍ତୁ ତାହା ନାହିଁ। ଏଥିରେ ବୈଷମ୍ୟ ଭିତରେ ବୈଶିଷ୍ଟ୍ୟ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି। ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୁସ୍ତକରେ ଥିବା ସାହିତ୍ୟ ଓ ବାସ୍ତବବାଦର ଚିତ୍ର ଉପସ୍ଥାପନା କରିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ପୁସ୍ତକର ସମୀକ୍ଷା କରି ପୁସ୍ତକରେ ଥିବା କେତୋଟି ଗୁରୁତ୍ବପୂର୍ଣ୍ଣ ଅଂଶ ଉପରେ ଆଲୋକପାତ କରିଥିଲେ। କେବଳ ଜୀବନୀ ଭାବରେ ନୁହେଁ, ବରଂ ଏହି ପୁସ୍ତକରେ ଆଧୁନିକ ସମାଜର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରାଯାଇଥିବା କହିଥିଲେ। ପିଲା ବେଳୁ ଅବସର ନେବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ସହ ପୁଲିସ ଚାକିରି କାଳରେ ସେ ଅଙ୍ଗେ ନିଭାଇଥିବା କେତେକ କଥା ଉଦ୍ଧାର କରିଛନ୍ତି। ଏଥିସହ ଅଘୋଷିତ ଇମ‌ର୍ଜେନ୍‌ସିରେ ନ୍ୟାୟପାଳିକା କିଭଳି ନିୟନ୍ତ୍ରିତ ହେଉଛି ତାହାର ଏକ ସ୍ପଷ୍ଟ ଚିତ୍ର ଏହି ପୁସ୍ତକରେ ରହିଛି ବୋଲି ସେ କହିଥିଲେ। ଆତ୍ମଲିପିର ଲେଖକ ଭୁପେନ୍‌ ମହାପାତ୍ର କହିଥିଲେ, ଭୟ ମଣିଷର ବଡ଼ ଶତ୍ରୁ। ଜଣେ ଲେଖକ ପାଖରେ ଭୟ ନଥାଏ। ସତ୍ୟ ଓ ତଥ୍ୟକୁ ‌ସେ ସାହସର ସହ ଉପସ୍ଥାପନ କରିପାରେ ବୋଲି ସେ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଯତୀନ୍‌ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟ ସଚିବ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା, ପୂର୍ବତନ ଆଇଜି କୁଳମଣି ଦେଓ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଚଣ୍ଡୀପ୍ରସାଦ ନନ୍ଦ, ଅନୁଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର, ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ଓ ପ୍ରଫେସର ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର