ଭୁବନେଶ୍ୱର : ୫-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗୁରୁବାର ଖୋର୍ଧା ଜିଲ୍ଲାର ୩୮ଟି ବିଦ୍ୟାଳୟର ଲୋକାର୍ପଣ କରାଯିବ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ୧୬ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳର ଦୁଇଟି ସ୍କୁଲ ରହିଛି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲଗୁଡ଼ିକର ଲୋକାର୍ପଣ କରିବେ। ଅପରାହ୍ଣ ୫ଟାରେ ହେବାକୁ ଥିବା ଏହି ଲୋକାର୍ପଣ ଉତ୍ସବ ପାଇଁ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଖୋର୍ଧା ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ଖୋର୍ଧା ଜିଲ୍ଲାର ୩୮ଟି ସ୍କୁଲ ସମେତ ଝାରସୁଗୁଡ଼ାର ୨୫, ମୟୂରଭଞ୍ଜର ୬୦, କଳାହାଣ୍ଡିର ୨୯ ଓ ମାଲକାନଗିରିର ୬ଟି ସ୍କୁଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

Advertisment

ଲୋକାର୍ପଣ କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍‌, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ଗତ ଦୁଇ ଦିନ ହେଲା ସହରର ବିଭିନ୍ନ ସରକାରୀ ବିଦ୍ୟାଳୟକୁ ଗସ୍ତ କରି ଭିତ୍ତିଭୂମିର ତଦାରଖ କରିଛନ୍ତି। ମଙ୍ଗଳବାର ଶ୍ରୀ ପାଣ୍ଡିଆନ୍‌ ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟ, ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଏମ୍‌ ହାଇସ୍କୁଲ, ସହିଦନଗର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଯ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଶ୍ରେଣୀଗୃହ, ଖେଳପଡ଼ିଆ, ଲାଇବ୍ରେରି, ଲାବିରେଟୋରି ଆଦି ବୁଲି ଦେଇଥିଲେ। ବିଧାୟକ ଶ୍ରୀ ରାଉତ ଆଜି ନହରକଣ୍ଟାସ୍ଥିତ ମହାରଥା ବିଦ୍ୟାପୀଠ ଗସ୍ତ କରି ଭିତ୍ତିଭୂମି ପରଖିଥିଲେ। ଗତକାଲି ବିଧାୟକ ଶ୍ରୀ ଜେନା ୟନୁଟ୍‌-୩ ପ୍ରେସ୍‌ କଲୋନିସ୍ଥିତ ‌ଟେଷ୍ଟ ବୁକ୍‌ ପ୍ରେସ୍‌ ହାଇସ୍କୁଲ ରୂପାନ୍ତରର ଅଗ୍ରଗତି ସମୀକ୍ଷା କରିଥିଲେ।