ଭୁବନେଶ୍ବର: ଆଜି ଅପରାହ୍ଣରେ ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ହୋଇଛି ଭୁବନେଶ୍ବର ସହର ଓ ସହରତଳି ଅଞ୍ଚଳ। ବର୍ଷାରେ ପ୍ରମୁଖ ରାସ୍ତା, ସାହି ଗଳିକନ୍ଦିରେ ଅସମ୍ଭାଳ ପରିସ୍ଥିତି ଦେଖିବାକୁ ମିଳିଛି। ୩/୪ ଘଣ୍ଟା ଧରି ଲଗାଣ ବର୍ଷାରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ଡ୍ରେନ୍ରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଲହଡ଼ି ମାରିଛି। ଅଧିକ ଦୁର୍ଦ୍ଦଶା ବମିଖାଲରୁ ରସୁଲଗଡ଼ ରାସ୍ତାରେ ଦେଖିବାକୁ ମିଳିଛି। ଅଧଘଣ୍ଟା ଭିତରେ ଆଣ୍ଠୁଏ ଉଚ୍ଚ ପାଣି ଏଠାରେ ଲହଡ଼ି ମାରିଛି। ବର୍ଷା ବଢ଼ିବା ସହ ପାଣିର ପରିମାଣ ବଢ଼ି ଦୁର୍ଦ୍ଦଶାକୁ ବଢ଼ାଇଛି। ରାସ୍ତାକଡ଼ରେ ପାର୍କିଂ ହୋଇଥିବା କାରରେ ପାଣି ପଶିଛି। ବାଇକ୍ ଓ ଅନ୍ୟାନ୍ୟା ଗାଡ଼ିମୋଟର ସବୁ ପାଣିରେ ବୁଡ଼ିଛି। ନାଳ ପାଣି ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟିକରିଛି। ଫଳରେ ଯାତାୟାତରେ ଲୋକେ ଦୁର୍ଦ୍ଦଶା ଭୋଗିଛନ୍ତି। ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରି ପକାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା।
ବମିଖାଲ-ରସୁଲଗଡ଼ ରାସ୍ତାରେ ଆଣ୍ଠୁଏ ପାଣି
ଲହଡ଼ି ମାରିଲା ନାଳପାଣି ମିଶା ବର୍ଷାପାଣି
କାର୍ରେ ପଶିଲା ପାଣି, ବୁଡ଼ିଲା ବାଇକ୍
ଭୁବନେଶ୍ବରରେ ଆଜି ସକାଳୁ ଆକାଶ ମେଘାଛନ୍ନ ରହିଥିଲା। କ୍ରମେ ସମୟ ଗଡ଼ିବା ସହ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଅବିଶ୍ରାନ୍ତ ବର୍ଷା ଆରମ୍ଭ ହୋଇଯାଇଥିଲା। ଚାହୁଁ ଚାହୁଁ ନାଳ ପାଣି ମିଶା ବର୍ଷା ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଥିଲା। ବମିଖାଲ ବ୍ରିଜ୍ଠାରୁ କୋଚିଲେଇ ହାଟ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ସହ ଶ୍ରୀୟା ଛକ, ଏକାମ୍ର ହାଟ ସମ୍ମୁଖ ରାସ୍ତା, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଓ ସମ୍ମୁଖ ରାସ୍ତା, ୟୁନିଟ୍-୩ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ଏଜିରୁ ରାଜଭବନ ରାସ୍ତା ବି ପାଣିରେ ବୁଡ଼ିଯାଇଥିଲା। ସହରର ଗଳକନ୍ଦିରେ ବି ଲୋକେ ସମଦଶା ଭୋଗିଥିଲେ। ସହରତଳି ଅଞ୍ଚଳରେ ବି ସମାନ ଦୁର୍ଦ୍ଦଶା ଭୋଗୁଥିଲେ। ରାତିରେ ବର୍ଷା କମିବା ପରେ ଜନଜୀବନ ସ୍ବାଭାବିକ ହୋଇଥିଲା।
ଗଛ ଉପୁଡ଼ି ଭାଙ୍ଗିଲା ପାର୍କ ପାଚେରି
ଆଜି ଲଗାଣ ବର୍ଷା ଫଳରେ ଡୁମୁଡୁମା ଫେଜ୍ ୫ସ୍ଥିତ ବିଏମ୍ସି ପାର୍କ କଡ଼ରେ ଏକ ବଡ଼ କୃଷ୍ଣଚୂଡ଼ା ଗଛ ଉପୁଡ଼ି ପଡ଼ିଛି। ଗଛଟି ପାର୍କର ପାଚେରି ଉପରେ ପଡ଼ିବାରୁ ପାଚେରିଟିର ଏକ ବଡ଼ ଅଂଶ ଭାଙ୍ଗିଯାଇଛି। ଆଜି ଅପରାହ୍ଣରେ ବହୁ ସମୟ ବର୍ଷା ହେବାରୁ ଗଛଟି ଉପୁଡ଼ି ପଡ଼ିଥିଲା। ଗଛ ସହିତ ପାଚେରିଟି ପାର୍କ ମଧ୍ୟରେ ଥିବା ୱାକିଂ ଟ୍ରାକ୍ ଉପରେ ପଡ଼ିଥିଲା। ତେବେ ବର୍ଷା ଯୋଗୁ ପାର୍କରେ ଲୋକେନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା।
ଘରେ ଆଣ୍ଠୁଏ ପାଣି
ଅବିଶ୍ରାନ୍ତ ବର୍ଷାରେ ଭାସିଛି ରସୁଲଗଡ଼ ନେତାଜୀନଗର ବସ୍ତି। ସମସ୍ତଙ୍କ ଘରେ ପାଣି ପଶିଛି। ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ଯେହେତୁ ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା, ରାତି ପର୍ଯ୍ୟନ୍ତ ନେତାଜୀନଗର ବସ୍ତିବାସିନ୍ଦା ଦୁର୍ବିଷହ ଜୀବନ ଅତିବାହିତ କରିଛନ୍ତି। ରୋଷେଇବାସ ବନ୍ଦ ହୋଇଯିବା ସହ ଶୁଖିଲା ଖାଦ୍ୟ ଓଦା ହୋଇଯିବାରୁ ଭୋକ ଉପାସରେ ଅଛନ୍ତି। ଶୌଚାଦି କାର୍ଯ୍ୟ ବନ୍ଦ ହୋଇଯାଇଛି। ବସ୍ତିବାସିନ୍ଦା ଏଭଳି ସ୍ଥିତିକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରିଛନ୍ତି। ନେତାଜୀନଗର ବସ୍ତିର ପାଣି ନାଳ ଜରିଆରେ ଦୟା ୱେଷ୍ଟ କେନାଲ୍କୁ ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି। କିନ୍ତୁ ଶେଷ ମୁଣ୍ଡରେ କିଛି ମୁଷ୍ଟିମେୟ ବ୍ୟକ୍ତି ନାଳକୁ ମାଡ଼ି ବସିଥିବା ଓ ନିଷ୍କାସନ ବାଟ ବନ୍ଦ କରି ରଖିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି। ବସ୍ତିବାସିନ୍ଦା କହିଛନ୍ତି, ନେତାଜୀନଗର ବସ୍ତିରେ ପ୍ରାୟ ୭୦ ପରିବାର ରହୁଛନ୍ତି। ଲୋକ ସଂଖ୍ୟା ପ୍ରାୟ ୨୫୦ । ଆଜି ସମସ୍ତଙ୍କ ଘରେ ପାଣି ପଶିଛି। ପୂର୍ବରୁ ବି ବର୍ଷାରେ ବସ୍ତିରେ ସମସ୍ତଙ୍କ ଘରେ ପାଣି ପଶିଥିଲା। ବର୍ଷା ବନ୍ଦ ହୋଇଯିବା ପରେ ଧୀରେ ଧୀରେ ପାଣି ନିଷ୍କାସିତ ହୋଇଯାଇଥିଲା। କିନ୍ତୁ ବର୍ଷା ଛାଡ଼ିବା ନା ଧରୁ ନଥିବାରୁ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବସ୍ତିବାସିନ୍ଦା ଏ ଦିଗରେ ବିଏମ୍ସିର ହସ୍ତକ୍ଷେପ ଲୋଡ଼ିଛନ୍ତି।