ଭୁବନେଶ୍ବର: ବରମୁଣ୍ଡାସ୍ଥିତ ଆପୋଲୋ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣଙ୍କ ରିପୋର୍ଟ ପ୍ରଦାନ କରାଯିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ୩ଦିନ ତଳେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ନମୁନା ସଂଗ୍ରହ କେନ୍ଦ୍ରକୁ ଯାଇ ତନାଘନା କରିଛନ୍ତି। ମାତ୍ର ସ୍ବାସ୍ଥ୍ୟ ବିଭାଗକୁ ଏ ଯାଏ ରିପୋର୍ଟ ଦିଆଯାଇନାହିଁ। ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

Advertisment

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବରମୁଣ୍ଡାସ୍ଥିତ ଆପୋଲୋ ଡାଏଗ୍ନୋଷ୍ଟିକ ସେଣ୍ଟରକୁ ଯାଇ ଯାଞ୍ଚ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଭୁଲ୍ ରିପୋର୍ଟ ପ୍ରଦାନ କରାଗଲା ତାହାର ଅନୁଧ୍ୟାନ କରାଯାଇଛି। କେବଳ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି ନା ନିୟମିତ ବ୍ୟବଧାନରେ ଏଭଳି ଚଞ୍ଚକତା ଚାଲିଥିଲା ତାହାର ଯାଞ୍ଚ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରିପୋର୍ଟ ଆସିବା ପରେ ପ୍ରକୃତରେ କ’ଣ ହୋଇଥିଲା ତାହା ଜଣାପଡ଼ିବ। ତେବେ ନମୁନା ସଂଗ୍ରହ କେନ୍ଦ୍ର(କଲେକ୍ସନ୍ ସେଣ୍ଟର)ଗୁଡ଼ିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ପରିସରଭୁକ୍ତ ନୁହେଁ। କେବଳ ପରୀକ୍ଷା କେନ୍ଦ୍ରଗୁଡ଼ିକ ଏହି ଆଇନ ଭିତରେ ଆସୁଛି। ଏହା ‌ଏକ କେନ୍ଦ୍ରୀୟ ଆଇନ ହୋଇଥିବାରୁ ଏହା ଉପରେ କ’ଣ ପଦକ୍ଷେପ ନିଆଯାଇପାରିବ ତାହାକୁ ନେଇ ବିଭାଗରେ ଆଲୋଚନା କରାଯାଉଛି। ଯଦି ସଂପୃକ୍ତ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ କିଛି ଗଡ଼ବଡ଼ ନଜରକୁ ଆସେ ତା’ହେଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜଧାନୀବାସିନ୍ଦା ସବିତାବାଳା ପଟ୍ଟନାୟକ ଗତ ନଭେମ୍ବର ମାସରୁ ଫେବ୍ରୁଆରି ମାସ ଭିତରେ ବରମୁଣ୍ଡାସ୍ଥିତ ଆପୋଲୋ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ନିଜର ରକ୍ତ ପରୀକ୍ଷା କରିଥିଲେ। ମାତ୍ର ତାଙ୍କ ନମୁନା ସଂଗ୍ରହ କରୁଥିବା ଯୁବକ ଜଣକ ଏଥିରେ ଚଞ୍ଚକତା କରି ଅନ୍ୟର ରିପୋର୍ଟ ତାଙ୍କୁ ଦେଇଥିଲେ ଓ ତାଙ୍କଠାରୁ ଟଙ୍କା ନେଉଥିଲେ। ୩ଥର ପରୀକ୍ଷା ପାଇଁ ତାଙ୍କଠାରୁ ୧୦ହଜାର ଟଙ୍କା ନିଆଯାଇଥିଲା। ତେବେ ଶେଷ ଥର ସବିତା ରକ୍ତ ପରୀକ୍ଷା ପାଇଁ ନମୁନା ଦେଇଥିବା ବେଳେ ତାଙ୍କୁ ପରିସ୍ରା ରିପୋର୍ଟ ଦିଆଯାଇଥିଲା। ଏ ନେଇ ତାଙ୍କ ପରିବାର ପକ୍ଷରୁ ସଂପୃକ୍ତ ଯୁବକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଟଙ୍କା ଲୋଭରେ ଏଭଳି ନିଷ୍ପତ୍ତି ନେଇଥିବା ମାନି ଯାଇଥିଲେ। ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆପୋଲୋ ପକ୍ଷରୁ ମଧ୍ୟ ସଂପୃକ୍ତ ଡାଏଗ୍ନୋଷ୍ଟିକ ସେଣ୍ଟରରେ ଯାଞ୍ଚ କରାଯାଇଥିଲା। ଏଭଳି କାର୍ଯ୍ୟରେ ସଂପୃକ୍ତ ଯୁବକଙ୍କୁ ବାହାର କରି ଦିଆଯାଇଥିଲା।