ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ଘଟଣା: କେନ୍ଦ୍ର ମାଲିକ ସମେତ ୩ ଗିରଫ

ଯାଞ୍ଚ ହେବ ସବୁ କେନ୍ଦ୍ର, ଜାରି ହେବ ଏସ୍‌ଓପି

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ପିଟିପିଟି ଦରମରା କରିବା ଘଟଣାରେ ପୁଲିସ ଅଟକ ରଖିଥିବା ସାଇକୃପା ନିଶା ନିବାରଣ କେନ୍ଦ୍ର ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରର ମାଲିକ ୟୁନିଟ୍‌-୩ ଅଞ୍ଚଳର ଅନିରୁଦ୍ଧ ରାୟ(୩୦), କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଙ୍କିତ ରାଉତ ଓରଫ ପପୁନି(୨୫) ଏବଂ ବାଲେଶ୍ବର ସିମୁଳିଆ ଅଞ୍ଚଳର ଅନ୍ତର୍ଯ୍ୟାମୀ ମିଶ୍ର ଓରଫ ଅନ୍ତରା(୨୫)। ପୁଲିସ ସେମାନଙ୍କଠାରୁ ଗୋଟିଏ କାଠ ଫାଳିଆ, ପ୍ଲାଷ୍ଟିକ୍‌ ପାଇପ ଜବତ କରିଛି। ଅନ୍ୟପଟେ ନିର୍ଘାତ ମାଡ଼ ଯୋଗୁଁ ଆଇସିୟୁରେ ଥିବା ସର୍ବେଶ୍ବର ବେହେରାଙ୍କ ଏଯାଏ ଚେତା ଫେରିନାହିଁ। ଘଟଣାର ୩ଦିନ ବିତିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କୌଣସି ଉନ୍ନତି ଆସିନାହିଁ।

ସେହିପରି ପୁଲିସ ସାଇକୃପା ନିଶା ନିବାରରଣ କେନ୍ଦ୍ରର ବୈଧତା ନେଇ ସନ୍ଦେହ କରିଛି। କେନ୍ଦ୍ର ପରିଚାଳନା ପାଇଁ ସମସ୍ତ ନିୟମ ପାଳନ କରାଯାଇଥିଲା ତ? କେଉଁଠାରୁ ଅନୁମତି ନେଇଥିଲେ? କେବେ ଅନୁମତି ନିଆଯାଇଥିଲା? ଅନ୍ତେବାସୀଙ୍କୁ ଠିକ୍ ସମୟରେ ଚିକିତ୍ସା ସହ ଔଷଧ ଦିଆଯାଉଥିଲା ତ? ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟା ସିସିଟିଭି ଆକ୍ଟିଭ୍‌ ରହିବା ବେଳେ କେଉଁ ପରିସ୍ଥିତିରେ ସିସିଟିଭି କ୍ୟାମେରାକୁ ବନ୍ଦ ରାଖାଯାଇଥିଲା। ଏ ସମସ୍ତ ଦିଗକୁ ନେଇ ପୁଲିସ ଟିମ୍‌ ଯାଞ୍ଚ କରୁଛି। ଯଦି କେନ୍ଦ୍ରରେ ନିୟମ ଉଲ୍ଲଂଘନ ହୋଇଥାଏ ତେବେ ଦରକାର ପଡ଼ିଲେ କେନ୍ଦ୍ରକୁ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଏହାଛଡ଼ା ବାରମ୍ବାର ନିଶାନିବାରଣ କେନ୍ଦ୍ର ଗୁଡ଼ିକରେ ନିର୍ଯାତନା କଥା ବଦାକୁ ଆସିବା ପରେ କମିସନରେଟ୍‌ ପୁଲିସ କଠୋର ହୋଇଛି। କମିସନରେଟ୍‌ ପୁଲିସ ଅଧୀନରେ ଥିବା ପ୍ରତ୍ୟେକ ‌କେନ୍ଦ୍ରକୁ ସ୍ଥାନୀୟ ଥାନା ଅଧିକାରୀ ଯାଞ୍ଚ କରିବେ। ଖୁବ୍‌ଶୀଘ୍ର କେନ୍ଦ୍ର ଗୁଡ଼ିକ ପାଇଁ ଏସ୍‌ଓପି ଜାରି ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ପ୍ରକାଶ ଥାଉ କି, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ଗତ ୨୭ ତାରିଖରେ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ ୨୯ ତାରିଖ ରାତି ପ୍ରାୟ ୨ଟା ସମୟରେ କୌଣସି କାରଣକୁ ନେଇ ସର୍ବେଶ୍ବରଙ୍କୁ ମାଲିକ ଅନିରୁଦ୍ଧ, ଅଙ୍କିତ ଓ ଅନ୍ତର୍ଯ୍ୟାମୀ ପାଇପ୍‌ରେ ପିଟି ପିଟି ‌ଲହୁଲୁହାଣ କରିଥିଲେ।

ସମ୍ବନ୍ଧିତ ଖବର