ମଦ୍ରାସାରେ ନାବାଳକଙ୍କୁ ଯୌନ ନିର୍ଯାତନା ଘଟଣା: ନିଆଳି ଥାନାରେ ଅଭିଯୋଗ କଲା ଚାଇଲ୍‌ଡ ଲାଇନ୍‌

ଅଭିଯୁକ୍ତ ଶିକ୍ଷକ ଫେରାର୍‌

ବାଲିପାଟଣା : କଟକ ଜିଲ୍ଲା ନିଆଳିସ୍ଥିତ ଏକ ମଦ୍ରାସାରେ ୨ ନାବାଳକଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ଘଟଣାକୁ ନେଇ ଆଜି ନିଆଳି ଥାନାରେ ମାମଲା ରୁଜୁ ହୋଇଛି। ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ନିଆଳି ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ମାମଲା ରୁଜୁହୋଇଛି। ତେବେ ପୁଲିସ ଖୋଳତାଡ୍‌ କରିବା ପୂର୍ବରୁ ଅଭିଯୁକ୍ତ ଶିକ୍ଷକ ଫେରାର୍ ହୋଇଯାଇଛନ୍ତି। ଗତକାଲି ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଉଥିବା ଅଭିଯୁକ୍ତ ଶିକ୍ଷକଙ୍କର ଆଜି ପତ୍ତା ମିଳିନାହିଁ। ଥାନାରେ ଅଭିଯୋଗ କରିବା ପରେ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ କଟକ ସିଡବ୍ଲୁସି, ଡିସିପିଓ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଏହି ସଂଗିନ୍‌ ମାମଲା ବାବଦରେ ଅବଗତ କରାଯାଇଥିବା ସୂଚନା ମିଳିଛି।

ଗତକାଲି ରାତିରେ ବିହାର ଓ ଝାଡ଼ଖଣ୍ଡର ଦୁଇ ନାବାଳକ ମଦ୍ରାସାରୁ ଖସି ଆସି ଅପୂଜା ବଜାରରେ ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲେ। ମଦ୍ରାସାର ଜଣେ ଶିକ୍ଷକଙ୍କ ନାଁ ନେଇ ସେମାନଙ୍କୁ ରାତିରେ ଯୌନ ନିର୍ଯାତନା ଦେଉଥିଲେ ବୋଲି ସେମାନେ ସିଧାସଳଖ କହିଥିଲେ। ଅସହ୍ୟ ହେବାରୁ ସେମାନେ ଭୟରେ ମଦ୍ରାସା ଛାଡ଼ି ପଳାଇଆସିଥିଲେ ବୋଲି କହିଥିଲେ। ଗତକାଲି ରାତିରେ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ ସେମାନଙ୍କୁ ଏକ ଆଶ୍ରୟ କେନ୍ଦ୍ରରେ ରଖିବା ସହ କାଉନ୍‌ସେଲିଂ କରିଥିଲା। ଆଜି ସକାଳୁ ନିଆଳି ଥାନାରେ ଚାଇଲ୍‌ଡ ଲାଇନ୍‌ ସଦସ୍ୟା ହରପ୍ରିୟା ପତି ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ସୂଚନାନୁସାରେ ମାମଲା ରୁଜୁ କରାଯାଇଛି ଏବଂ ଆସନ୍ତାକାଲି ଦୁଇ ନାବାଳକଙ୍କ ବୟାନ୍‌ ରେକର୍ଡ କରାଯିବ।

ସେହିଭଳି ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଉଚରା କରାଯିବ ଏବଂ ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କ କହିବା କଥା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ ସମିତିକୁ ଘଟଣା ବାବଦରେ ଅବଗତ କରାଯାଇଛି। ଉକ୍ତ ମଦ୍ରାସାରେ ରହୁଥିବା ଅନ୍ୟ ପିଲାମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ନିଆଳି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ ପ୍ରତାପ ପ୍ରଧାନଙ୍କ ସୂଚନାନୁସାରେ ଅତିରିକ୍ତ ଶିକ୍ଷାଧିକାରୀ ଅନନ୍ତ ନାରାୟଣ ସିଂଙ୍କୁ ଉକ୍ତ ମଦ୍ରାସା ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ନିଆଳିରେ ଏମିତି କେତେ ମଦ୍ରାସା ରହିଛି ଏବଂ ସେସବୁ ସରକାରୀ ପଞ୍ଜୀକୃତ କି ନୁହେଁ, ତାହା ଉପରେ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର