ଭୁବନେଶ୍ବର : ‘ଆଜ୍ଞା ମାରି ପକେଇଲେ, ଜଲ୍‌ଦି ଆସନ୍ତୁ। ମୋ ଘରେ ପଶି ମୋତେ ମାରୁଛନ୍ତି ଏବଂ ମୋତେ ଟଣାଓଟରା କରି ଉଲଗ୍ନ କଲେଣି। ରକ୍ଷା କରନ୍ତୁ।’ ଏମିତି ଏକ କଲ୍ ପାଇ ଗତ ଅଗଷ୍ଟ ୧୯ରେ ପିସିଆର୍ ଭ୍ୟାନ୍-୫ କିଛି ପୁଲିସ କର୍ମଚାରୀଙ୍କ ସହିତ ସହିଦନଗରସ୍ଥିତ ହାପି ଆଵାର ସ୍କୁଲ୍ ପାଖ ପ୍ଲଟ୍ ନଂ- ୪୯୯କୁ ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ହେମଲତା ସେଠୀ ନାମ୍ନୀ ଜଣେ ମହିଳାଙ୍କ ଘରେ ପଶି ଉତ୍ପାତ କରୁଥିବା ୪ଜଣ ଅସାମାଜିକଙ୍କୁ କାବୁ କରିବାକୁ ପୁଲିସ୍‌ ଉଦ୍ୟମ କରିଥିଲା। ହେଲେ ଉକ୍ତ ୪ ଅସାମାଜିକ ପୁଲିସକୁ ମଧ୍ୟ ଛାଡ଼ିଲେ ନାହିଁ। ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବାରୁ ବାଧ୍ୟ ହୋଇ ସେମାନେ ସ୍ଥାନୀୟ ପୁଲିସ ଅର୍ଥାତ୍ ସହିଦନଗର ଥାନାକୁ ସହାୟତା ମାଗିଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ବହୁ କସରତ୍‌ କରି ୪ ଅଭିଯୁକ୍ତ ଯଥା ସତ୍ୟଜିତ୍ ବଳ ଓରଫ ଟାଇଗର୍, ଗୁରୁଦେବ ମିଶ୍ର ଓରଫ ସୋନୁ, ସମୀର ଦୀପ ରାୟ ଓରଫ ରିଲୁ ଓ ଶକ୍ତିସ୍ବରୂପ ସ୍ବାଇଁ ଓରଫ ଚନ୍ଦନକୁ ଗିରଫ କରିଥିଲା। ହେଲେ ଏସବୁ ଘଟଣା କାହାଣୀ। ଘଟଣାରେ କିଛି ସତ୍ୟତା ନାହିଁ। ମହିଳାଙ୍କୁ ଘରେ ପଶି କେହି ଆକ୍ରମଣ କରିନାହାନ୍ତି କି ତାଙ୍କ ଜାତିକୁ ନେଇ କେହି ଆକ୍ଷେପ କରିନାହାନ୍ତି।

Advertisment

ଦେହରେ ବଲ୍ ବାଜିବାରୁ ଥାନାରେ ମିଛ ଏତଲା ଦେଇଥିଲେ
ହାଇକୋର୍ଟରେ ମହିଳାଙ୍କ ସତ୍ୟପାଠ ଦାଖଲ
ପୁଲିସର ଯାଞ୍ଚ୍ ରିପୋର୍ଟକୁ ଅପେକ୍ଷା

ଘଟଣାର ପ୍ରାୟ ମାସକ ପରେ ଅଭିଯୋଗକାରିଣୀ ମହିଳା ହେମଲତା ସେଠୀ ଏଭଳି କିଛି ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି। ହେମଲତା ସତ୍ୟପାଠରେ ଆହୁରି ଲେଖିଛନ୍ତି, ତାଙ୍କ ଘର ସମ୍ମୁଖ ପଡ଼ିଆରେ ସେ ଇସ୍ତ୍ରି ଦୋକାନ ଦେଇଛନ୍ତି। ପଡ଼ିଆରେ ପିଲା ଖେଳୁଥିବା ବେଳେ ତାଙ୍କ ଦେହରେ ବଲ୍ ବାଜିଥିଲା। ଆଉ ଏହି କାରଣରୁ ସେ ରାଗରେ ଟାଇଗର୍‌ ଓ ତା’ର ୩ସହଯୋଗୀଙ୍କ ବିରୋଧରେ ମିଛ ଏତଲା ଦେଇଥିଲେ। ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକଙ୍କ ସହିତ ବୈଠକ ବସିବା ପରେ ଆପାସ ବୁଝାମଣା ହୋଇଛି। ତେଣୁ ଏହି ଘଟଣାରେ ସେ ଆଉ ଆଗକୁ ବଢ଼ିବାକୁ ଚାହୁନାହାନ୍ତି। ତେବେ ହେମଲତାଙ୍କ ଏଭଳି ସତ୍ୟପାଠକୁ ନେଇ ହାଇକୋର୍ଟ ସହିଦନଗର ଥାନାର ଆଇଆଇସିଙ୍କୁ ଚିଠି କରିଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବ ଆପରାଧିକ ମାମଲାର ତାଲିକା ଓ କେସ୍‌ ଡାଏରି ସପ୍ତାହେ ମଧ୍ୟରେ ଅର୍ଥାତ୍‌ ୨୮ ସେପ୍ଟେମ୍ବର ସୁଦ୍ଧା ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଖିଲାପ କଲେ ଅଭିଯୋଗକାରୀ ବିପକ୍ଷରେ ରାୟ ଜାରି କରାଯିବ ବୋଲି ଉଲ୍ଲେଖ କରାଯାଇଛି।

publive-image bhubaneswarcuttackpolice.gov.in

ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମାଡ଼ ଖାଇଲା ଏବଂ ପରେ ଅଭିଯୁକ୍ତଙ୍କୁ ଗିରଫ କଲା। ହେଲେ ମହିଳା ଘଟଣାକୁ ସଂପୂର୍ଣ୍ଣ ମିଛ ବୋଲି ସତ୍ୟପାଠ ଦେଇ ପୁଲିସକୁ ହରଡ଼ଘଣାରେ ପକାଇ ଦେଇଛନ୍ତି। ଅବଶ୍ୟ ପୁଲିସ ଏହି ଘଟଣାରେ ନିଜେ ଆକ୍ରମଣର ଶିକାର ହୋଇଥିବାରୁ ନିଜ ଆଡ଼ୁ ମଧ୍ୟ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେଣୁ ପୁଲିସ ପାଇଁ ଏହା ସେତେଟା ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ନିକଟରେ ଭରତପୁର ଥାନାରେ ଜଣେ ବିଜେପି ନେତାଙ୍କ ବିରୋଧରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଥାନାରେ ଅଭିଯୋଗ କରିବା ପରେ କୋର୍ଟରେ ବୟାନ୍ ବଦଳାଇ ପୁଣି ପୁଲିସକୁ ଲୋକହସା କରାଇଲେ। ଫଳରେ ଅଭିଯୁକ୍ତ ମାସାଧିକ କାଳ ଲୁଚିବା ପରେ ହାଇକୋର୍ଟରୁ ଜାମିନ୍ ପାଇ ଯାଇଥିଲେ।

ଏନେଇ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଘଟଣାରୁ ଜଣାପଡ଼ୁଛି ଅଭିଯୋଗକାରିଣୀ ଅଭିଯୁକ୍ତଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି। ଯେଉଁଥିପାଇଁ ସେ ହାଇକୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି। ପୁଲିସ ସୂଚାରୁରୂପେ ଦାୟିତ୍ବ ନିର୍ବାହ କରିଥିଲେ ବି ମହିଳାଙ୍କ ପାଇଁ ସେମାନଙ୍କ ମନୋବଳ କମିଯାଉଛି ଏବଂ ଅପରାଧୀଙ୍କୁ ଅପରାଧ କରିବାକୁ ଅଧିକ ସୁଯୋଗ ଦେଉଛି। ଆଉ ମିଥ୍ୟା ସତ୍ୟପାଠକୁ ଆଧାର କରି ପୁଲିସ ଅଭିଯୋଗକାରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିପାରିବାର ପ୍ରାବଧାନ ରହିଛି।