‘ଜାଗା ମିସନ’ରେ ଅନ୍ତର୍ଭୁକ୍ତ, ମୌଳିକ ସୁବିଧାରୁ ବଞ୍ଚିତ: ବର୍ଷ ବର୍ଷ ଧରି ଅବ୍ୟବସ୍ଥା ଘେରରେ ବସ୍ତି ବାସିନ୍ଦା

ଇଡ୍‌କୋ ଜାଗାରେ ଉନ୍ନତିମୂଳକ କାର୍ଯ୍ୟକୁ ନା’, ଚିଠି କରିଦେଇ କାମ ସାରି ଦେଉଛନ୍ତି ବିଏମ୍‌ସି ଅଧିକାରୀ

ଭୁବନେଶ୍ବର: ରାଜଧାନୀରେ ଆଉ ରହିବନି ବସ୍ତି। ସବୁ କିଛି ଚକାଚକ୍‌ ହେବ। ସମ୍ଭ୍ରାନ୍ତ ଅଞ୍ଚଳର କଲୋନି ଭଳି ମିଳିବ ସମସ୍ତ ସୁବିଧା। ପ୍ରାଥମିକ ପର୍ଯ୍ୟାୟରେ ଲୋକମାନଙ୍କ ମୌଳିକ ସୁବିଧା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ବସ୍ତି ବଦଳି ହେବ ‘ବିଜୁ ଆଦର୍ଶ କଲୋନି’। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିଛି ଏଭଳି ଘୋଷଣା କରିଥିଲେ। ଏହାକୁ ନେଇ ରାଜଧାନୀରେ କିଛି ବସ୍ତିରେ କାମ ବି ହୋଇଛି। ଆଉ କିଛି ବସ୍ତିରେ କାମ ଚାଲୁଅଛି। ହେଲେ ମ‌ଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ୯ଟି ବସ୍ତିରେ ‘ଜାଗା ମିସନ’ରେ ଅନ୍ତର୍ଭୁକ୍ତ ବସ୍ତି ଗୁଡ଼ିକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି। ଲୋକମାନେ ଇଡ୍‌କୋ ଜମିରେ ଘର କରି ରହିଥିବାରୁ ସେଠାରେ ବିଏମ୍‌ସି କୌଣସି ବିକାଶମୂଳକ କାର୍ଯ୍ୟ କରିପାରୁନି। ଏପରିକି ଅନୁମତି ପାଇଁ ବିଏମ୍‌ସି ଚିଠି କଲେ ମଧ୍ୟ ମାସ ମାସ ଧରି ଉତ୍ତର ମିଳୁନି। ଅନ୍ୟପଟେ ବିଏମ୍‌ସି ବାବୁମାନେ ଚିଠି କରିଦେଇ କାମ ସାରି ଦେଉଛନ୍ତି। ପରେ ଚିଠି ବିଷୟରେ ଜାଣିବା ପାଇଁ ସାମାନ୍ୟତମ ଆନ୍ତରିକତା ଦେଖାଉନାହାନ୍ତି। ଫଳରେ ବସ୍ତିରେ ରହୁଥିବା ଗରିବ‌ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କ୍ଷୋଭର ସହ କହିଛନ୍ତି।

ସୂଚନାଯୋଗ୍ୟ, ବିଏମ୍‌ସିର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ପୁରୁଷୋତ୍ତମ ବସ୍ତି, ଜଗନ୍ନାଥ କୁଷ୍ଠାଶ୍ରମ ବସ୍ତି, ଗୋପବନ୍ଧୁ ବସ୍ତି, ତୁୟୁଘୁଟ ବସ୍ତି, ଝରଣା ସାହି ବସ୍ତି, ଓସିସି ବସ୍ତି, ମଣିନାଗେଶ୍ବରୀ ବସ୍ତି, ଆଖଣ୍ଡଳମଣୀ ବସ୍ତି, ଭଗବତୀ ବସ୍ତି, ହାଡ଼ବାଇ ବସ୍ତି ଆଦିରେ ପାଖାପାଖି ୫ହଜାର ଲୋକ ବସବାସ କରୁଛନ୍ତି। ଏମାନେ ରାଜୀବ ଆବାସ ଯୋଜନାରେ ସର୍ଭେ ହୋଇଥିବାରୁ ‘ଜାଗା ମିସନ’ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି। ଫଳରେ ଏମାନେ ରାସ୍ତା, ଡ୍ରେନ୍, ବ୍ୟକ୍ତିଗତ ଶୌଚାଳୟ, ପିଇବା ପାଣି, ବିଦ୍ୟୁତ୍‌ ସେବା, ଷ୍ଟ୍ରିଟ୍‌ ଲାଇଟ୍‌, ପରିଚୟ ଗୃହ, ଆମୋଦପ୍ରମୋଦ ସ୍ଥାନ, ପିଲାଙ୍କ ଖେଳ ସୁବିଧା ଓ ପରିଚୟ ଗୃହ ଭଳି ସୁବିଧା ପାଇବା ପାଇଁ ହକ୍‌ଦାର। ହେଲେ ଏମାନେ କେବଳ ପିଇବା ପାଣି, ବିଦ୍ୟୁତ୍‌ ସେବା ଓ ଷ୍ଟ୍ରିଟ୍‌ ଲାଇଟ୍‌କୁ ଛାଡ଼ିଦେଲେ ଅନ୍ୟ କ‌ୌଣସି ସୁବିଧା ପାଇପାରୁ ନାହାନ୍ତି।

ବସ୍ତି ଗୁଡ଼ିକରେ ଖାଲଖମା ରାସ୍ତା ଯେତିକି ଯନ୍ତ୍ରଣାଦୟକ ଦେଉଛି, ଲଗାଣ ବର୍ଷାରେ ବର୍ଷା ପାଣି ଘର ଭିତରେ ଲହଡ଼ି ମାରିବା ସେତିକି କଷ୍ଟ ଦେଉଛି। ଏମିତିକି କିଛି ବସ୍ତିରେ ରାସ୍ତା ସମତଳ ହୋଇନଥିବାରୁ ପିଇବା ପାଣି ମଧ୍ୟ ସମସ୍ତଙ୍କ ଘରକୁ ଯାଇପାରୁ ନାହିଁ। ଏ ସବୁ ବସ୍ତି ଗୁଡ଼ିକରେ ପ୍ରାୟ ୫ହଜାର ଲୋକ ଏଭଳି ଅବ୍ୟବସ୍ଥା ଘେରରେ ସନ୍ତୁଳି ହୋଇ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ସେମାନେ କ୍ଷୋଭର ସହ କହିଛନ୍ତି।

ରାଜଧାନୀରେ ଥିବା ଅନ୍ୟ ବସ୍ତି ଗୁଡ଼ିକ ଜାଗା ପ୍ରାୟ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଆସୁଥିବାବେଳେ ସେଥିରେ ବିଏମ୍‌ସି ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସଙ୍ଗେ ସଙ୍ଗେ ଅନୁମତି ମିଳିଯାଉଛି। ହେଲେ ଇଡ୍‌କୋ ଅଧ୍ୟକ୍ଷଙ୍କୁ ୨୯ ଅକ୍ଟୋବର ୨୦୨୧ରୁ ଚିଠି ନମ୍ବର ୭୭୬୪୬ରେ ଚିଠି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନି। ଦୀର୍ଘ ୧୦ ମାସ ବିତି ଯାଇଥିଲେ ମଧ୍ୟ ଇଡ୍‌କୋ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ବିଏମ୍‌ସି ବାବୁମାନେ ଚିଠି କରି ନିଜ କାମ ସାରିଦେଇ ଚୁପ୍‌ ବସୁଛନ୍ତି। ସେହିଭଳି ଜନ ପ୍ରତିନିଧି ମଧ୍ୟ ଏ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍କର୍ସ ବାହାର କରିବା ପାଇଁ ଚେଷ୍ଟା କରୁନଥିବାରୁ ଲୋକମାନଙ୍କ ଭିତରେ ଅ‌ସନ୍ତୋଷ କୁହୁଳିବାରେ ଲାଗିଛି। ଏ ସଂପର୍କରେ ବିଏମ୍‌ସିର ‘ଜାଗା ମିସନ’ ଦାୟିତ୍ବରେ ଥିବା ଅଧିକାରୀ ରମେଶ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଇଡ୍‌କୋ ଏନ୍‌‌ଓସି ଦେଲେ ଯାଇ କୌଣସି କାମ ଆଗେଇ ପାରିବ। ନଚେତ୍‌ ଆମେ ସେଠାରେ କିଛି କରିପାରିବୁ ନାହିଁ।

ସମ୍ବନ୍ଧିତ ଖବର