ଭୁବନେଶ୍ୱର: କେଉଁଠି ଫଳକର ଅସ୍ତିତ୍ୱ ନାହିଁ ତ କେଉଁଠି ଫଳକ ଅଛି ହେଲେ ପ୍ରକଳ୍ପ ନାହିଁ। ପୁଣି କେଉଁଠି ପ୍ରକଳ୍ପ ଥାଇ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। କରୋନା ସମୟରେ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଇଥିଲେ। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ସ୍ବୟଂସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ଏସ୍ଏଚ୍ଜିକୁ ସାମ୍ନାରେ ରଖି ଠିକାଦାର ମୁକ୍ତା ଯୋଜନାରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ତିଆରି କଲେ। ଉପଯୁକ୍ତ ସ୍ଥାନ ନିରୂପଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ପ୍ରକଳ୍ପ ମାଟିରେ ମିଶିଗଲାଣି।
ବିଏମ୍ସିର ୬୩ ନମ୍ୱର ଵାର୍ଡରେ ଧର୍ମବିହାର ସରସ୍ୱତୀ ଶିଶୁମନ୍ଦିର ନିକଟରେ ତିନି ବର୍ଷ ତଳେ ବୃଷ୍ଟିଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ୫ ଲକ୍ଷ ୭୪ ହଜାର ୭ଶହ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ତା’ର ଚିହ୍ନବର୍ଣ୍ଣ ନାହିଁ। ଖାଲି ନାମକୁ ମାତ୍ର ଫଳକ ଥିବା ବେଳେ ଉକ୍ତ ସ୍ଥାନରେ ଡ୍ରେନ ନିର୍ମାଣ ହୋଇଛି। ଏନେଇ କର୍ପୋରେଟର ସୁଜାତା ଛୋଟରାୟ କହିଛନ୍ତି, ଭୁଲ ସ୍ଥାନ ଚୟନରୁ ସୁଫଳ ମିଳିପାରିଲା ନାହିଁ। ତେବେ ଉକ୍ତ ଅଞ୍ଚଳରେ ଡ୍ରେନ ନିର୍ମାଣ ହୋଇଛି। ସେହିପରି ଶାସ୍ତ୍ରୀନଗର କମ୍ୟୁନିଟି ହଲ୍ ଓ ଅଞ୍ଚଳର ବିଦ୍ୟାଳୟରେ ୧ ଲକ୍ଷ ୩୪ ହଜାର ୪୨୩ଟଙ୍କା ବିନିମୟରେ ବୃଷ୍ଟିଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ବର୍ତ୍ତମାନ ତାହା ମାଟିରେ ମିଶି ଗଲାଣି।
ଏନେଇ ୩୯ ନମ୍ବର ୱାର୍ଡ କର୍ପୋରେଟର ଗୀତାଞ୍ଜଳି ସାହୁ କହିଛନ୍ତି, ବିଦ୍ୟାଳୟରେ ପ୍ରକଳ୍ପର ନିର୍ମାଣ କାମ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଠାରେ ସୌନ୍ଦର୍ଯ୍ୟୀକରଣ କାମ କରାଯାଇଥିବାରୁ ତାହାର ଆଢ଼ୁଆଳରେ ରହିଯାଇଛି। ସେହିପରି ଇନ୍ଦିରା ଗାନ୍ଧୀ ପାର୍କ, ଆଚାର୍ଯ୍ୟବିହାର ପାର୍କ, ସତ୍ୟନଗର ପାର୍କ ଚାରିପଟେ ହୋଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ଅଳିଆ ଆବର୍ଜନା ଓ ଗଛଲତାରେ ଭର୍ତ୍ତି ହୋଇଗଲାଣି। ଫଳରେ ଯେତିକି ବର୍ଷା ଜଳ ଜମି ରହୁଛି, ତାହା ମଶା ବଂଶ ବୃଦ୍ଧି କରିବା ଛଡ଼ା ଅନ୍ୟ କିଛି କାମରେ ଲାଗୁନାହିଁ ବୋଲି ଅଭିଯୋଗ ହୋଇଆସୁଛି। କେବଳ ବୃଷ୍ଟିଜଳ ଅମଳ ପ୍ରକଳ୍ପ ନୁହେଁ, ଏହି ଅଭିଯାନରେ ବିଭିନ୍ନ ରାସ୍ତାରେ ବିଛାଯାଇଥିବା ପେଭର୍ ବ୍ଲକ୍ ସବୁ ଉଠିଯାଇଥିବା ଦେଖିବାକୁ ମିଳିଛି।