୧ମାସର ବ୍ୟବଧାନ ପରେ କୋଭିଡ ସଂକ୍ରମଣରେ ବୃଦ୍ଧି, ଚିନ୍ତା ବଢ଼ାଇଲା ଶିକ୍ଷାନୁଷ୍ଠାନ ହଷ୍ଟେଲ୍‌

ଭୁବନେଶ୍ବର: ୧ମାସର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଗତମାସ ୮ତାରିଖରେ ରାଜ୍ୟରେ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ କେବଳ କଟକର ୱାଲ୍‌ର୍ଡ ସ୍କିଲ ସେଣ୍ଟର ହଷ୍ଟେଲରେ ୧୩ଜଣ ବିଦ୍ୟାର୍ଥୀ ରହିଛନ୍ତି। ଆଜି ସଂପୃକ୍ତ ହଷ୍ଟେଲରେ ଥିବା ଅନ୍ୟମାନଙ୍କ ନମୁନା ପରୀକ୍ଷା କରାଯାଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। କଟକର ଏହି ହଷ୍ଟେଲରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବିଭାଗର ଏକ ଟିମ ସଂପୃକ୍ତ ହଷ୍ଟେଲକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ସଂପୃକ୍ତ ହଷ୍ଟେଲରୁ କଣ୍ଟେନମେଣ୍ଟ ଘୋଷଣା କରାଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, କଟକର ଏକ ହଷ୍ଟେଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ନାହିଁ। ଜଣେ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଦ୍ବାରା ଅନ୍ୟମାନେ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲା। ସ୍ଥିତି ଅନୁଧ୍ୟାନ କରିବା ଲାଗି ବିଭାଗର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି। ପରବର୍ତୀ ସମୟରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବ କି ନାହିଁ ତାହା ଜଣାପଡ଼ିବ।

ସେ ଆହୁରିମଧ୍ୟ କହିଛନ୍ତି ଯେ କୋଭିଡ୍‌ ଆଗକୁ ରହିବ। ଏଭଳି ସ୍ପୋରାଡିକ ଆଉଟବ୍ରେକ୍ ହେବ। ଟ୍ରାନ୍‌ସମିସନ୍ ବା ସଂକ୍ରମଣ ଏବେ ଯାଏ ବନ୍ଦ ହୋଇନାହିଁ। ସେଥିପାଇଁ ସବୁ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବ୍ୟାପକ ଟିକାକରଣ ଯୋଗୁଁ ସଂକ୍ରମଣ ମନ୍ଥର ହୋଇଛି ଓ ରୋଗର ଭୟବହତା କମିଛି। ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, ଟିକାକରଣ ଓ କୋଭିଡ ନିୟମକୁ ପାଳନ କରିବାକୁ ହେବ ବୋଲି ଡା.ମିଶ୍ର କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଜି ୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୧୧୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି। କୋଭିଡ ମୃତ୍ୟୁ ୯୧୨୬ରେ ସ୍ଥିର ରହିଛି। ରାଜ୍ୟର ୧୪ଟି ଜିଲ୍ଲା ଏବେସୁଦ୍ଧା କୋଭିଡମୁକ୍ତ ରହିଛି।

ସମ୍ବନ୍ଧିତ ଖବର