ଭୁବନେଶ୍ୱର: ଜନତା ମଇଦାନରେ କାର୍ଯ୍ୟକ୍ରମ କରିବା ଏଣିକି ମହଙ୍ଗା ହେବ। ଆଗରୁ ଯେତିକି ଭଡ଼ା ଦେଉଥିଲେ ଏବେ ତା’ର ପ୍ରାୟ ଦୁଇଗୁଣା ଦେବାକୁ ହେବ। କେବଳ ଏତିକି ନୁହେଁ, କାର୍ଯ୍ୟକ୍ରମ କରିବା ପୂର୍ବରୁ ୬ଦିନର ଭଡ଼ା ସିକ୍ୟୁରିଟି ଆକାରରେ ଜମା କରିବାକୁ ପଡ଼ିବ। ଏହିଭଳି ନିୟମ ଖୁବ୍ ଶୀଘ୍ର ବିଡିଏ ଆଣିବାକୁ ଯାଉଛି। ବିଡିଏର ଏହି ନୂଆ ନିୟମ ଆସିଲେ କେବଳ ଧନୀ ଶ୍ରେଣୀର ଲୋକ, ଅଧିକ ଅର୍ଥ ଥିବା ସଂସ୍ଥା ଜନତା ମଇଦାନରେ କାର୍ଯ୍ୟକ୍ରମ କରିବାକୁ ସାହସ ଜୁଟାଇବେ। ଏପରିକି ବହୁ ସଂସ୍ଥା ଦାନ ଏବଂ ଚାନ୍ଦା ଆଦାୟ କରି କାର୍ଯ୍ୟକ୍ରମ କରୁଥିବାବେଳେ ସେମାନଙ୍କ ପାଇଁ ଜନତା ମଇଦାନରେ କାର୍ଯ୍ୟକ୍ରମ କରିବା ଏବେ ଏକପ୍ରକାରର ଅସମ୍ଭବ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଡିଏ ଜନତା ମଇଦାନର ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏଠାରେ ଥିବା ଦୁଇଟି ଯାକ ପଡ଼ିଆର ଦୈନିକ ଭଡ଼ା ବୃଦ୍ଧି ପାଇଛି। ଏନେଇ ବିଡିଏର ୧୩୬ତମ ଅଥରିଟି ବୈଠକରେ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନତା ମଇଦାନରେ ଥିବା ବଡ଼ ପଡ଼ିଆର ଦୈନିକ ଭଡ଼ା ଏଣିକି ୫୦ହଜାର ଟଙ୍କା ହେବ। ପୂର୍ବରୁ ଏହା ୩୦ହଜାର ଟଙ୍କା ଥିଲା। ସେହିପରି ଛୋଟ ପଡ଼ିଆର ଦୈନିକ ଭଡ଼ା ୨୫ହଜାର ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଘରୋଇ ସଂସ୍ଥା, ବ୍ୟକ୍ତିଙ୍କ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ। ବର୍ଦ୍ଧିତ ଭଡ଼ା ଲାଗୁ ହେଲେ ଜନତା ମଇଦାନ ରାଜଧାନୀର ସବୁଠୁ ଦାମୀ ପଡ଼ିଆ ହୋଇଯିବ। କେବଳ ଘରୋଇ ସଂସ୍ଥା କି ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଭଡ଼ା ବୃଦ୍ଧି ହେବନି। ସରକାରୀ କାର୍ଯ୍ୟକ୍ରମ କଲେ ବି ଯେଉଁ ବିଭାଗ କାର୍ଯ୍ୟକ୍ରମ କରିବ ସେହି ବିଭାଗକୁ ପୂର୍ବାପେକ୍ଷା ଅଧିକ ଭଡ଼ା ଗଣିବାକୁ ପଡ଼ିବ। ବଡ଼ ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ କଲେ ଦିନକୁ ଭଡ଼ା ୩୫ହଜାର ଟଙ୍କା ଏବଂ ଛୋଟ ପଡ଼ିଆ ପାଇଁ ୧୫ହଜାର ଟଙ୍କା ଦେବାକୁ ହେବ।
ଏସବୁ ବାଦ୍ ସରକାରୀ/ ବେସରକାରୀ କାର୍ଯ୍ୟକ୍ରମ କରିବା ପୂର୍ବରୁ ଭଡ଼ା ବାଦ୍ ୬ଦିନର ଭଡ଼ା ସିକ୍ୟୁରିଟି ଆକାରରେ ଜମା କରିବାକୁ ପଡ଼ିବ। ବଡ଼ ପଡ଼ିଆରେ ବେସରକାରୀ କାର୍ଯ୍ୟକ୍ରମ ହେଲେ ୩ଲକ୍ଷ ଟଙ୍କା, ସରକାରୀ କାର୍ଯ୍ୟକ୍ରମ କଲେ ୨ଲକ୍ଷ ୧୦ହଜାର ଟଙ୍କା ଜମା କରିବାକୁ ପଡ଼ିବ। ଛୋଟ ପଡ଼ିଆରେ ବେସରକାରୀ କାର୍ଯ୍ୟକ୍ରମ କଲେ ସିକ୍ୟୁରିଟି ଆକାରରେ ଦେଢ଼ ଲକ୍ଷ ଟଙ୍କା, ସରକାରୀ କାର୍ଯ୍ୟକ୍ରମ କଲେ ୯୦ହଜାର ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଯେଉଁଭଳି ପଡ଼ିଆ ନେଇଥିବ ସେହିଭଳି ଫେରାଇବ, ପଡ଼ିଆରେ କିଛି ବି ଆବର୍ଜନା ପଡ଼ିବନି କି ସାମଗ୍ରୀ ପଡ଼ିବନି। ଯଦି ପଡ଼ିଆରେ କିଛି କ୍ଷତି ହୋଇଥାଏ କିମ୍ବା ଆବର୍ଜନା ସଫା ହୋଇନଥିବ ତେବେ ସିକ୍ୟୁରିଟି ଅର୍ଥରୁ ତିନି ଦିନର ଭଡ଼ା କାଟି ଦିଆଯିବ। ଏଠାରେ ପ୍ରତିବର୍ଷ କାର୍ଯ୍ୟକ୍ରମ କରୁଥିବା ଏକ ଆୟୋଜକ ସଂସ୍ଥାର ମୁଖ୍ୟଙ୍କ ସୂଚନା ଅନୁଯାୟୀ, ବିଡିଏ ମନଇଚ୍ଛା ଫି’ ବଢ଼ାଇବାରେ ଲାଗିଛି। କୌଣସି ପ୍ରକାରର ଆନୁସଙ୍ଗିକ ସୁବିଧା ସୁଯୋଗ ନଦେଇ ମନଇଚ୍ଛା ଭଡ଼ା ବଢ଼ାଇବାର ଉଦ୍ଦେଶ୍ୟ କ’ଣ ଜଣାପଡ଼ୁନି। ଗତବର୍ଷ ବଡ଼ ପଡ଼ିଆର ଅଧା ଭଡ଼ା ନେଲେ ୨୦ହଜାର ଟଙ୍କା ଦେବାକୁ ପଡ଼ୁଥିବାବେଳେ ଛୋଟ ପଡ଼ିଆ ପାଇଁ ୧୦ହଜାର ଟଙ୍କା ଦେଉଥିଲୁ। ସିକ୍ୟୁରିଟି ଫି’ ବାବଦକୁ ୫ହଜାର ଟଙ୍କା ଦେଉଥିଲୁ। ଏଥିରେ କେବଳ ଖୋଲା ପଡ଼ିଆଟା ମିଳୁଥିଲା। ନା କାର୍ଯ୍ୟକ୍ରମ ପାଇଁ ପାଣି ନା ବିଦ୍ୟୁତ ମିଳୁଥିଲା। ସବୁ ପାଇଁ ଫି’ ଦେବାକୁ ପଡ଼ୁଥିଲା। ଏପରିକି ପଡ଼ିଆରେ ଟେଣ୍ଟ୍ କରିବା ପାଇଁ ବାଉଁଶ ଯେଉଁଦିନ ଭର୍ତ୍ତି କରିବ ସେହି ଦିନଠାରୁ ଭଡ଼ା ଗଣିବାକୁ ପଡ଼ୁଛି। ଏପରି ସ୍ଥଳେ ଯଦି କେହି ବଡ଼ ଆକାରରେ ଦିନେ କି ଦୁଇ ଦିନ କାର୍ଯ୍ୟକ୍ରମ କଲେ ଟେଣ୍ଟ ବାନ୍ଧିବା ପାଇଁ ୭ରୁ ୮ଦିନ ଏବଂ ଟେଣ୍ଟ ଖୋଲିବା ପାଇଁ ତିନିରୁ ଚାରିଦିନ ଲାଗି ଯାଉଛି। ଏପରି ସ୍ଥଳେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୧୨ରୁ ୧୩ଲକ୍ଷ ଟଙ୍କା ଦେବାକୁ ପଡ଼ିବ କେବଳ ପଡ଼ିଆ ବାବଦକୁ। ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ। ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପଡ଼ିଆର ଅଭାବ ଥିବାବେଳେ ବିଡିଏ ଏହିଭଳି ଏକତରଫା ପଡ଼ିଆ ଭଡ଼ା ବଢ଼ାଇବା ଏବଂ ସିକ୍ୟୁରିଟି ଅର୍ଥ ବଢ଼ାଇବା ଅଯୁକ୍ତିକର। ଏହାର ପୁନର୍ବିଚାର ହେବା ଦରକାର ବୋଲି ବିଭିନ୍ନ ସଂଗଠନ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜନତା ମଇଦାନରେ ଏବେ ପ୍ରାୟ ୩୧ଏକର ଜମି ଥିବାବେଳେ ଏଥିରୁ ପ୍ରାୟ ୩ଏକର ଜମି ଛୋଟ ପଡ଼ିଆ ଭାବେ ବ୍ୟବହାର ହେଉଛି। ବଡ଼ ପଡ଼ିଆରେ ଥିବା ୨୮ଏକର ଜମିକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଏବେ ଭଡ଼ାରେ ଦିଆଯାଉଛି। ହେଲେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତି/ସଂସ୍ଥାକୁ କିଛି ବି ଆନୁସଙ୍ଗିକ ସୁବିଧା ସୁଯୋଗ ମିଳୁନି।