ଦୀପାବଳି ପାଇଁ ବଢ଼ିଛି ଚାଇନା ଲାଇଟ୍‌ ଚାହିଦା

ଘରସଜାରେ ରାଜସ୍ଥାନୀ ପ୍ଲାଷ୍ଟିକ୍‌ ଫୁଲମାଳ

ଭୁବନେଶ୍ବର : ଦୀପାବଳି ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଘର ସଜାଇବା ପାଇଁ କେହି କେହି ଘରକୁ ନୂଆ କରି ରଙ୍ଗ କରୁଛନ୍ତି। ତେବେ ଦୀପାବଳି ଦିନ ସନ୍ଧ୍ୟା ପାଇଁ ଲୋକେ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି। ଘରକୁ ରଙ୍ଗିନ୍‌ ଆଲୋକରେ ସଜ୍ଜିତ କରିବାକୁ କିଏ ଦୀପ କିଣୁଛି ତ କିଏ ବିଦ୍ୟୁତ୍ ଲାଇଟ୍‌ ମାଳ କିଣୁଛି। ତେବେ ବହୁସଂଖ୍ୟାରେ ଲୋକେ ବିଦ୍ୟୁତ୍ ଲାଇଟ୍‌ ମାଳ କିଣୁଛନ୍ତି। ଏବେ ବଜାରରେ ଏହି ଲାଇଟ୍‌ ମାଳ ବେଶି ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଲାଇଟ୍‌ ମାଳ ପାଇଁ ବଜାରକୁ ମାଡ଼ି ବସିଛି ଚାଇନା ଲାଇଟ୍‌।

ଏବେ ବଜାରରେ ବିଭିନ୍ନ ପ୍ରକାର ଲାଇଟ୍ ମାଳ ମିଳୁଛି। ଲିଚୁ ଲାଇଟ୍‌, ରାଇସ୍ ମାଳ, ଏଲ୍‌ଇଡି ମାଳ, ଲଣ୍ଠନ ମାଳ, ଝୁମୁକା ମାଳ, ରିମୋଟ୍ କଣ୍ଟ୍ରୋଲ୍ ଲାଇଟ୍ ମାଳ ଓ ଲାଇଟ୍ ଦୀପ ପରି ଅନେକ ପ୍ରକାର ଡେକୋରେଟିଭ୍ ଲାଇଟ୍‌ ମାଳ ବିକ୍ରି କରାଯାଉଛି। ଏସବୁ ଲାଇଟ୍‌ ମାଳ କିଣିବା ପାଇଁ ୟୁନିଟ୍-୧ ମାର୍କେଟ୍‌ରେ ଦୋକାନମାନଙ୍କରେ ଗ୍ରାହକମାନଙ୍କ ଭିଡ଼ ଜମିଲାଣି। ସାଇଜ୍ ଓ ଡିଜାଇନ୍ ଅନୁସାରେ ମାଳର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ବ୍ୟବସାୟୀମାନଙ୍କ କହିବା କଥା, ସେମାନେ ଏଭଳି ଲାଇଟ୍ ମାଳ ଦିଲ୍ଲୀରୁ କିଣିଛନ୍ତି। କିନ୍ତୁ ଏସବୁ ଚୀନ୍‌ରୁ ଆସିଛି। ପୂର୍ବରୁ କୋଲକାତାରୁ ଲିଚୁ ମାଳ ଆସୁଥିଲା। କିନ୍ତୁ ଏଲ୍‌ଇଡି ଲାଇଟ୍‌ ବାହାରିବା ପରଠାରୁ ଚୀନ୍‌ ଏହି ବଜାରକୁ କବ୍‌ଜା କରିନେଇଛି। ଶସ୍ତାରେ ଭଲ ସୁନ୍ଦର ଦେଖାଯାଉଥିବାରୁ ଗ୍ରାହକମାନେ ବି ବେଶି ଆଦର କରୁଛନ୍ତି। ବଡ଼ କଥା ହେଉଛି, ଓଡ଼ିଶାରେ ଏଭଳି ଲାଇଟ୍‌ ମାଳ ଉତ୍ପାଦନର ସୁବିଧା ଥିଲେ ବି କୌଣସି ଉଦ୍ୟୋଗୀ ଏଥିପ୍ରତି ଆଗ୍ରହ କରୁନଥିବା ଜଣେ ବ୍ୟବସାୟୀ କହିଛନ୍ତି।

ସେହିଭଳି ଦୀପାବଳିରେ ଘରକୁ ସଜାଇବା ପାଇଁ ଏବେ ରାଜଧାନୀର ରାଜରାସ୍ତା କଡ଼ରେ ଗଦା ହେଲାଣି ପ୍ଲାଷ୍ଟିକ୍ ଫୁଲମାଳ। ଗୁଜରାଟରୁ ଆସୁଥିବା ଏହି ମାଳ ସବୁ ରାଜସ୍ଥାନୀ ବେପାରୀମାନେ ବିକୁଛନ୍ତି। ପ୍ଲାଷ୍ଟିକ୍ ଫୁଲମାଳ, ଫୁଲତୋଡ଼ା ଓ ସେଥିରେ ଲାଗିଥିବା ବିଭିନ୍ନ ଫଳ ଓ ପତ୍ର ଅଧିକ ଆକର୍ଷଣୀୟ ହୋଇଛି। ଏ ସବୁର ଦାମ୍ ୧୦୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ମହିଳା ବ୍ୟବସାୟୀ ସୁନୀତା କୌର୍‌ଙ୍କ କହିବା କଥା, ଭୁବନେଶ୍ବରରେ ଏହି ମାଳ ପ୍ରତି ଚାହିଦା ଥିବାରୁ ସେ ଦୈନିକ ୩ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି।

ସମ୍ବନ୍ଧିତ ଖବର