ଭୁବନେଶ୍ବର: ଗତ କିଛି ବର୍ଷ ହେଲା, ରାଜଧାନୀରେ ଠକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜାଗା ଓ ଘର କିଣିବାଠାରୁ ଆରମ୍ଭ କରି ସରକାରୀ/ବେସରକାରୀ ସଂସ୍ଥାରେ ଚାକିରି, ଆଡ୍ମିସନ୍, ଟାୱାର୍ ବସାଇବା, କିଡ୍ନି ପ୍ରତିରୋପଣ ପର୍ଯ୍ୟନ୍ତ; ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଆଦି ସବୁ କ୍ଷେତ୍ରରେ ମାଳମାଳ ଠକ। ନକଲି ନୋଟ୍ କାରବାରକୁ ମଧ୍ୟ ବାଦ୍ ଦିଆଯାଇନପାରେ। ଲୋକଙ୍କୁ ଚୂନ ମାରିବା ପାଇଁ ନୂଆ ନୂଆ ଯୋଜନା କରି ସବୁବେଳେ ପ୍ରସ୍ତୁତ ରହୁଛନ୍ତି। ଏହା ଉଭୟ ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଉନ୍ନତ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ଓ କର୍ମସଂସ୍ଥାନ ଯୋଗାଡ଼ ପାଇଁ ପ୍ରତିବର୍ଷ ଭୁବନେଶ୍ବରକୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି। ତେଣୁ ଏହି ସବୁ କ୍ଷେତ୍ରକୁ ଅସ୍ତ୍ର କରି ଲୋକଙ୍କୁ ଠକିବା ପାଇଁ ଉଦ୍ୟମ କରୁଛନ୍ତି।
ଠକେଇ ରୋକିବା ତଥା ଠକଙ୍କୁ ଧରିବା ପାଇଁ ପୁଲିସ୍ ଆଣ୍ଟି-ଫ୍ରଡ୍ ସେଲ୍ ଓ ପିଓପିଡି ଟିମ୍ ଭଳି ନୂଆ ନୂଆ ପ୍ରୟାସ କରୁଥିଲେ ହେଁ ପ୍ରତିବର୍ଷ ଠକେଇ ଅତ୍ୟନ୍ତ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି। ରାଜଧାନୀରେ ହେଉଥିବା ଠକେଇକୁ ନେଇ କମିସନରେଟ୍ ପୁଲିସର ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ହିଁ ଏହା ବୟାନ କରୁଛି।
ପ୍ରଥମଥର ପାଇଁ ୭୦% ତଳକୁ ଖସିଲା ଗିରଫଦାରୀ
୧୦ ବର୍ଷରେ ରାଜଧାନୀରେ ୬୨୦% ଠକେଇ ବୃଦ୍ଧି
ରାଜଧାନୀରେ ଠକଙ୍କ ଚେର ମାଡ଼ି ମାଡ଼ି ଯାଉଛି
ରାଜଧାନୀରେ ଠକେଇ ସଂଖ୍ୟା ଓ ପ୍ରତିଶତ ଉପରେ ନଜର ପକାଇଲେ, ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସୁଛି। ଗତ ଦଶନ୍ଧିରେ ରାଜଧାନୀରେ ଠକେଇ ମାମଲା ପ୍ରାୟ ୬୨୦ ପ୍ରତିଶତ ବଢ଼ିଛି। ୨୦୧୧ ମସିହାରେ ବର୍ଷକୁ ପ୍ରାୟ ୧୨୨ଟି ଠକେଇ ମାମଲା ରୁଜୁ ହେଉଥିବା ବେଳେ ୨୦୨୧ରେ ତାହା ବଢ଼ି ୮୭୯ରେ ପହଞ୍ଚିଲାଣି। କେବଳ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମେ’ ସୁଦ୍ଧା ରାଜଧାନୀର ବିଭିନ୍ନ ଥାନାରେ ଠକେଇ ସଂପର୍କିତ ମାମଲା ୩୦୦ ପାର୍ ହୋଇଗଲାଣି। କିନ୍ତୁ ସେହି ଅନୁସାରେ ଠକଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରୁନାହିଁ। ଠକଙ୍କୁ ଗିରଫଦାରୀ କ୍ଷେତ୍ରରେ ରାଜଧାନରେ ପୁଲିସ ପଛରେ ପଡ଼ିଛି।
କମିସନରେଟ୍ ପୁଲିସର ଇତିହାସ କହୁଛି, ପ୍ରତିବର୍ଷ ରାଜଧାନୀରେ ଯେତିକି ଠକେଇ ମାମଲା ରୁଜୁ ହେଉଥିଲା, ତା’ର ପ୍ରାୟ ୯୦ ପ୍ରତିଶତରୁ ଅଧିକ ମାମଲାରେ ପୁଲିସକୁ ସଫଳତା ମିଳୁଥିଲା। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କିରବା ସହ ସଫଳ ତଦନ୍ତ କରି କୋର୍ଟରେ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ କରୁଥିଲା। ୨୦୧୩ରେ କମିସନରେଟ୍ ପୁଲିସ୍ ସର୍ବକାଳୀନ ରେକର୍ଡ କରିଥିଲା। ସେବର୍ଷ, ରାଜଧାନୀରେ ୨୫୬ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ସଫଳତାର ସହ ସବୁ ମାମଲାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଅର୍ଥାତ୍ କେସ୍ ଡିଟେକ୍ସନ୍ର ହାର ୧୦୦ ପ୍ରତିଶତ ଥିଲା। ମାତ୍ର ୨୦୨୧ରେ ରୁଜୁ ହୋଇଥିବା ୮୭୯ ଠକେଇ ମାମଲାରୁ ମାତ୍ର ୧୭ଟି ଠକେଇ ମାମଲାର ଶେଷ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ହୋଇସାରିଥିବା ବେଳେ ୧୭୯ଟି ମାମଲାର ଆବଶ୍ୟକ ଚାର୍ଜସିଟ୍ ଦାଖଲ ହୋଇଛି। ଆହୁରି ୬୬୩ଟି ମାମଲାର ତଦନ୍ତ ସରି ନାହିଁ। ୨୪୭ଟି ଠକେଇ ମାମଲାରେ ଠକ ଅପହଞ୍ଚ ହୋଇପଡ଼ିଛନ୍ତି। କେବଳ ଥାନାରେ ମାମଲା ରୁଜୁ ହୋଇ ଗଡ଼ୁଛି, ପୁଲିସ୍ ଠକଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଯେଉଁଥିପାଇଁ ୨୦୨୧ରେ ଠକଙ୍କୁ ଗିରଫଦାରୀ ହାର ମାତ୍ର ୬୬.୯୪ ପ୍ରତିଶତ ରହିଛି। କମିସନରେଟ୍ ଇତିହାସରେ ପ୍ରଥମଥର ପାଇଁ ଠକଙ୍କୁ ଗିରଫଦାରୀ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ କମିଥିବା ଜଣାଯାଇଛି।
କାହିଁକି ବଢ଼ୁଛି ଠକେଇ?
ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାର ୬୦ଦିନ ମଧ୍ୟରେ କୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରାଯିବା କଥା। ଏହା ପରେ ନିୟମିତ ବ୍ୟବଧାନରେ କୋର୍ଟରେ ଶୁଣାଣି ବେଳେ ଅନ୍ୟାନ୍ୟ ତଥ୍ୟ ଓ ଆବଶ୍ୟକ ପ୍ରମାଣ ଦିଆଯିବ। ଅଭିଯୋଗ ଆଧାରରେ ପୁଲିସ ଠକଙ୍କୁ ଗିରଫ କରୁଛି ସତ, ମାତ୍ର ନିର୍ଧାରିତ ସମୟରେ ତଥ୍ୟ, ପ୍ରମାଣ ଯୋଗାଡ଼ କରି କୋର୍ଟରେ ଉପସ୍ଥାପନ କରିପାରୁ ନଥିବାରୁ ଅଭିଯୁକ୍ତଙ୍କୁ ସହଜରେ ଜାମିନ୍ ମିଳି ଯାଉଛି। ଯେଉଁଥିପାଇଁ ଅଭିଯୁକ୍ତ ଜେଲ୍ରୁ ବାହାରି ଅଭିଯୋଗକାରୀଙ୍କୁ ବିଭିନ୍ନ ଉପାୟରେ ଧମକଚମକ ଦେଇ ମାମଲାରୁ ଓହରିଯିବାକୁ ଚାପ ପକାଉଛି। ଅନେକ କ୍ଷେତ୍ରରେ ସାକ୍ଷୀମାନଙ୍କୁ ମଧ୍ୟ ଅଭିଯୁକ୍ତ ପ୍ରଭାବିତ କରିବାର ନଜିର୍ ରହିଛି। ଅପରପକ୍ଷେ ବିଚାର ପ୍ରକ୍ରିୟା ଲମ୍ବା ଚାଲୁଥିବାରୁ ଅନେକ ଅଭିଯୋଗକାରୀ ମାମଲା ରୁଜୁ ପରେ ଅଭିଯୁକ୍ତ ସହ ଆପୋସ ବୁଝାମଣା କରି ଓହରି ଯାଉଛନ୍ତି। ଫଳରେ ଥରେ ଗିରଫ ହେବା ପରେ ମଧ୍ୟ ପୁଣି ଜାମିନରେ ଆସି ଅଭିଯୁକ୍ତମାନେ ପୁଣି କୋଟିକୋଟି ଟଙ୍କାର ଠକେଇ କରୁଛନ୍ତି।
ସେହିଭଳି ରାଜଧାନୀରେ ବିଭିନ୍ନ ଜାଗାରେ କିଛି ଦଲାଲ୍ କନସଲଟାନ୍ସି ଖୋଲି ଚାକିରି ଦେବା ନାଁରେ ବିଜ୍ଞାପନ ଦେଉଛନ୍ତି। ନିୟମ ଦୃଷ୍ଟିରୁ ସ୍ଥାନୀୟ ପୁଲିସକୁ ଉକ୍ତ ସଂସ୍ଥା ଏ ବାବଦରେ ଅବଗତ କରାଇବା କଥା। ପୁଲିସ ମଧ୍ୟ ନିଜ ଅଞ୍ଚଳରେ ଖୋଲୁଥିବା ଏଭଳି ସଂସ୍ଥା ଉପରେ ନଜର ରଖି ନିୟମିତ ବ୍ୟବଧାନରେ ଯାଞ୍ଚ କରିବାର ନିୟମ ରହିଛି। ମାତ୍ର ପୁଲିସ ଅବହେଳାରୁ ଏହି ସଂସ୍ଥାଗୁଡ଼ିକ ମାସ ମାସ କାଳ ଡେରା ପକାଇ ଲୋକଙ୍କୁ ଠକୁଛନ୍ତି। ବଡ଼ରକମର ଟଙ୍କା ଠକିନେବା ପରେ ରାତାରାତି ଉଭାନ୍ ହୋଇଯାଉଛନ୍ତି। ସଂସ୍ଥା ବିରୋଧରେ ଅଭିଯୋଗ ହେଲା ବେଳକୁ ପୁଲିସ ଆଉ ଅଭିଯୁକ୍ତ କିମ୍ବା ସଂସ୍ଥା ବାବଦରେ ବିନ୍ଦୁବିସର୍ଗ ବି ପାଉନାହିଁ।
ଠକେଇକୁ ନେଇ ସର୍ବାଧିକ ଵାନ୍ ସିସି ମାମଲା
ପୁଲିସ ମାମଲା ରୁଜୁ ନ କଲେ, ଅଭିଯୋଗକାରୀ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇପାରିବେ। ତଥ୍ୟ ଓ ପ୍ରମାଣ ଆଧାରରେ ବିଚାରପତି ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ପାଇଁ ସଂପୃକ୍ତ ଥାନାକୁ ନିର୍ଦ୍ଦେଶ ଦେବେ। ମାମଲା ରୁଜୁର ଏହି ପ୍ରକ୍ରିୟାକୁ ଵାନ୍ ସିସି କୁହାଯାଏ। ତଥ୍ୟ ଅନୁସାରେ, ଗତ ୭ ବର୍ଷରେ ପ୍ରାୟ ୩ ହଜାରରୁ ଅଧିକ ଵାନ୍ ସିସି ମାମଲା ରୁଜୁ ହୋଇଛି। ୩ ହଜାର ରୁଜୁ ମାମଲା ମଧ୍ୟରେ ସର୍ବାଧିକ ଜମି ଠକେଇ ନଚେତ୍ ଟଙ୍କା କାରବାରକୁ ନେଇ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଜାଗାବାଡ଼ି ଜନିତ ମାମଲାର ତଦନ୍ତ ପ୍ରକ୍ରିୟା ଖୁବ୍ ଜଟିଳ ଓ ଲମ୍ବା ହୋଇଥିବାରୁ ପୁଲିସ୍ ଏହାକୁ ଗୁରୁତ୍ବ ଦେଇନଥାଏ। କୋର୍ଟର ଏଭଳି ବିଚାର ବ୍ୟବସ୍ଥା ବାବଦରେ ସମସ୍ତେ ଜାଣିନଥିବାରୁ ଠକମାନେ ଫାଇଦା ଉଠାନ୍ତି। ଏହାର ସୁଯୋଗ ନେଇ ବିଲ୍ଡର୍ ଓ ଦଲାଲ ଗୋଟିଏ ଜମିକୁ ଏକାଧିକ ଥର ବିକ୍ରି କରିବାକୁ ଭୟ କରିନଥା’ନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/36-10.jpg)