ଭୁବନେଶ୍ୱର: ସରକାରୀ ଚାକିରି କ୍ଷେତ୍ରରେ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି ଦାବିରେ ଆଜି ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ପୁଣି ଥରେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିଷଦର ଆବାହକ ଗିରିଜା ଶଙ୍କର ଜେନାଙ୍କ ନେତୃତ୍ୱରେ ଶତାଧିକ  ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଆନ୍ଦୋଳନକାରୀମାନେ ସେଠାରେ ସରକାରଙ୍କ ବିରୋଧରେ ସ୍ଳୋଗାନ୍‌ମାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଷଦ ପକ୍ଷରୁ କୁହାଯାଇଛି ଯେ, ୧୦ଟି ରାଜ୍ୟ ଆଶାୟୀଙ୍କ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିଛନ୍ତି। ଗୋଆ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ର୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, ତ୍ରିପୁରା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଇତି ମଧ୍ୟରେ ବୟସ ସୀମାକୁ ୧୦ରୁ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଓଡ଼ିଶା ଏକ୍ଷେତ୍ରରେ ପଛରେ ପଡ଼ିଛି। ଏଠାରେ ଏବେ ବି ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ରଖାଯାଇଛି। ଯେଉଁଥିପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବାରମ୍ବର ସରକାରଙ୍କ ଦୃଷ୍ଟିଗୋଚର କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ବୟସସୀମା ବୃଦ୍ଧି କରିବା ପାଇଁ କ୍ୟାବିନେଟ୍‌ ବୈଠକରେ ଦାବିକୁ ଆଇନ୍‌ଗତ ଢାଞ୍ଚାରେ ପରିଣତ କରନ୍ତୁ ବୋଲି ବୋଲି ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଯଦି ଦାବି ତୁରନ୍ତ ପୂରଣ କରା ନଯାଏ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ପରିଷଦ ଚେତାବନୀ ଦେଇଛି।