ଦିନକ ପରେ ସ୍ବାଧୀନତା ଦିବସ: ପ୍ରସ୍ତୁତି ଶେଷ, ନିରାପତ୍ତାକୁ ପ୍ରାଧାନ୍ୟ

ମୁତୟନ ହେବେ ୨୫ ପ୍ଲାଟୁନ୍‌ ଫୋର୍ସ, ୮୦ ଅଫିସର

ଭୁବନେଶ୍ବର: ପ୍ରଥମ ଥର ପାଇଁ ସ୍ବାଧୀନତା ଦିବସ ପାଳନ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ମାର୍ଚ୍ଚ ପାଷ୍ଟ କରାଯିବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ପ୍ରଦାନ କରାଯିବ। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗନେବେ ମୋଟ ୪ଟି ଗ୍ରୁପ୍। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୁଲିସ, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ ଭାଗନେଇ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ପ୍ରଦାନ କରିବେ। ସେହିପରି ବିଭିନ୍ନ ସ୍କୁଲର ସ୍କାଉଟ୍, ଗାଇଡ୍‌, ଏନ୍‌ସିସିର ତିନୋଟି ୱିଙ୍ଗ, ସେଣ୍ଟଜନ୍ସ ଆମ୍ବୁଲାନ୍ସ ସମେତ ୩୧ଟି ଟ୍ରୁପ୍‌ ଉପସ୍ଥିତ ରହିବେ। ତେବେ ଏହି ୩୧ଟି ଟ୍ରୁପ ନିଜ ସ୍ଥାନରେ ରହି ଅଭିବାଦନ ଜଣାଇବେ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ପ୍ରସ୍ତୁତି ଶେଷ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ପୁଲିସ ଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଂଜୟ ସିଂ, ଡିସିପି ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ପୁଲିସ ଅଫିସର ଉପସ୍ଥିତ ରହି ସୁରକ୍ଷା ସମେତ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ।

ସିସିଟିଭି ଜଗିବ ଉତ୍ସବସ୍ଥଳ
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ତେଣୁ ରାଜଧାନୀରେ ହାଇଆଲର୍ଟ ଜାରି ରହିଥିବା ବେଳେ ପରେଡ୍‌ସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାରଠାରୁ ପ୍ରଦର୍ଶନୀ ପଡ଼ିଆ ପୁଲିସ କବ୍‌ଜାକୁ ଚାଲି ଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ସ୍ବତନ୍ତ୍ର ଓ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍‌ ସ୍ଥଳରେ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ୮୦ ଅଫିସର ଦାୟିତ୍ବରେ ରହିବେ। ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର‌୍‌ଟି, ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଆଇଟିବିପି, ଷ୍ଟ୍ରାଇକିଂ ଫୋର୍ସ, ଓଡ୍ରାଫ୍‌, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବ˚ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍‌ପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ଉତ୍ସବସ୍ଥଳକୁ ଲାଗି କରିଥିବା ଉଚ୍ଚ ଅଟ୍ଟାଳିକାରେ ମଧୢ ସଶସ୍ତ୍ର ପୁଲିସ ମୁତୟନ ହେବେ। ସେମାନେ ପରେଡ୍‌ସ୍ଥଳ ଉପରେ ତୀକ୍ଷ୍ଣ ନଜର ରଖିବେ। ସେହିପରି ଜନଗହଳି ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌କୁ ଦାୟିତ୍ବ ଦିଆଯାଇଛି ସେମାନେ ଜନଗହଳି ଉପରେ ନଜର ରଖିବେ। ଖାଲି ସେତିକି ନୁହେଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଧ୍ୟ କଡ଼ାକଡ଼ି କରାଯାଇଛି। ଉତ୍ସବସ୍ଥଳରେ ପାଖାପାଖି ୬୦ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସିସିଟିଭିଗୁଡ଼ିକ ନଜରରେ ସାରା ଅଞ୍ଚଳ ରହିଛି। ଏଥିପାଇଁ ଏକ ଟିମ୍‌କୁ ଦାୟିତ୍ବ ଦିଆଯାଇଛି। ସେମାନେ କଣ୍ଟ୍ରୋଲ୍‌ ରୁମ୍‌ରୁ ବସି ସିସିଟିଭିର ସମସ୍ତ ଦୃଶ୍ୟ ଉପରେ କଡ଼ା ନଜର ରଖିବେ। ଯଦି କୌଣିସ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯିବ।

୯ଟା ୧୫ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୧୫ରେ ପହଞ୍ଚିବେ। କାରକେଡ୍‌ର ସବା ଆଗରେ ଆଡଭାନ୍ସ ପାଇଲଟ, ତା’ ପଛକୁ ରହିବ କାରକେଡ ଇନଚାର୍ଜଙ୍କ ଗାଡ଼ି, ତା’ ପଛକୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି, ସିଭିଲ ପ୍ରୋଟେକସନ୍‌, ୟୁନିଫର୍ମ ପ୍ରୋଟେକସନ୍‌, ବୁଲେଟ ପ୍ରୁଫ୍‌ କାର, ଜାମ୍‌ର, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଶେଷରେ ଦୁଇ ସେକ୍ସନ୍‌ ପୁଲିସ ଫୋର୍ସ (ଷ୍ଟ୍ରାଇକି˚)। ଏହି ଫୋର୍ସ ନିକଟରେ ଲାଠି ସହିତ ଅସ୍ତ୍ର ରହିବ। କାରକେଡ୍‌ ଇନଚାର୍ଜଙ୍କ ଗାଡ଼ିରେ ଅତ୍ୟାଧୁନିକ ଅସ୍ତ୍ର, ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌, ହେଲମେଟ୍‌ ରହିବ। ମୁଖ୍ୟମନ୍ତ୍ରୀ କଡ଼ା ସୁରକ୍ଷା ବଳୟ ମଧୢରେ ପରେଡ୍‌ ସ୍ଥଳକୁ ଯିବେ। ସେଠାରେ ପହଞ୍ଚିବା ପରେ ୯.୧୭ରେ ପତକା ଉତ୍ତୋଳନ କରିବେ। ସଙ୍ଗେ ସଙ୍ଗେ ଜାତୀୟ ସଂଗୀତ ଗାନ କରାଯିବ ସହ ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ୍‌, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୋଲିସ ଭାଗନେଇ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ପ୍ରଦାନ କରିବେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ଏବଂ ଓଡ଼ିଶାର ଭୂମିକା ମନେ ପକାଇବା ଲାଗି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ବଡ଼ଧରଣରର ପ୍ରଦର୍ଶନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ୪ନମ୍ବର ଗେଟ୍‌ଦେଇ ନବୀନ ନିବାସ ପ୍ରସ୍ଥାନ କରିିବେ।

୧୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା
ସ୍ବାଧୀନତା ଦିବସ ପରେଡ୍‌ ଉତ୍ସବ ଦେଖିବା ପାଇଁ ବହୁଲୋକଙ୍କ ସମାଗମ ହେବ। ବହୁ ଭିଆଇପି, ଭିଭିଆଇପି, ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପଡ଼ିଆରେ ଲୋକଙ୍କ ବସିବା ପାଇଁ ୫ହଜାର ସିଟ୍‌ର ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତର ଓ ବାହାରେ ମିଶାଇ ୧୦ ହଜାର ଲୋକ ଏକତ୍ର ଉତ୍ସବ ପାଳନକୁ ଦେଖିପାରିବେ।

ଟ୍ରାଫିକ୍‌ କଟକଣା
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଟକଣା ଲାଗୁହୋଇଛି। ୧୫ ତାରିଖ ଦିନ ସକାଳ ସାଢ଼େ ୬ଟାରୁ ଶେଷ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସଂଲଗ୍ନ ରାସ୍ତା ବନ୍ଦ କରାଯିବ। ପ୍ରଦର୍ଶନୀ ପଡ଼ିଆକୁ ସ୍ଥଳକୁ ସ˚ଲଗ୍ନ କରୁଥିବା ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ। ଯାନବାହନ ଯାତାୟାତ ସୁନିୟନ୍ତ୍ରଣ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଟ୍ରାଫିକ୍‌ ରୁଲ୍‌ ୩୭ ଅନୁସାରେ ନିର୍ଦ୍ଦେଶାନାମା ଜାରି ହୋଇଛି।

ରିହର୍ସାଲ ବେଳେ ଝୁଣ୍ଟିଲେ
ରାତି ପାହିଲେ ସ୍ବାଧୀନତା ଦିବସ ପାଳନ ହେବ। ତେଣୁ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରିହର୍ସାଲ କରାଯାଇଥିଲା। ହେଲେ ରିହର୍ସାଲ ବେଳେ ପୁଲିସ ବାବୁମାନେ ଝୁଣ୍ଟିଥିଲେ। କାହାର କାହା ସହ ତାଳମେଳ ଖାଇନଥିଲା। କିଏ ଆଗକୁ ପଳାଇଲାଣିତ କହାର ଗୋଡ ଏପଟ ସେପଟ ହୋଇ ପଡ଼ୁଥିଲା। ଯାହାକୁ ନେଇ ପୁଲିସ ଡିଜି କ୍ଷୋଭ ପ୍ରକାଶ କରିଥିଲେ। ଏଥିପାଇଁ ତିନି ତିନି ଥର ଧରି ରିହର୍ସଲ କରାଯାଇଥିଲା।

ରାତି ତମାମ ସହରରେ ବ୍ଲକି˚ ଓ ଚେକି˚
ଦୁଇ ସପ୍ତାହ ହେବ ବିଳମ୍ବିତ ରାତିରେ ଖଣ୍ତଗିରି, ଲକ୍ଷ୍ମୀସାଗର, ପଳାସୁଣୀ, ରବି ଟକିଜ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ସହିଦନଗର, ନୂଆପଲ୍ଲୀ ଆଦି ଅଞ୍ଚଳରେ ସ୍ବତନ୍ତ୍ର ଚେକ୍‌ ପୋଷ୍ଟ ମାଧୢମରେ ବ୍ଲକି˚ କରାଯାଇ ଚେକି˚ କରାଯାଉଛି। ଏହା ଛଡ଼ା ସହର ଭିତରେ ଥିବା ହୋଟେଲ ଓ ଲଜି˚ରେ ମଧୢ ଯାଞ୍ଚ ଚାଲିଛି।

ସମ୍ବନ୍ଧିତ ଖବର