ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଧୀନତା ଦିବସ, ପଣ୍ୟ ପରିବହନରେ ପୂର୍ବତଟ ରେଳପଥ ପ୍ରଥମ

ଭୁବନେଶ୍ୱର: ୨୦୧୯-୨୦ରେ ଜାତୀୟ ସମ୍ପତ୍ତି ଓ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବତଟ ରେଳପଥ ଇତିହାସ ସୃଷ୍ଟି କରିଛି। ୨୦୦ ମେଟ୍ରିକ ଟନର ପଣ୍ୟ ପରିବହନ କରି ଏହି ରେଳପଥ ୧୭ଟି ଜୋନ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ପୂର୍ବତଟ ରେଳପଥ ମଧ୍ୟ ପରିଚାଳନା ଅନୁପାତ ୫୧.୩୪% ହାସଲ କରି ୨୧ ହଜାର ୭୦୩ କୋଟିର ଆୟ କରି ସମସ୍ତ ଜୋନ ମଧ୍ୟରେ ଶ୍ରେଷ୍ଠ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ଷ୍ଟାଡିୟମ୍‌ରେ ଆୟୋଜିତ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହା କହିଛନ୍ତି। ରେଳ ସୁରକ୍ଷା ବଳ ଦ୍ବାରା ଆୟୋଜିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସେ କହିଲେ, ୧୪୬କିମି ଲକ୍ଷ୍ୟ ତୁଳନାରେ ୧୫୯କିମି ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୂର୍ବତଟ ରେଳପଥ ୩୨ କିମି ନୂତନ ଲାଇନ କାର୍ଯ୍ୟକ୍ଷମ କରି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି। ୮୨.୨୮ କିମି ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ ପାଇଁ ପୂର୍ବତଟ ରେଳପଥ ପ୍ରଥମ ଜୋନ ରୂପେ ଟ୍ରେନଗୁଡ଼ିକରୁ ପରଦା ଓ ବେଡ଼ରୋଲ ଅପସାରଣ କରିଥିଲା। ଯାତ୍ରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପୂର୍ବତଟ ରେଳପଥ ପୂର୍ବରୁ ପ୍ରସ୍ତୁତ ଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପୋଷାକ, ଗ୍ଳୋବ୍ସ, ମାସ୍କ, ଔଷଧ, ଭେଣ୍ଟିଲେଟର, ଚିକିତ୍ସା ଜନିତ ଆବଶ୍ୟକୀୟ ପଦାର୍ଥ ଆଦି ସାମଗ୍ରୀଗୁଡିକର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ବଜାର ଉପଲବ୍ଧତା ସଙ୍କଟକୁ ଅନୁଭବ କରି ହସ୍ପିଟାଲ ବେଡ୍‌, ଟ୍ରଲି, ଆଇ ଭି ଷ୍ଟାଣ୍ଡ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ଏହାବ୍ୟତୀତ ଅତ୍ୟାବଶ୍ୟକ ପଣ୍ୟଦ୍ରବ୍ୟର ପରିବହନ ପାଇଁ ଦ୍ରୁତ ପାର୍ସଲ ଟ୍ରେନ୍‌ର ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ। ଉତ୍ସବରେ ଅତିରିକ୍ତ ମହା ପ୍ରବନ୍ଧକ ସୁଧୀର କୁମାରଙ୍କ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

କିଟ୍ ଓ କିସ୍: କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ହୃଷୀକେଶ ମହାନ୍ତି କିଟ୍ ପରିସରରେ ଥିବା ବିଶାଳକାୟ ଜାତୀୟ ପତାକାକୁ ଉତ୍ତୋଳନ କରିଥିବା ବେଳେ କିସ୍ ପରିସରରେ ସଂପାଦକ ଆର.ଏନ୍. ଦାଶ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ସୋସିଆଲ୍ ମିଡିଆରେ ଲାଇଭ୍‌ କରାଯାଇଥିଲା। କିଟ୍ ଓ କିସ୍’ର ୭୦ହଜାର ଶିକ୍ଷାର୍ଥୀ ଓ ଉଭୟ ଅନୁଷ୍ଠାନର ୧୦ରୁ ଅଧିକ କର୍ମଚାରୀ ଅନୁଷ୍ଠାନର ସ୍ବତନ୍ତ୍ର ସୋସିଆଲ୍ ମିଡିଆ ପେଜ୍ ଜରିଆରେ ନିଜ ନିଜ ସ୍ଥାନରେ ରହି ଜାତୀୟ ସଂଗୀତ ଗାନ କରିଥିଲେ।

କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍: ମଞ୍ଚେଶ୍ବରସ୍ଥିତ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ମୁଖ୍ୟ କାର୍ଯ୍ୟାଳୟଠାରେ ସଂପାଦକ ବିଦ୍ୟାଧର ବାରିକ ମୁଖ୍ୟ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ସତ୍ୟବିହାରସ୍ଥିତ କଳିଙ୍ଗ ଆଡ୍‌ଭାନସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠାନର ସଭାପତି ସୁଶାନ୍ତ ଦାସ ପତାକା ଉତ୍ତୋଳନ କରିଥିଲେ। ଚନ୍ଦ୍ରଶେଖରପୁରସ୍ଥିତ କଳିଙ୍ଗ ଆକ୍ଟିଭିଟି ସେଣ୍ଟରରେ ଅନୁଷ୍ଠାନର ସାଗରିକା ଦାସ ଓ ମଧୁସ୍ମିତା ବାରିକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ରମେଶ ବାରିକ, ଅଶ୍ବନୀ ଦାସ, ସତ୍ୟଜିତ୍ ରାଉତ, ରାମଚନ୍ଦ୍ର ବେହେରା, କାଳିପ୍ରସାଦ ସିଂ ଓ ଫକିର ମୋହନ ଧଳ ଉପସ୍ଥିତ ରହିଥିଲେ। ରଙ୍ଗମାଟିଆ ମା’ ବାସୁଳାଇ ଯୁବକ ସଂଘ: ରଙ୍ଗମାଟିଆ ମା’ବାସୁଳାଇ ଯୁବକ ସଂଘ ପକ୍ଷରୁ ସନ୍ତୋ‌ଷ କୁମାର ମହାନ୍ତି ଓ କେଦାର ନାଥ ବାରିକ ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ।

ବରିଷ୍ଠ ନାଗରିକ ମଞ୍ଚ: ରଙ୍ଗମାଟିଆ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଭ୍ରମରବର ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ପାଖାପାଖି ୨୦ଜଣ ବରିଷ୍ଠ ନାଗରିକ ସାମାଜିକ ଦୂରତା ରକ୍ଷା କରି ଜାତୀୟ ସଂଗୀତ ଗାନ କରିଥିଲେ।

ନୀଳାଦ୍ରିବିହାର: ନୀଳାଦ୍ରିବିହାର ଉନିୟର୍ କ୍ଲବ୍ ରିକ୍ସା କଲୋନି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଯୁବନେତା କାଳୀପ୍ରସାଦ ସିଂ ପତାକା ଉତ୍ତୋଳନ କରିବା ସହ କ୍ଲବ୍ ସଭ୍ୟମାନଙ୍କ ସହ ମିଶି ଜାତୀୟ ସଂଗୀତ ଗାନ କରିଥିଲେ। ନୀଳାଦ୍ରିବିହାର ପ୍ରଶଂସା ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଂପାଦକ ଗଙ୍ଗାଧର ମାହାରଣା ପତାକା ଉତ୍ତୋଳନ କରିଥିଲେ। ମହାଲକ୍ଷ୍ମୀ କମିଟି ସୀତାନାଥ ନଗର ଉନ୍ନୟନ ପରିଷଦ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। କମିଟର ସଭାପତି ଅରୁଣ ଦାସ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଏକାମ୍ର ଜନଜାଗରଣ ମଞ୍ଚ: ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଏହାର କାର୍ଯ୍ୟାଳୟଠାରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭ୍ରଷ୍ଟାଚାର ଦୂର କରିବା ପାଇଁ ଶପଥ ନେଇଥିଲେ। ଏଥିରେ ଜଗତ୍ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗୋପୀନାଥ ପ୍ରଧାନ, ରଘୁନାଥ ଦାସ, ବୀରଭଦ୍ର ବିଶ୍ବାଳ, ତ୍ରିଲୋଚନ ଷଡ଼ଙ୍ଗୀ, ଗୁଲସନ୍ ଶତପଥୀ, ଉମାକାନ୍ତ ମିଶ୍ର, ମିଟୁ ଗରାବଡୁ, ପ୍ରସନଜିତ୍ ମହାଳିକ, ସଂଗ୍ରାମ କିଶୋର ସାହୁ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବର୍ଷା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର