ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ

ଭୁବନେଶ୍ବର: ଗତ ୧୫ ତାରିଖ ଭୁବନେଶ୍ବରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସବୁଠି ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ତ୍ରରଙ୍ଗା ଉଡିଛି।

ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌

ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୨ତାରିଖରୁ ୩ଦିନ ଧରି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ନିର୍ଦ୍ଦେଶକ ପାର୍ଥ ପ୍ରତୀମ ନାୟକଙ୍କ ସମେତ ସମସ୍ତ ରୋଲ୍‌ ଷ୍ଟାଫ୍‌ ଓ ଆଉଟସୋର୍ସ କର୍ମଚାରୀ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଡ଼ିଶା ବାଇକ୍‌ କ୍ଲବ୍‌ ସହିତ ସ୍ବାଧୀନତା ରାଇଡ୍‌ ଫ୍ଲାଗ୍‌ ଅନୁଷ୍ଠିତ ହୋଇଥିଲା। ମଲ୍‌ର କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହ ପଦଯାତ୍ରା ଗ୍ରାହକଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଏଥିସହିତ ‘ନେକ୍ସସ୍‌ ଏସ୍‌ପ୍ଲାନେଡ୍‌’ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଗ୍ରାହକମାନେ ମଲ୍‌ର ଯେକୌଣସି ସ୍ଥାନରେ ଫଟୋ ଉଠାଇ ‘ନେକ୍ସସ୍‌ ଏସ୍‌ପ୍ଲାନେଡ୍‌’ ସହିତ ପୋଷ୍ଟ କଲେ ୨୦ ସେକେଣ୍ଡରେ ଫଟୋ ପ୍ରିଣ୍ଟ ପ୍ରଦାନ କରାଯାଉଥିଲା। ଗ୍ରାହକମାନଙ୍କ ହାତରେ ଜାତୀୟ ପତାକା ଚିତ୍ର ଅଙ୍କନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆ‌‌ସୋସିଏସନ

ଇନ୍ଦିରା ପାର୍କ ମର୍ଣ୍ଣିଂ ଓ୍ବାକର୍ସ ଆ‌‌ସୋସିଏସନ ପକ୍ଷରୁ ଇନ୍ଦିରା ଗାନ୍ଧୀ ପାର୍କରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚିତ୍ତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଅବସରପ୍ରାପ୍ତ ଅର୍ଥବିଭାଗ ସ୍ବତନ୍ତ୍ର ଶାସନ ସଚିବ ବିଭାସ ଚନ୍ଦ୍ର କାନୁନ୍‌ଗୋ ଯୋଗଦେଇ ପତାକା ‌ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, ଶକ୍ତି ରଞ୍ଜନ ମହାନ୍ତି, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସମ୍ବାଦିକ ରମେଶ ମହାନ୍ତି, ପତିତପାବନ ନାଥଶର୍ମା, ପ୍ରବୀର କୁମାର ଦାସ, ଲିଙ୍ଗରାଜ ସେଠୀ, ବ୍ରଜେନ୍ଦ୍ର ପାତ୍ର, ଦୀନେଶ ପାଠକ, ଅନିଲ ପଣ୍ଡା, ମୋହନ ପ୍ରଧାନ, ସିଦ୍ଧାର୍ଥ ସାମଲ, ବିଶ୍ବରଞ୍ଜନ ସାହୁ, ଆରାଧ୍ୟା ଜେନା, ବୀରଭଦ୍ର ରାଉତ, ଗୋପୀନାଥ ମହାନ୍ତି, ନଟକୃଷ୍ଣ ପଣ୍ଡା, ଆଲୋକ ସେଠୀ, ଦିଲ୍ଲୀପ ଜେନା, ସ୍ମୃତିରଞ୍ଜନ ମହାନ୍ତି, ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ନିଳୟ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ

ମଳିପଡ଼ାସ୍ଥିତ ଶ୍ରୀକ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟ ଚେୟାରମ୍ୟାନ ପବିତ୍ର ରାଉତରାୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଓ ଗୁରୁଜନମାନଙ୍କ ସେବା କରିବା ସହ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଥି‌ଲେ। ବିଦ୍ୟାଳୟ ଅଧ୍ୟକ୍ଷ ଡ. ସ୍ୱରୂପାନନ୍ଦ ମିଶ୍ର ଏଥିରେ ସଭାପତିତ୍ୱ କରିଥିଲେ। ଉତ୍ସବରେ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ତଥା ସମାଜସେବୀ ଜଲିଲ ଖାନ ଛାତ୍ରଛାତ୍ରୀମାନଙ୍କୁ ଦେଶର ସୁନାଗରିକ ହେବା ପାଇଁ କହିଥିଲେ। ଉପଧାକ୍ଷ କବୀନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।

ଓଏଚ୍‌ପିସି

ହାଇଡ୍ରୋ ପାୱାର କର୍ପୋରେସନ୍‌ ଲିମିଟେଡ୍‌ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ଜନପଥ ରୋଡ ସ୍ଥିତ ଭୋଇନଗର କାର୍ଯ୍ୟଳୟ‌ ଏବଂ ଏହାର ବିଭିନ୍ନ ୟୁନିଟ୍‌ରେ ପାଳିତ ହୋଇଯାଇଛି। କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ସମ୍ବଳ ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତିଙ୍କ ଉପସ୍ଥିତିରେ ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର ପତାକା ଉତ୍ତୋଳନ କରିଥିବା ବେଳେ ଚନ୍ଦକା ସ୍ଥିତ ଓଏଚ୍‌ପିସି ଟ୍ରେନିଂ ସେଣ୍ଟର୍‌ରେ ଶ୍ରୀ ମହାନ୍ତି ପତାକା ଉତ୍ତୋଳନ କରିଥିଲେ।

ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ଖଣ୍ଡଗିରି ଧର୍ମବିହାରସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସ୍ବାଧୀନତା ସଂଗ୍ରାମୀଙ୍କ ବେଶରେ ନଗର ପରିକ୍ରମ କରିଥିଲେ। ଏହାପରେ ସ୍କାଉଟ୍‌ ଗାଇଡ୍‌ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ୟାରେଡ୍‌ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବରାଜ ମଲ୍ଲିକ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଂପାଦକ ସତ୍ୟରଂଜନ ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୌଭାଗିନୀ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଏକାମ୍ର ଜନ ଜାଗରଣ ମଞ୍ଚ

ସ୍ବାଧୀନତ‌ା ଦିବସ ଅବସରରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମୋତିଲାଲ୍ ଭବନଠାରେ ଭାରତକୁ ସର୍ବଶ୍ରେଷ୍ଠ ଦେଶ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ନାଗରିକଙ୍କ ଅଂଶଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମଞ୍ଚର ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ଅଧ୍ୟକ୍ଷତା କରିଥିଲେ।

ବିଜେଇଏମ୍ ସ୍କୁଲ

ବିଜେଇଏମ୍ ସ୍କୁଲ ପକ୍ଷରୁ ଆୟୋଜିତ ସ୍ବାଧୀନତା ଦିବସ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ପରିଚାଳକ ପ୍ରତାପ କୁମାର ଜେନା ଯୋଗଦେଇ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ସୁରଚିତା ଦାସ, ବରଦା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗିଫ୍ଟ ପକ୍ଷରୁ ‘ହର ଘର ତ୍ରିରଙ୍ଗା’

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଟେକ୍ନୋଲୋଜି (ଗିଫ୍ଟ)ର ଏନ୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ନିକଟସ୍ଥ ପୋଷ୍ୟଗ୍ରାମ ମାନଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗିଫ୍ଟର ଛାତ୍ରଛାତ୍ରୀମାନେ ଘର ଘର ବୁଲି ସମସ୍ତଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ସିଏଚ୍‌ଭିଏସ୍‌ ପରମେଶ୍ବର ରାଓ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏନ୍‌ଏସ୍‌ଏସ୍‌ର ସଂଯୋଜକ ପ୍ରଫେସର ମଦନ ମୋହନ ସାହୁ, କ୍ରୀଡ଼ା ପ୍ରଶିକ୍ଷକ ଅସିତ୍‌ କୁମାର ପାହାଡ଼ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସାଇ ସବୁରୀ ନର୍ସିଂ କଲେଜ

ବାଳକାଟୀସ୍ଥିତ ସାଇ ସବୁରୀ ନର୍ସିଂ ଆଣ୍ଡ୍‌ ହେଲ୍‌ଥ ସାଇନ୍ସ କଲେଜ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକ‌ାଳେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଶାରଦା ମିଶ୍ର ଓ ଉପାଧ୍ୟକ୍ଷା ସ୍ମୃତି ଶାରିକା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋନଳ ସମୟରେ ଟାଇମ୍ସ ସ୍କଲାର୍ସ ଗୁରୁକୁଳ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକକ ଅଭିନୟ, ଓଡ଼ିଶୀ ନୃତ୍ୟ ଓ ମୋଲୋଡି ପରିବେଷଣ କରାଯାଇଥିଲା। ସେହିପରି ପାରାମେଡିକାଲ ଛାତ୍ରଛାତ୍ରୀମାନେ କିନ୍ନରଙ୍କ ସଂଘର୍ଷକୁ ନେଇ ନାଟକ ‘ଜ୍ୟୋତି’ ପରିବେଷଣ କରିଥିଲେ।

ସେଣ୍ଟ ଆର୍ନୋଲ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

କଳିଙ୍ଗ ବିହାରସ୍ଥିତ ସେଣ୍ଟ ଆର୍ନୋଲ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ପି.କେ ସିଂ, ବିଦ୍ୟାଳୟର ମୁଖ୍ୟ ପରିଚାଳକ ଫାଦର୍‌ ରିଚାର୍ଡ ଭାଜ୍, ଅଧ୍ୟକ୍ଷ ପଦ୍ମନାଭ ରଥ ଓ ଉପାଧ୍ୟକ୍ଷ ଫାଦର ସିଲଭା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କ୍ରୀଡ଼ା ଓ ଯୁବସେବା ବିଭାଗ

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ପତାକା ଉତ୍ତୋଳନ ଉତ୍ସବରେ ବିଭାଗର ଯୁଗ୍ମଶାସନ ସଚିବ ବିଜୟାନନ୍ଦ ନାୟକ ଏବଂ ଶୈଳେନ୍ଦ କୁମାର ଜେନାଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ। ନଅ ଗୋଟି ଦଳ ଦ୍ୱାରା ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର ବାର୍‌ ଆସୋସିଏସନ୍‌

ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ପକ୍ଷରୁ କୋର୍ଟ ପରିସରରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ଜିଲ୍ଲା ଜଜ୍ ନିଶିଥ୍‌ ନିଶାଙ୍କ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଂଘ ସଭାପତି ରବି ନାରାୟଣ ସାମନ୍ତରାୟ ଓ ସମ୍ପାଦକ ରାଜ କିଶୋର ଦାସଙ୍କ ନେତୃତ୍ବ ଆଇନଜୀବୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସଂଘ ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଘ କାର୍ଯ୍ୟକାରୀ ସଭ୍ୟ ଅମ୍ରିତା ସାହୁ, ବନ୍ଦିତା ସାମଲ, ସବ୍ୟସାଚ୍ଚୀ ସୂତାର, କୁଲଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ ସାହୁ, ବିମଳ କେଶରୀ ଦାଶ, ପ୍ରଦୀପ୍ତ ପାଲ, ଦିପ୍ତିରଞ୍ଜନ ଦଳାଇ ଉପସ୍ଥିତ ଥିଲେ।

ପିପିଏଲ୍‌ କଲୋନି

ଖଣ୍ଡଗିରିସ୍ଥିତ ପିପିଏଲ୍‌ କଲୋନିରେ ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୈଦିକ ଧ୍ବନି ଉଚ୍ଚାରଣ ପୂର୍ବକ କଲୋନିର ବଗିଚାରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଜ୍ଞାନ ଏକାଡେମି ପୁରସ୍କାରପ୍ରାପ୍ତ ଲେଖିକା ମନସ୍ବିନୀ ଦାଶଙ୍କ ନେତୃତ୍ବରେ ଗଠିତ ‘ସମନ୍ବିତା ସାହିତ୍ୟ ସଂସଦ’ ଉଦ୍‌ଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଏମ୍‌ସି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ, ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି. ସତ୍ୟନାରାୟଣ ପାତ୍ର, ଯୁଗ୍ମସଚିବ ରମେଶ ଚନ୍ଦ୍ର ଜେନା, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ପୂର୍ବତନ କର୍ପୋରେଟର ଅଶ୍ବିନୀ କୁମାର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ପିପିଏଲ୍‌ ସମବାୟ ସମିତି ସଭାପତି ପୀତବାସ ରାଉତରାୟ ସଭାପତିତ୍ବ କରିଥିଲେ। ସଂପାଦକ ସୁବାସ ଚନ୍ଦ୍ର ମିଶ୍ର ସ୍ବାଗତ ଭାଷଣ ଓ ଯୁଗ୍ମସଂପାଦକ କିଶୋର ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ରାଧାକୃଷ୍ଣ ସମାଜ ଉନ୍ନୟନ ସଂଘ

ରାଧାକୃଷ୍ଣ ସମାଜ ଉନ୍ନୟନ ସଂଘ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉନ୍ନୟନ ସଂଘର ସମ୍ପାଦକ ରବୀନ୍ଦ୍ରନାଥ ସିହ୍ନା ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ନିଶାକର ସ୍ବାଇଁ, ନରେନ୍ଦ୍ର ଦାଶ, ଦୁଃଖୀଶ୍ୟାମ ବେହେରା, ପ୍ରଭାକର ମହାରଣା, କୈଳାସ ଜେନା, ଜଗନ୍ନାଥ ମହାରଣା ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

ନାଗେଶ୍ବର ଟାଙ୍ଗି ହାଉସିଂବୋର୍ଡ କଲୋନି ଉନ୍ନୟନ ପରିଷଦ

ନାଗେଶ୍ବର ଟାଙ୍ଗି ହାଉସିଂବୋର୍ଡ କଲୋନି ଉନ୍ନୟନ ପରିଷଦ ପକ୍ଷରୁ ଶିଶୁ ଉଦ୍ୟାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ବିପିନ ଦାଶ ପତାକା ଉତ୍ତୋଳନ କରିଥିଲେ। ରମେଶ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ସେନାପତି, ପ୍ରସନ୍ନ କୁମାର କାନୁନଗୋ, ଡା. ରାଜେନ୍ଦ୍ର ଶତପଥୀ, ହରେକୃଷ୍ଣ ମହାନ୍ତି, ଡା. ସନ୍ଧ୍ୟାରାଣୀ ଶତପଥୀ, ସଞ୍ଜୀବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେବା ମହିଳା ସମିତି ପକ୍ଷରୁ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା।

ଆଲିସା ଫାଉଣ୍ଡେସନ୍

ଆଲିସା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମାନବେନ୍ଦ୍ର ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅନ୍ନଦାପ୍ରଭା ରାୟ କାର୍ଯ୍ୟକ୍ରମ ଆୟୋଜନ କରି ବୀରପୁରୁଷଙ୍କ ବିଷୟରେ ଆଲୋକପାତ କରିଥିଲେ। ପ୍ରଶାନ୍ତ ମହାପାତ୍ର, ଅଶୋକ କୁମାର ଦାସ, ରାଜଶ୍ରୀ ଦାସ, ମିଥୁନ ନାୟକ, ସ୍ନେହା ନାଥ, କୁମାରୀ ବର୍ଷା, କାହ୍ନୁ ଦେଓ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସଭାପତି ରାଧେଶ୍ୟାମ ସାହୁ ଧନ୍ୟବାଦ ଦେଇଥିଲେ।

ନାରାୟଣ ଇ-ଟେକ୍ନୋ ବିଦ୍ୟାଳୟ

କଳିଙ୍ଗ ଭବନଠାରେ ନାରାୟଣ ଇ-ଟେକ୍ନୋ ବିଦ୍ୟାଳୟ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଟି. ଶ୍ରୀଦେବୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମକୁ ଉପ ଅଧ୍ୟକ୍ଷା ମନସ୍ବିନୀ ବଳିଆରସିଂହ ପରିଚାଳନା କରିଥିଲେ।

ଆଇଟିଏସ୍‌

ନୂଆପଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଷ୍ଟଡିଜ୍‌ (ଆଇଟିଏସ୍‌)ଠାରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଚେୟାରମ୍ୟାନ ତଥା ଶିକ୍ଷାବିତ୍ ତପନ ବିହାରୀ ଭଞ୍ଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ବସନ୍ତ କୁମାର ବେହେରା, ଦେବେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଜାତୀୟ ଚେତନା

ସାପ୍ତାହିକୀ ସମ୍ବାଦ ପତ୍ର ‘ଜାତୀୟ ଚେତନା’ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ତପନ ବିହାରୀ ଭଞ୍ଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ତ୍ରିପାଠୀ, ସୌଭାଗ୍ୟ ମହାନ୍ତି, ଦୁର୍ଗାପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଜଳ ଯୋଗାଣ ଓ ପରିମଳ କର୍ମଚାରୀ ସଂଘ

ସତ୍ୟନଗରସ୍ଥିତ ଓଡବ୍ଲ୍ୟୁଏସ୍‌ଏସ୍‌ବି କର୍ମଚାରୀ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତପନ ବିହାରୀ ଭଞ୍ଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଦାସ, ଦିଲ୍ଲୀପ ନନ୍ଦ, ସୁରେନ୍ଦ୍ର ଦାସ, ଦୀପକ ରାଜ, ଏସ୍ କେ ମାମୁଦ, ସନ୍ତୋଷ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଭା ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍

ପ୍ରତିଭା ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ୍‌ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ନୀଳାଦ୍ରିବିହାର ଶନି ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବୁଦ୍ଧ ପାର୍କ ପର୍ଯ୍ୟନ୍ତ ଯାଇଥିଲା। ନିର୍ଦ୍ଦେଶକ ଅନିଲ କୁମାର ରାଉତଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଶିକ୍ଷାଅଧିକାରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ବିଶ୍ବଜିତ୍‌ ଫାଉଣ୍ଡେସନ

ବିଶ୍ବଜିତ୍‌ ଗୋସ୍ବାମୀ ଫାଉଣ୍ତେସନ ପକ୍ଷରୁ ତମାଣ୍ଡୋ ସ୍ଥିତ ଦୃଷ୍ଟିବାଧିତ ଅନୁଷ୍ଠାନ ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫଳ ବଣ୍ଟନ ସହ ଦିବ୍ୟାଙ୍ଗ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ବିଶ୍ବଜିତ୍‌ ଗୋସ୍ବାମୀ ପତାକା ଉତ୍ତୋଳନ କରିଥିଲେ। ଟ୍ରଷ୍ଟର ଦିବାକର ବିଶ୍ବାଳ ଓ ସୁରମା ପ୍ରମୁଖ ଅନୁଷ୍ଠାନ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ। ସମାଜସେବୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିଥିଲେ।

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି

ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନି ଆବାସିକ ସଂଘ ପକ୍ଷରୁ ଦୁର୍ଗାପୂଜା ପଡ଼ିଆରେ ସ୍ବାଧୀନତା ଦିବସ ପାଳିତ ହୋଇଥିଲା। ସଂଘ ସଭାପତି ଜଗଦୀଶ ରଥ ପତାକା ଉତ୍ତୋଳନ କରି ଯୁବ ପିଢ଼ି ମହାତ୍ମା ଗାନ୍ଧୀଙ୍କ ଭଳି ଅହିଂସା ମାର୍ଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଉପସଭାପତି ରମାକାନ୍ତ ବେହେରା, କାର୍ଯ୍ୟନିର୍ବାହୀ ସଦସ୍ୟ ରବି ନାରାୟଣ ତ୍ରିପାଠୀ, ସବ୍ୟସାଚୀ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ବିଦ୍ୟୁତ, ଜଳଯୋଗାଣ ଏବଂ ଚିକିତ୍ସାଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘ ସମ୍ପାଦକ ଅଭିମନ୍ୟୁ ଗିରି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର