ଭୁବନେଶ୍ୱର : ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ‘ତୃତୀୟ ଇନ୍ଦରଜିତ୍‌ ଖୁରାନା ଜାତୀୟ ପୁରସ୍କାର’ ପ୍ରଦାନ ଉତ୍ସବ ଆଜି ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିଅମ୍‌ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭଦ୍ରକସ୍ଥିତ ‘ଗାନ୍ଧୀ ଓଡ଼ିଶାର ବାଳାଶ୍ରମ’କୁ ଚଳିତ ବର୍ଷର ଇନ୍ଦରଜିତ୍‌ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ଆଶ୍ରମକୁ ନଗଦ ୧ ଲକ୍ଷ ଟଙ୍କା ଅର୍ଥରାଶି ଦିଆଯାଇଛି। ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରିୟମ୍ବଦା ମହାନ୍ତି ହେଜମାଦି ଓ ବୀରୁପାକ୍ଷ ଦୀକ୍ଷିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରୁଚିକାର ସଭାପତି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ନାରାୟଣ ରାଓ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱର୍ଗତ ଇନ୍ଦରଜିତ୍‌ ଖୁରାନାଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ରାମେଶ୍ୱରୀ ଦ୍ୱିବେଦୀ, ବେଣୁଧର ସେନାପତି ଓ ହେମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।