ରାଜଧାନୀରେ ‘ଭାରତ ବନ୍ଦ’

ଭୁବନେଶ୍ବର: କୃଷି ଓ କୃଷକ ବିରୋଧୀ କଳା କୃଷି ଆଇନକୁ ବାତିଲ, ଶ୍ରମିକ ବିରୋଧୀ ୪ଟି ଲେବର୍ କୋଡ୍‌ ପ୍ରତ୍ୟାହାର ଏବଂ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ନିୟନ୍ତ୍ରଣ ସମେତ ୨୧ ଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ରାଜଧାନୀରେ ଶାନ୍ତିପୂର୍ଣ୍ଣ ହୋଇଛି। ମୋର୍ଚ୍ଚାର ଆବାହକ ସୁରେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜ୍ୟ କୃଷକ ସଙ୍ଗଠନ, କଂଗ୍ରେସ ଦଳ ଓ ଟ୍ରେଡ୍‌ ୟୁନିୟନ୍‌ର କର୍ମୀ ସାମିଲ ହୋଇ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପିକେଟିଂ କରିବାରୁ ସହରର ବିଭିନ୍ନ ଛକରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟାହ୍ନ ପରେ ବିକ୍ଷୋଭକାରୀ ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର୍‌ ପିଏମ୍‌ଜି ଆଡ଼କୁ ଅଗ୍ରସର ହୋଇଥିଲେ। ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ କମିସନରେଟ୍ ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା।

ଶ୍ରୀ ପାଣିଗ୍ରାହୀ କହଛନ୍ତି ଯେ ୧୦ ମାସ ହେବ ଦେଶର କୃଷକ ଦିଲ୍ଲୀ ସୀମାରେ ବସିଥିଲେ ମଧ୍ୟ ଦାବି ପୂରଣ କରାଯାଉନାହିଁ। ଏହା ଦେଶ ପାଇଁ ଦୁର୍ଭାଗ୍ୟଜନକ। ଏହି ବନ୍ଦକୁ ବହୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ସରକାର କୃଷକଙ୍କ ସମସ୍ୟା ତୁରନ୍ତ ସମାଧାନ କରନ୍ତୁ। ନଚେତ୍ ଆନ୍ଦୋଳନକୁ ଜୋରଦାର କରାଯିବ। ଏହି ବନ୍ଦରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଅଲ ଇଣ୍ଡିଆ କିଷାନ୍ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଅଲ ଇଣ୍ଡିଆ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଲ୍‌ ଇଣ୍ଡିଆ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ମହିଳା ନେତ୍ରୀ ପ୍ରମିଳା ବେହେରା, ଅଲ୍‌ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଅଲ ଇଣ୍ଡିଆ କିଷାନ ମହାସଭା ରାଜ୍ୟ ଉପଦେଷ୍ଟା ବଂଶୀଧର ପରିଡ଼ା, ଇନ୍‌ସାଫ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଲୋହିଆ ଏକାଡେମିର ସମ୍ପାଦକ ଦେବପ୍ରସାଦ ରାୟ, ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ, ସମାଜବାଦୀ କୃଷକ ମୋର୍ଚ୍ଚାର ରାଜ୍ୟ ଆବାହକ ସୁଦର୍ଶନ ପ୍ରଧାନ ପ୍ରମୁଖ ଆଜି ବନ୍ଦରେ ନେୃତ୍ବ‌ତ୍ବ ନେଇଥିଲେ।

ରେଳ ଷ୍ଟେସନରେ ବିକ୍ଷୋଭ
କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଆଇଏନ୍‌ଟିୟୁସି, ଏଆଇୟୁଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇସିସିଟିୟୁ, ଟିୟୁସିସି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ ଓ ସେୱାର କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନରେ ରେଳରୋକ କରିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଏଆଇସିଟିୟୁର ମହେନ୍ଦ୍ର ପରିଡ଼ା, ଆଇଏନ୍‌ଟିୟୁସିର ସାଧାରଣ ସଂପାଦକ କିଶୋର ଜେନା, ପ୍ରଣତି ମିଶ୍ର, ପ୍ରଶାନ୍ତ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ଏଆଇୟୁଟିୟୁସିର ରାମକୃଷ୍ଣ ପଣ୍ଡା, ବିଜୟ ଜେନା, ଏଚ୍ଏମ୍ଏସ୍‌ ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ରମେଶ ଜେନା, ସତ୍ୟାନନ୍ଦ ବେହେରା, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ବଂଶୀଧର ପରିଡ଼ା, ଶଙ୍କର ନାୟକ, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେୱାର ପରିଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମାଷ୍ଟରକ୍ୟାଣ୍ଟିନ୍‌ରେ ପିକେଟିଂ
ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରେଲୱେ ଷ୍ଟେସନ ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବନ୍ଦ ପାଳନ ହୋଇଛି। ପିସିସି କିଷାନ କଂଗ୍ରେସର ରାଜ୍ୟ ସଭାପତି ଅମିୟ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ପିକେଟିଂ କରିଥିଲେ। କାର୍ଯ୍ୟକ୍ରମରେ ସୁବାସ ରାଉତ, ରଘୁନାଥ ପଲିଆ, ସାନନ୍ଦ ମିଶ୍ର, ଦେବେନ୍ଦ୍ର ସାହୁ, ଦାଶରଥି ସାହୁ, ବୃନ୍ଦାବନ ଖଟେଇ, ରାମ ନାରାୟଣ ମହାନ୍ତି, ରତିକାନ୍ତ ଗଡ଼ନାୟକ, ବିପ୍ରବର ସାହୁ, ଭୋବନାନନ୍ଦ ସାମଲ, ଧ୍ରୁବ ଚରଣ ପରିଡ଼ା, ପଦ୍ମଚରଣ ସାହୁ, ନରେନ୍ଦ୍ର କୁମାର ପଣ୍ଡା, ସ୍ୱପ୍ନେଶ୍ୱର ପୃଷ୍ଟି, ଗୋବିନ୍ଦ ମିଶ୍ର, ସନ୍ତୋଷ ସାହୁ, ଉମେଶ ସାହୁ, ନର ନାରାୟଣ ଜେନା, ନରେନ୍ଦ୍ର ରାଉତ, ମହେନ୍ଦ୍ର କୁମାର ପରିଡ଼ା, ନାରାୟଣ ଚନ୍ଦ୍ର ପରିଡ଼ା, ନିରଞ୍ଜନ ବେହେରା, ଯଶୋଦା ନନ୍ଦନ ସିଂହ, ଦେବେନ ଦେବ ଲୋଭାନ, ଭବାନୀ ଶଙ୍କର ରଥ ପ୍ରମୁଖ ସାମିଲ ହୋଇ ରାସ୍ତା ଅବରୋଧ କରିଥିଲେ। ଏହାଦ୍ବାରା ପଥଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏଆଇଏସ୍‌ଏଫ୍‌ର ‘ଇଣ୍ଡିଆ ଅନ୍ ସେଲ୍’
ଭାରତ ବନ୍ଦକୁ ସମର୍ଥନ କରି ଅଖିଳ ଭାରତ ଛାତ୍ରସଂଘ(ଏଆଇଏସ୍‌ଏଫ୍‌) ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ, ଶ୍ରମିକ ବିରୋଧୀ ନୂତନ ଶ୍ରମକୋଡ୍‌ ରଦ୍ଦ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ସଙ୍ଗଠନ ପକ୍ଷରୁ ଭୁବନେଶ୍ବର ସମେତ କଟକ, କଳାହାଣ୍ଡି, ରାୟଗଡ଼ା, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ବାଲେଶ୍ବରରେ ପ୍ରତୀକାତ୍ମକ ଭାବେ ‘ଇଣ୍ଡିଆ ଅନ୍ ସେଲ୍’ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରେ କେନ୍ଦ୍ର ସରକାର କିଭଳି ଶିକ୍ଷା, ଚାଷଜମି, ବନ୍ଦର, ବିମାନ ବନ୍ଦର, ରେଳ, ବ୍ୟାଙ୍କ, ଜାତୀୟ ରାଜପଥ ଆଦିକୁ ଅମ୍ବାନୀ ଓ ଆଦାନୀ ଭଳି ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ବିକ୍ରି କରିବାର ଷଡ଼ଯନ୍ତ୍ର କରୁଛନ୍ତି, ତାହା ପ୍ରଦର୍ଶନ କରାଯାଇଥିଲା। ବିଶେଷକରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଓ ପାରାଦୀପ ବନ୍ଦର ବିକ୍ରି ହେବା ନିଷ୍ପତ୍ତି ବିରୁଦ୍ଧରେ ରାଜ୍ୟ ସରକାରଙ୍କର ନିରବତା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ସଙ୍ଗଠନର ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି।

ରାସ୍ତା ମଝିରେ ବାଉଁଶ ବାନ୍ଧିଲେ
ଭାରତ ବନ୍ଦକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ କଟକ-ପୁରୀ ରୋଡ୍‌ରେ ପିକେଟିଂ କରାଯାଇ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିଲା। ରାସ୍ତା ମଝିରେ ଗାଡ଼ି ରଖାଯିବା ସହ କେତେକ ସ୍ଥାନରେ ବାଉଁଶ ବାନ୍ଧାଯାଇଥିଲା। ପରେ ବିଜେବି ନଗରରୁ ଏକ ବିଶାଳ ବାଇକ୍ ରାଲି ବାହାରି ସଚିବାଳୟ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିବା ବେଳେ ସେଠାରେ ମୁତୟନ ପୁଲିସ୍ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ସେଠାରେ ପୁଲିସ ସହ ଧସ୍ତାଧସ୍ତି ହେବାରୁ ବହୁ କର୍ମୀଙ୍କୁ ଉଠାଇ ନେଇଥିଲା। ସଙ୍ଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର୍ ଅଲ୍ଲୀ, ଭୁବନେଶ୍ୱର ସଂଯୋଜକ ଅମିତ ଜେନା, ଏସ କେ ତସ୍ୱର୍, ସତ୍ୟପ୍ରକାଶ ବେହେରା, ଦେବାଶିଷ ନାୟକ, ସୌମ୍ୟ ପଣ୍ଡା, ଧର୍ମେନ୍ଦ୍ର ବରଦା, ସୁନିଲ ନାୟକ, ସୁବ୍ରମଣୟମ୍‌ ରାଉତ, ଯଶୋବନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ଡମଣାରେ ରାସ୍ତା ‌ଅବରୋଧ
ଲିଙ୍ଗରାଜ ବିସ୍କୁଟ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭାରତ ବନ୍ଦକୁ ସଫଳ କରିବାକୁ ପ୍ରୟାସ କରାଯାଇଥିଲା। ୱାର୍କର୍ସ ୟୁନିୟନ୍‌ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ବାରିକ ଓ ଯୁଗ୍ମ ସମ୍ପାଦକ ସୁବଳ ସାହୁଙ୍କ ନେତୃତ୍ବରେ ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଲିଙ୍ଗରାଜ ବିସ୍କୁଟ୍ କାରଖାନାର ଫାଟକ ସମ୍ମୁଖରେ ଦୁଇ ଶହରୁ ଅଧିକ ବିସ୍କୁଟ ଶ୍ରମିକ ଧାରଣା ଦେଇଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ଟିସିଏସ୍‌, ଆଇଓସିଏଲ୍‌ ନିକଟରେ ପିକେଟିଂ କରି ଡମଣା ଛକରେ ମୁଖ୍ୟ ରାସ୍ତାକୁ ବନ୍ଦ କରିଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରି ରାସ୍ତା ଅବରୋଧ ହଟାଇଥିଲା।

ମାର୍କେଟ୍‌ ବନ୍ଦ
ଭାରତ ବନ୍ଦର ପ୍ରଭାବ ବ୍ୟା‌ବସାୟିକ ପ୍ରତିଷ୍ଠାନ ଉପରେ ପଡ଼ିଛି। ରାଜଧାନୀର ଦୁଇଟି ଯାକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ୟୁନିଟ୍‌-୧ ଓ ୟୁନିଟ୍‌-୨ ମାକେର୍ଟ ଆଜି ସ୍ବତପ୍ରବୃତ୍ତଃ ବନ୍ଦ ରହିଥିଲା। କେହି ବି ବ୍ୟବସାୟୀ ଆସି ନ ଥିଲେ। କାଁ ଭାଁ ଲୋକ ମାର୍କେଟକୁ ଆସୁଥିଲେ ମଧ୍ୟ ଖାଲି ହାତରେ ଫେରିଥିଲେ। ଅପରାହ୍ନରେ ସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି ରାଜମହଲ ଛକରେ ରାସ୍ତା ଅବରୋଧ ଯୋଗୁଁ ଏଜି ଛକ ଓ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାପୁଜି ନଗର ମାର୍କେଟ୍‌କୁ ଯାଉଥିବା ଗାଡ଼ି ଚାଳକ ହଟହଟା ହୋଇଥ‌ିଲେ।

ରେଳ ଯାତ୍ରୀ ହଟହଟା
ଭାରତ ବନ୍ଦ ଯୋଗୁଁ ରେଳଯାତ୍ରୀମାନେ ବହୁ ପରିମାଣରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ୍‌କୁ କବ୍‌ଜା କରି ନେଇଥିବାରୁ ଅଟୋ ଚଳାଚଳ ସ୍ବାଭାବିକ ହୋଇପାରି ନଥିଲା। ଟ୍ରେନ୍‌ରୁ ଓହ୍ଲାଇବା ପରେ ଯାତ୍ରୀମାନେ ଅନ୍ୟ ସ୍ଥାନକୁ ଯିବା ପାଇଁ ହଟହଟା ହୋଇଥିଲେ। ମହିଳାମାନେ ଛୋଟ ପିଲାଙ୍କୁ ଧରି ରାସ୍ତାରେଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ନିର୍ଧାରିତ ସମୟରେ ଟ୍ରେନ୍‌ ପହଞ୍ଚୁ ନ ଥିବାରୁ ବହୁ ଯାତ୍ରୀମାନେ ନିରାଶ ହୋଇ ପ୍ଲାଟଫର୍ମରେ ଅଟକି ରହିଥିଲେ।

ଜାତୀୟ ରାଜପଥ ଜାମ୍‌
କ୍ରାଉନ୍‌ ହୋଟେଲ ନିକଟରେ ୧୬ନମ୍ବର ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ। ଏହା ଦ୍ବାରା ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ଶତାଧିକ ଟ୍ରକ୍‌ ଅଟକି ରହିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା। ଟ୍ରକ୍‌ ଡ୍ରାଇଭର, ‌ହେଲ୍‌ପର ରାସ୍ତା ଉପରେ ରୋଷେଇ କରିଥିଲେ। ଯାତ୍ରୀବାହୀ ବସ୍‌ ମଧ୍ୟ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡ଼ା ହୋଇଥିଲା। କ୍ରାଉନ୍‌ ଛକ ସମେତ ସତ୍‌ସଙ୍ଗ ବିହାର, ଜୟଦେବ ବିହାର, ବାଣୀବିହାର ପ୍ରଭୃତି ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିଲା।

ଉତ୍ତରା ଛକରେ ରାସ୍ତା ଅବରୋଧ
ଉତ୍ତରା ଛକରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳୀୟ ନେତୃବୃନ୍ଦ ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରିବା ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଉତ୍ତରା ଛକ, ନୂଆଗାଁ ଓ ଲିଙ୍ଗିପୁର ଆଦି ଛକରେ ବିକ୍ଷୋଭକାରମୀାନେ ପ୍ଲା’କାର୍ଡ ଓ ବ୍ୟାନର୍‌ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଧଉଳି ଥାନା ପୁଲିସ କିଛି ବିକ୍ଷୋଭକାରୀଙ୍କୁ ଥାନାକୁ ଉଠାଇ ନେଇ ପରେ ଛାଡ଼ି ଦେଇଥିବା ଜଣାଯାଇଛି। କିନ୍ତୁ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବନ୍ଦ ସଂପୂର୍ଣ୍ଣ ପ୍ରଭାବଶୂନ୍ୟ ରହିଥିଲା। ବାଳକାଟି ବଜାର, ବାଲିଅନ୍ତା ବଜାର, ଭିଙ୍ଗାରପୁର, ଟଙ୍କପାଣି, ରଙ୍ଗବଜାର, ଖମଙ୍ଗବଜାର ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଛକ ବଜାର ସବୁ ସ୍ବାଭାବିକ ଭାବେ ଖୋଲା ରହିଥିଲା।

ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ବି‌କ୍ଷୋଭ
ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଏସୟୁସିଆଇ(ସି), ନେତାଜୀ ସୁଭାଷ ନିର୍ମାଣ ଶ୍ରମିକ ସଂଘ,ଏଆଇକେକେଏମଏସ, ଏଆଇଡିଏସଓ, ଏଆଇଏମଏସଏସ, ଏଆଇୟୁଟିୟୁସି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନବଘନ ନାୟକ, ହାଡ଼ିବନ୍ଧୁ ସ୍ୱାଇଁ, ଟିକା ସାମଲ, ଅଶୋକ କୁମାର ବେହେରା, ବୀରେନ ପାଇଟାଲ, ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ଅକ୍ଷୟ ବେହେରା, ମମତା ମହାପାତ୍ର, କମଳି ମହାରଣା, କାହ୍ନୁଚରଣ ବାରିକ, ଚିନ୍ମୟ ବେହେରା, ନରେନ୍ଦ୍ର ରାଉତ, ବିଜୟ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ନିମାପଡ଼ା-ସରଦେଇପୁର ରାସ୍ତା ବନ୍ଦ
ନିମାପଡ଼ା-ସରଦେଇପୁର ରାସ୍ତାର ବାଲିପାଟଣା ଛକଠାରେ ବନ୍ଦ ପାଳନ କରାଯାଇଥିଲା। ଆନ୍ଦୋଳନକାରୀ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଆନ୍ଦୋଳନରେ ଓଡ଼ିଶା ମଜଦୁର ୟୁନିୟନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଭୋଇ, ଦଳିତ ଆଦିବାସୀ ଅଧିକାର ମହାସଂଘ ସଭାପତି ବିଜୟ ଭୋଇ, ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ଭୋଇ, ଭରତ ବେହେରା, ସନ୍ଦୀପ ରାଉତରାୟ, ରାକେଶ ସିଂ, ଅଶୋକ ସାହୁ, ଅଭିମନ୍ୟୁ ରାଉତ, ମଣ୍ଟୁ ସାହୁ, ଅଜିତ ପ୍ରଧାନ, ନାରାୟଣ ମଙ୍ଗରାଜ, କେଦାର ପଲେଇ ପ୍ରମୁଖ ଭାଗ ନେଇଥିଲେ।

ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ
ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟି ଡାକରାରେ ଏହାର ସମସ୍ତ ଗଣ ସଂଗଠନ ଏଆଇକେକେଏମ୍‌ଏସ୍‌, ଏଆଇୟୁଟିୟୁସି, ଏଆଇଡିଏସ୍‌ଓ, ଏଆଇଡିୱାଇଓ ଏବଂ ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ରାଜଧାନୀରେ ବିକ୍ଷୋଭ କରାଯାଇଥିଲା। କମ୍ରେଡ୍‌ ରଘୁନାଥ ଦାସ, ସ୍ବୟଂପ୍ରଭା ନାୟକ, ଜୟ‌ସେନ ମେହେର, ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମା, ସନ୍ତୋଷ ରଥ, ନିରଂଜନ ମହାନ୍ତି, ସୁବାସ ଚନ୍ଦ୍ର ନାୟକ, ଗଣେଶ ତ୍ରିପାଠୀ, ସ୍ବସ୍ତି ସଂଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ସୁନୀତା ପାଣିଗ୍ରାହୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର